Parliament Winter Session 2024: ନୂଆଦିଲ୍ଲୀ: ସମ୍ବିଧାନର ନିର୍ମାତା ଡ. ଭିମରାଓ ଆମ୍ବେଦକରଙ୍କୁ କେନ୍ଦ୍ର କରି ଆଜି ସଂସଦର ଉଭୟ ଗୃହରେ ହଟ୍ଟଗୋଳ ହୋଇଛି। ଶାସକ ଦଳ ଡ. ଆମ୍ବେଦକରଙ୍କୁ ଅପମାନିତ କରିଛି ବୋଲି ବିରୋଧି ଦଳର ସାଂସଦମାନେ ଅଭିଯୋଗ କରିବା ସହ ଗୃହର ମଧ୍ୟଭାଗକୁ ଆସି ବିରୋଧ ପ୍ରଦର୍ଶନ କରିବାରୁ ଗୃହରେ କୌଣସି କାର୍ଯ୍ୟ ଆଗକୁ ବଢିପାରିନାହିଁ। ଫଳରେ ଉଭୟ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି। 


COMMERCIAL BREAK
SCROLL TO CONTINUE READING

ଆଜି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧି ଦଳର ସାଂସଦମାନେ ଗୃହ ବାହାରେ ଡ. ବି.ଆର ଆମ୍ବେଦକରଙ୍କର ଛବି ଧରି ଶାସକ ଦଳକୁ ଆକ୍ଷେପ କରିଥିଲେ। ଶାସକ ଦଳ ଡ. ଆମ୍ବେଦକରଙ୍କୁ ଅପମାନିତ କରିଛନ୍ତି ବୋଲି କହିବା ସହ ଗୃହମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଗଣମାଧ୍ୟମରେ ଦାବି କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧି ଦଳର ସାଂସଦମାନେ ଡ. ଆମ୍ବେଦକରଙ୍କର ଛବି ସହ ଲୋକସଭାର ମଧ୍ୟ ଭାଗକୁ ପ୍ରବେଶ କରିଥିଲେ। ଗୃହ ମନ୍ତ୍ରୀ କ୍ଷମାମାଗନ୍ତୁ ବୋଲି ସେମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାଚସ୍ପତି ଓମ ବିର୍ଲା ଗୃହ ମଧ୍ୟରେ ଶୃଙ୍ଖଳା ରକ୍ଷା କରିବାକୁ ସମସ୍ତ ସାଂସଦଙ୍କୁ ନିବେଦନ କରିଥିଲେ। ପ୍ରଶ୍ନକାଳ ପରେ ଅନ୍ୟ ବିଷୟକୁ ଆଲୋଚନା କରିବା ପାଇଁ ସେ ସମସ୍ତ ସାଂସଦଙ୍କ ସହଯୋଗ ମାଗିଥିଲେ। କିନ୍ତୁ ଗୃହ ଅସ୍ୱଭାବିକ ହୋଇଥିଲା। ଏଭିତରେ ଆଇନ ମନ୍ତ୍ରୀ ଅର୍ଜନ ରାମ ମେଘୱାଲ ବାଚସ୍ପତିଙ୍କୁ ବିରୋଧି ଦଳ ସର୍ବଦା ଆମ୍ବେଦକରଙ୍କୁ ଅପମାନିତ କରି ଆସିଛନ୍ତି ବୋଲି ଅଭିଯୋଗ କରିଥିଲେ। ଆମ୍ବେଦକର ବଞ୍ଚିଥିବା ସମୟରେ ତାଙ୍କୁ ସାଂସଦ ଭାବେ ଗୃହକୁ ଆସିବା ପାଇଁ କଂଗ୍ରେସ ବାରଣ କରିଥିଲା। ଏବେ ତାଙ୍କ ଛବି ନେଇ ହଟ୍ଟଗୋଳ କରୁଛି ବୋଲି ସେ କହିଥିଲେ। 


ଗତକାଲି ରାଜ୍ୟସଭାରେ ସମ୍ବିଧାନର ୭୫ ବର୍ଷ ଯାତ୍ରା ସମ୍ବନ୍ଧରେ ହେଉଥିବା ଚର୍ଚ୍ଚାରେ ଉତ୍ତର ରଖି ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ, 'ଆମ୍ବେଦକର... ଆମ୍ବେଦକର...ଆମ୍ବେଦକର.... ଏବେ ଫ୍ୟାସନ ହୋଇଗଲାଣି। ଏମିତି ଯଦି ନାଁ ଭଗବାନଙ୍କର ଯଦି ନିଆଯାଇଥାଆନ୍ତା, ତେବେ ୭ ଜନ୍ମ ଯାଏଁ ସ୍ୱର୍ଗ ମିଳିଯିବ'। ଏହା ସମ୍ବିଧାନ ଓ ବାବା ସାହେବଙ୍କ ପ୍ରତି ଅପମାନ ବୋଲି କଂଗ୍ରେସ ବୋଧ କରିଛି। ଏଣୁ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ସ୍ଥିର କରି କଂଗ୍ରେସ ବିକ୍ଷୋଭ ଆୟୋଜନ ପାଇଁ ଆଜି ସକାଳେ ବୈଠକରେ ବସିଥିଲେ।