Parliaments Winter Session: ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ, ୨୬ରେ ବସିବ ସ୍ୱତନ୍ତ୍ର ବୈଠକ
Parliaments Winter Session: ଏହି ଅଧିବେଶନ ଉଭୟ ଶାସକ ଓ ବିରୋଧୀ ଦଳ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି। ଶାସକ ଦଳ ପକ୍ଷରୁ ଏହି ଅଧିବେଶନରେ ବହୁ ଚର୍ଚ୍ଚିତ ଓ୍ୱାକଫ୍ ସଂଶୋଧନ ବିଧେୟକ ଆସିବା ସମ୍ଭାବନା ରହିଛି। ଏହି ବିଧେୟକକୁ ଗତ ଅଧିବେଶନରେ ଲୋକସଭା ପକ୍ଷରୁ ଯୁଗ୍ମ ସମିତିକୁ ବିଚାର ଓ ପ୍ରସ୍ତାବ ପାଇଁ ପଠାଯାଇଥିଲା। ହେଲେ ଯୁଗ୍ମ ସମିତି ବୈଠକରେ ଅନେକ ଆଲୋଚନାରେ ବାଦ ବିବାଦ ପରିଲକ୍ଷିତ ହୋଇଛି।
ଭୁବନେଶ୍ୱର: ଆସନ୍ତା ୨୫ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଉଭୟ ଗୃହର ବୈଠକକୁ ରାଷ୍ଟ୍ରପତି ଏହିଦିନ ଆଗତ କରିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜ୍ଜିଜୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୬ ତାରିଖ ଦିନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଏହିଦିନ ଦେଶର ସମ୍ବିଧାନ ଗ୍ରହଣକୁ ୭୫ ବର୍ଷ ପୂରୁଛି। ଏଣୁ ଏଥିପାଇଁ ସ୍ୱତନ୍ତ୍ର ବୈଠକ ହେବ।
ଯଦି କୌଣସି ଜରୁରୀ ସ୍ଥିତି ନଉପୁଜେ ତେବେ ସଂସଦର ଏହି ଶୀତକାଳୀନ ଅଧିବେଶନ ଡିସେମ୍ବର ୨୦ ତାରିଖ ଯାଏ ଚାଲିବ ବୋଲି ଶ୍ରୀ ରିଜ୍ଜିଜୁ ନିଜ ସୋଶାଲ ମିଡିଆ ହ୍ୟାଣ୍ଡଳରେ ସ୍ପଷ୍ଟ କରିଛନ୍ତି।
ଏହି ଅଧିବେଶନ ଉଭୟ ଶାସକ ଓ ବିରୋଧୀ ଦଳ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି। ଶାସକ ଦଳ ପକ୍ଷରୁ ଏହି ଅଧିବେଶନରେ ବହୁ ଚର୍ଚ୍ଚିତ ଓ୍ୱାକଫ୍ ସଂଶୋଧନ ବିଧେୟକ ଆସିବା ସମ୍ଭାବନା ରହିଛି। ଏହି ବିଧେୟକକୁ ଗତ ଅଧିବେଶନରେ ଲୋକସଭା ପକ୍ଷରୁ ଯୁଗ୍ମ ସମିତିକୁ ବିଚାର ଓ ପ୍ରସ୍ତାବ ପାଇଁ ପଠାଯାଇଥିଲା। ହେଲେ ଯୁଗ୍ମ ସମିତି ବୈଠକରେ ଅନେକ ଆଲୋଚନାରେ ବାଦ ବିବାଦ ପରିଲକ୍ଷିତ ହୋଇଛି।
ସେହିପରି ଏକ ଦେଶ ଏକ ନିର୍ବାଚନ ପାଇଁ ଏହି ଅଧିବେଶନରେ ସରକାର ବିଧେୟକ ଆଣିପାରନ୍ତି। ଆସନ୍ତା ବର୍ଷ ଜନଗଣନା ଏବଂ ଏହି ଆଧାରରେ ନିର୍ତବାଚନ ମଣ୍ଡଳୀ ପୁନର୍ଗଠନ ପ୍ରସଙ୍ଗ ରହିଛି। ଏଣୁ ଏହାକୁ କେନ୍ଦ୍ର କରି ଉଭୟ ସରକାରୀ ଓ ବିରୋଧୀ ଦଳ ନିଜ ପକ୍ଷ ଉପସ୍ଥାପନ କରିପାରନ୍ତି। ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାର ଦୁଇଦିନ ପରେ ଏହି ଅଧିବେଶନ ଆଗତ କରାଯାଇଛି।