PM Modi and XI Jinping meeting: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଋଷର କାଜାନରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଖୋଲାଖୋଲି ଭାବେ କହିଛନ୍ତି ଯେ ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଆମର ପ୍ରାଥମିକତା ହେବା ଉଚିତ। କହିରଖୁଛୁ ଯେ ମେ ୨୦୨୦ ରେ ପୂର୍ବ ଲଦ୍ଦାଖ ସୀମା ବିବାଦ ଉପୁଜିବା ପରେ ଦୁଇ ଦେଶ ମଧ୍ୟରେ ଶୀର୍ଷ ସ୍ତରରେ ଏହା ହେଉଛି ପ୍ରଥମ ବୈଠକ।


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଏପରି ଏକ ସମୟରେ ଆସିଛି ଯେତେବେଳେ ଦୁଇ ଦିନ ପୂର୍ବେ ପୂର୍ବ ଲଦ୍ଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତ ଏବଂ ଚୀନ୍ ପାଟ୍ରୋଲିଂ ଉପରେ ଏକ ଚୁକ୍ତି କରିଥିଲେ। ଚାରି ବର୍ଷ ଧରି ଚାଲିଆସୁଥିବା ଅବରୋଧକୁ ଶେଷ କରିବାରେ ଏହା ଭାରତ ପକ୍ଷରୁ ଏକ ପ୍ରମୁଖ ସଫଳତା ଭାବରେ ବିବେଚନା କରାଯାଉଛି।


ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ଆମେ ୫ ବର୍ଷ ପରେ ଏକ ଆନୁଷ୍ଠାନିକ ବୈଠକ କରୁଛୁ। ଆମର ବିଶ୍ୱାସ ଯେ ଭାରତ-ଚୀନ୍ ସମ୍ପର୍କ କେବଳ ଆମ ଲୋକଙ୍କ ପାଇଁ ନୁହେଁ ବରଂ ବିଶ୍ୱବ୍ୟାପୀ ଶାନ୍ତି ପାଇଁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ସ୍ଥିରତା ଏବଂ ପ୍ରଗତି ପାଇଁ ଆମେ ଗତ ୪ ବର୍ଷ ମଧ୍ୟରେ ସୀମା ପ୍ରସଙ୍ଗରେ ପହଞ୍ଚିଥିବା ସହମତିକୁ ସ୍ୱାଗତ କରୁଛୁ। ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଆମ ସମ୍ପର୍କ ପାଇଁ ପ୍ରାଥମିକତା ହେବା ଆବଶ୍ୟକ ବୋଲି ସେ କହିଛନ୍ତି।"


ବୈଠକର ଫଟୋ 'X' ସେୟାର କରି ପିଏମ ମୋଦୀ ଲେଖିଛନ୍ତି ଯେ କାଜାନ ବ୍ରିକ୍ସ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି। ଆମ ଦେଶର ଲୋକମାନଙ୍କ ପାଇଁ ଏବଂ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ-ଚୀନ୍ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ପାରସ୍ପରିକ ବିଶ୍ୱାସ, ପାରସ୍ପରିକ ସମ୍ମାନ ଏବଂ ପାରସ୍ପରିକ ସମ୍ବେଦନଶୀଳତା ଦ୍ୱିପାକ୍ଷିକ ସମ୍ପର୍କକୁ ମାର୍ଗଦର୍ଶନ କରିବ।”


କହିରଖୁଛୁ ଯେ ନଭେମ୍ବର ୨୦୨୨ ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସି ପରସ୍ପରକୁ ଅଭିବାଦନ ଜଣାଇଥିଲେ ଏବଂ ଜି-୨୦ ନେତାଙ୍କ ପାଇଁ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ସଂକ୍ଷିପ୍ତ ବାର୍ତ୍ତାଳାପ କରିଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ମଧ୍ୟ ବ୍ରିକ୍ସ (ବ୍ରାଜିଲ-ଋଷ-ଭାରତ-ଚୀନ୍-ଦକ୍ଷିଣ ଆଫ୍ରିକା) ଶିଖର ସମ୍ମିଳନୀରେ ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ଏକ ସଂକ୍ଷିପ୍ତ ତଥା ଅନୌପଚାରିକ ବାର୍ତ୍ତାଳାପ କରିଥିଲେ।