Mumbai ice cream horror : ମହାରାଷ୍ଟ୍ରର ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଥିଲା।ଜୁନ ୧୩ରେ ଆଇସ୍‌କ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଘଟଣା ସାମ୍ନାକୁ ଆସିଥିଲା। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଆଇସକ୍ରିମ ପ୍ରେମୀଙ୍କୁ ଖାଇବାର ଭୟ ଘେରିଥିଲେ।ଏହା ଅନେକଙ୍କୁ ଚକିତ କରିଥିବା ବେଳେ ପୋଲିସ ଏହାର ଛାନଭିନ କରିଥିଲା। 


COMMERCIAL BREAK
SCROLL TO CONTINUE READING

 ବାଲ୍‌କୋ କମ୍ପାନୀର ବ୍ରାଣ୍ଡ ୟମ୍ମୋ ଆଇସକ୍ରିମରେ କଟା ଆଙ୍ଗୁଠି ମିଳିଥିଲା। ଗାଜିଆବାଦ ଏବଂ ପୁଣେରେ କମ୍ପାନୀର ପ୍ଲାଣ୍ଟ ରହିଛି। ତେବେ ମେ’ ୧୧ରେ ପୁଣେ ପ୍ଲାଣ୍ଟରେ ଏକ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୨୪ ବର୍ଷୀୟ ଆସିଷ୍ଟାଣ୍ଟ ଅପରେଟରଙ୍କ ଡାହାଣ ହାତର ମଝି ଆଙ୍ଗୁଠିର କିଛି ଅଂଶ କଟି ଯାଇଥିଲା। ଏଣୁ କଟା ଆଙ୍ଗୁଠି ଏହି କର୍ମଚାରୀଙ୍କର ବୋଲି ପୋଲିସ ଅନୁମାନ କରିଛି। ବ୍ୟକ୍ତିଙ୍କର ଡିଏନ୍‌ଏ ନମୂନା ଯାଞ୍ଚ ପାଇଁ ଏଫ୍‌ଏସ୍‌ଏଲ୍‌ ନିକଟକୁ ପଠାଯାଉଛି।


ତେବେ ମଲାଡରେ ରହୁଥିବା ମହିଳା ଯେଉଁ ଆଇସକ୍ରିମ ଖାଇଥିଲେ ତାର ମାନୁଫାକ୍ଚରିଂ ତାରିଖ ମେ’ ୧୧ ଥିଲା। ତେବେ ଅପରେଟରଜଣଙ୍କ କହିଛନ୍ତି ଯେ ପ୍ୟାକେଜିଂ କରିବା ପୂର୍ବରୁ ଫ୍ରୁଟ ଫିଡର ମେଶିନ ଅପରେଟ କରୁଥିଲେ ସେ। ସେତେବେଳେ ଫିଡ୍‌ରରେ ଡ୍ରାଇ ଫ୍ରୁଟସ୍‌ ସହ କୋନ ଆଇସକ୍ରିମ ଉପରେ ଲାଗିଥିବା କାଗଜ ପଡ଼ିଯାଇଥିଲା। ତାକୁ ବାହାର କରୁଥିବା ବେଳେ ତାଙ୍କ ଆଙ୍ଗୁଠି କଟିଯାଇ ଡ୍ରାଏଫ୍ରୁଟ୍‌ ସହ ମିଶି ଯାଇଥିଲା। ଏହା ଆଇସକ୍ରିମ ସହ ମିଶି ଅଟୋମେଟିକ୍‌ ପ୍ୟାକ୍‌ ହୋଇଯାଇଥିଲା।


ଏନେଇ ଅପରେଟରଜଣଙ୍କ ସୁପରଭାଇଜର, ମ୍ୟାନେଜର ଏବଂ କମ୍ପାନୀ ପ୍ରତିନିଧିଙ୍କୁ ଜଣାଇଥିଲେ। ପରେ କିଛି ଆଇସକ୍ରିମରୁ କଟା ଆଙ୍ଗୁଠି ଖୋଜିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଏକ ମିନିଟରେ ୧୦୦ରୁ ଅଧିକ  ଆଇସକ୍ରିମ ପ୍ୟାକ୍‌ ହେଉଥିବା ଯୋଗୁ, ତାହା ମିଳି ନଥିଲା। ଏସବୁ ମଧ୍ୟରେ ଦାୟିତ୍ୱହୀନତା ସ୍ପଷ୍ଟ ବାରି ହେଉଥିବା ଯୋଗୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।