Russia Ukraine War: କୀଭ ଉପରେ ମିସାଇଲ ବର୍ଷା, ୧୨ ମୃତ, ୨୪ ଆହତ
Russian Missiles Strike on Ukraine: ଶନିବାର କ୍ରୀମିୟା ପୋଲ ଉପରେ ହୋଇଥିବା ବିସ୍ଫୋରଣର ଜବାବ ମିସାଇଲ ମାରି ଦେଇଛି ଋଷିଆ।
Missiles Strike on Kyiv: ଋଷିଆ ପକ୍ଷରୁ କରା ଯାଇଥିବା ମିସାଇଲ ଆକ୍ରମଣରେ ଥରହର ହୋଇଉଠିଛି ୟୁକ୍ରେନ ରାଜଧାନୀ କୀଭ। ନିକଟରେ କ୍ରୀମିୟା ପୋଲ ଉପରେ ହୋଇଥିବା ଆକ୍ରମଣର ଏବେ ପାଲଟା ଜବାବ ଦେଇଛି ଋଷିଆ। ସୋମବାର କରା ଯାଇଥିବା ମିସାଇଲ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଆହତ ହୋଇଛନ୍ତି।
ଗତ ୮ ତାରିଖ ଶନିବାର କ୍ରୀମିୟା ଉପଦ୍ୱୀପକୁ (Crimean Peninsula) ଯୋଡୁଥିବା ପୋଲରେ ହୋଇଥିଲା ଭୟାନକ ବିସ୍ଫୋରଣ। ଯାହାକୁ ନେଇ ବିଚଳିତ ହୋଇଉଠିଥିଲା ଋଷିଆ (Russia)। ବର୍ତ୍ତମାନ ପୋଲ ଉପରେ ବିସ୍ଫୋରଣର ଜବାବ ଦେବାକୁ ସୋମବାର କରାଯାଇଛି ଘନ ଘନ କ୍ଷେପଣାସ୍ତ୍ର ମାଡ଼ (Russian Missile Strike)। ୟୁକ୍ରେନ ରାଜଧାନୀ କୀଭ (Ukraine Capital Kyiv) ସମେତ ଦେଶର ବିଭିନ୍ନ ସ୍ଥାନ ଉପରେ ମିସାଇଲ ମାଡ଼ କରିଛି ଋଷିଆ।
ସୋମବାର ହୋଇଥିବା ଆକ୍ରମଣକୁ ନିଶ୍ଚିତ କରିଛନ୍ତି କୀଭ ମେୟର ବିତାଲୀ କ୍ଲିଚେକୋ (Kyiv Mayor Vitali Klitschko)। ଏନେଇ ସେ କହିଛନ୍ତି ଶେଭେଚେଙ୍କୋ ଠାରେ ବିସ୍ଫୋରଣ ହୋଇଛି। ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukrainian President Volodymyr Zelenskyy) କ୍ଷେପଣାସ୍ତ୍ର ଆକ୍ରମଣ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ରାଷ୍ଟ୍ରପତି କହିଛନ୍ତି ସୋମବାର ଦେଶର ବିଭିନ୍ନ ସ୍ଥାନ ଉପରେ ମିସାଇଲ ଆକ୍ରମଣ କରାଯାଇଛି। ଏହି ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ବିଗତ କିଛି ଦିନ ହେବ ଶାନ୍ତି ରହିଥିଲା କୀଭ। ସୋମବାର ଋଷିଆ ପକ୍ଷରୁ ୟୁକ୍ରେନ ଉପରେ ୭୫ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା କୁହାଯାଉଛି।
Also Read: Russia Ukraine War: ଯୁଦ୍ଧ ବେଳେ ଋଷିଆକୁ ଲାଗିଲା ଜୋରଦାର ଝଟକା, କ'ଣ କହିଲା ୟୁକ୍ରେନ
ଶନିବାର କ୍ରୀମିୟା ପୋଲ (Crimea Bridge Blast) ଉପରେ ହୋଇଥିଲା ଭୟାନକ ବିସ୍ଫୋରଣ। ଏଠାରେ ଏକ ଟ୍ରକ ମଧ୍ୟରେ ରଖା ଯାଇଥିବା ବିସ୍ଫୋଟକରେ ନିଆଁ ଲାଗି ଯାଇଥିଲା। ଯେଉଁ କାରଣରୁ ଏହି ପୋଲରେ ହୋଇଥିଲା ଭୟାନକ ଧମାକା। ବିସ୍ଫୋରଣ କାରଣରୁ ପୋଲର ଅଧା ଅଂଶ କୃଷ୍ଣ ସାଗରରେ (Black Sea) ଖସି ପଡ଼ିଥିଲା। କ୍ରୀମିୟା ପୋଲ ଉପରେ ହୋଇଥିବା ବିସ୍ଫୋରଣ ପାଇଁ ୟୁକ୍ରେନ ଗୁଇନ୍ଦା ସଂସ୍ଥାକୁ (Ukraine Intelligence Agency) ଦାୟୀ କରିଛି ଋଷିଆ। ଯଦିଓ ଏହି ବିସ୍ଫୋରଣ ପାଇଁ ୟୁକ୍ରେନ ନିଜକୁ ଦାୟୀ କରିନାହିଁ। ଏହି ଘଟଣାକୁ ନିନ୍ଦା କରିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନ (Russian President Vladimir Putin)। ଏହାକୁ ସେ ଆତଙ୍କବାଦୀ କାର୍ଯ୍ୟ ବୋଲି ଦର୍ଶାଇଛନ୍ତି। ଏପରି ଆକ୍ରମଣ କରି ଦେଶର ଗୁରୁତ୍ୱପୂର୍ଣ୍ଣ ନାଗରିକ ଭିତ୍ତିଭୂମି ନଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଷ୍ଟ୍ରପତି ପୁତିନଙ୍କ ବୟାନ ସାମ୍ନାକୁ ଆସିବା ଋଷିଆ ପାଲଟା ଜବାବ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା।
ଶନିବାର ଯେଉଁ ପୋଲ ଉପରେ ବିସ୍ଫୋରଣ ହେବା କଥା କୁହାଯାଉଛି ତାହା କ୍ରୀମିୟା ଉପଦ୍ୱୀପକୁ ଋଷିଆର ମୂଳ ଭୂଖଣ୍ଡ (Russian Main Land) ସହ ଯୋଡ଼ିଥାଏ। ୟୁକ୍ରେନ ସହ ଯୁଦ୍ଧ ଲଢୁଥିବା ଋଷୀୟ ସୈନିକଙ୍କୁ ଏହି ପୋଲ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଣ କରା ଯାଇଥାଏ। ସାମରିକ ଦୃଷ୍ଟିକୋଣରୁ କ୍ରିମୀୟ ପୋଲ ବେଶ ଗୁରୁତ୍ୱପୂର୍ଣ୍ଣ। ପୋଲ ଭୁଶୁଡ଼ିବା ପରେ ଦେଶର ସୈନିକଙ୍କ ପାଖକୁ କିପରି ସହାୟତା ପହଞ୍ଚାଯିବ ତାହା ଋଷିଆ ଲାଗି ଏବେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। କାରଣ ବର୍ତ୍ତମାନ ଏହି ପୋଲର କିଛି ଅଂଶ କାର୍ଯ୍ୟକ୍ଷମ ରହିଛି।