New 1000 Rupee Note: ଆଉ କିଛି ଦିନ ବିଦାୟ ନେବାକୁ ଯାଉଛି ୨୦୨୨। ଆଉ ଏହା ପରେ ଆରମ୍ଭ ହୋଇଯିବ ନୂଆବର୍ଷ ୨୦୨୩।  ଆଉ ନୂତନ ବର୍ଷରୁ ଅନେକାଶଂରେ ବଦଳିଯିବ ଦେଶର ସାଧାରଣ ଲୋକଙ୍କ ଜୀବନଶୈଳୀ। କହିବାକୁ ୨୦୨୩ ଜାନୁଆରୀ ୧ ତାରିଖରୁ, ଦେଶରେ ଅନେକ ନିୟମ ପରିବର୍ତ୍ତନ ହେବ। ଏହା ମଧ୍ୟରେ ରହିଛି ବ୍ୟାଙ୍କ ଲକର ସମ୍ବନ୍ଧୀୟ ନିୟମ, କ୍ରେଡିଟ କାର୍ଡ ସହ ଜଡିତ ନିୟମ, ଯାନ ପଞ୍ଜୀକରଣ ସମ୍ବନ୍ଧୀୟ ନିୟମ, ଏମ୍ସ ପଞ୍ଜୀକରଣ ସହ ଜଡିତ ନିୟମ, ମୋବାଇଲ୍ ଫୋନ IMEI ସହ ଜଡିତ ନିୟମ।


COMMERCIAL BREAK
SCROLL TO CONTINUE READING

ଏହି ସମୟରେ ସୋସିଆଲ ମିଡିଆ ଜରିଆରେ ଗୋଟିଏ କଥାକୁ ବେଶ ଚର୍ଚ୍ଚା ହେଉଛି। ଏନେଇ କୁହାଯାଉଛି ଯେ ୨୦୨୩ ଜାନୁଆରୀ ୧ ତାରିଖରୁ ନୂଆ ୧୦୦୦ ଟଙ୍କିଆ ନୋଟ ଆସିବ। ସେହି ଦିନ ଠାରୁ ୨୦୦୦ ଟଙ୍କିଆ ପୁରୁଣା ନୋଟ ମଧ୍ୟ ବନ୍ଦ ହୋଇଯିବ। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଏ ସମ୍ପର୍କିତ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ ଆସନ୍ତା ଜାନୁୟାରୀ ପହିଲାରୁ ଏକ ନୂଆ ୧୦୦୦ ଟଙ୍କିଆ ନୋଟ ଆସିବ ଏବଂ ସେହିଦିନ ପୁରୁଣା ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ପାଖକୁ ଫେରିଯିବ। 


ହେଲେ ଏହି ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଭାରତ ସରକାର ନୂଆ ୧୦୦୦ ଟଙ୍କିଆ ନୋଟ ଜାରି କରିବା ଏବଂ ପୁରୁଣା ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବା ସହ ଜଡିତ କୌଣସି ବିଜ୍ଞପ୍ତି ଜାରି କରିନାହାଁନ୍ତି। ଏଭଳି ପରିସ୍ଥିତିରେ ଏପରି କଥାକୁ ବିଶ୍ୱାସ କରିବା ସହଜ ନଥିଲା। ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେଉଥିବା ଏହି ଭିଡିଓ ସମ୍ପର୍କରେ ସତ୍ୟତା ଜାଣିବା ପାଇଁ ପ୍ରେସ୍ ଇନଫରମେସନ ବ୍ୟୁରୋ (Press Information Bureau) ପିଆଇବି ପକ୍ଷରୁ ଅନୁସନ୍ଧାନ (PIB Fact Check) କରାଯାଇଥିଲା।


ପିଆଇବି ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେଉଥିବା ଏହି ଭିଡିଓ ବାବଦରେ କରାଯାଉଥିବା ଦାବି ସମ୍ପୂର୍ଣ୍ଣ ନକଲି। ଯାହାର ଅର୍ଥ ହେଉଛି ଯେ ଆସନ୍ତା ୨୦୨୩ ଜାନୁୟାରୀ ପହିଲାରୁ ନୂଆ ୧୦୦୦ ଟଙ୍କିଆ ନୋଟ୍ ଆସିବ ନାହିଁ କିମ୍ବା ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ଫେରିଯିବ ନାହିଁ। ପୂର୍ବ ଭଳି ବଜାରରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ଜାରିସ ରହିବ। ପ୍ରେସ୍ ଇନଫରମେସନ ବ୍ୟୁରୋ ସୋସିଆଲ ମିଡିଆ ମାଧ୍ୟମରେଏପରି ବିଭ୍ରାନ୍ତିକର ବାର୍ତ୍ତା କାହା ସହିତ ସେୟାର ନ କରିବାକୁ ଲୋକଙ୍କୁ ନିବେଦନ କରିଛି।