Russia Ukraine Crisis: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୯ ମାସ ପୂରଣ ହୋଇସାରିଛି। ହେଲେ ଏହି ଯୁଦ୍ଧ ବେଳେ ଆସିଛି ଏକ ବଡ଼ ଖବର। ପୂର୍ବ ୟୁକ୍ରେନସ୍ଥିତ ଖେରାସନ ଅଞ୍ଚଳରେ ଅବସ୍ଥିତ ନିପର ନଦୀର ପଶ୍ଚିମ ତଟରୁ ସେନା ପ୍ରତ୍ୟାହାର କରିବାକୁ ଘୋଷଣା କରିଛି ଋଷିଆ। ଋଷୀୟ ସେନା ଅପରେସନ୍ କମାଣ୍ଡର ଜେନେରାଲ ସର୍ଗେଇ ସୁରୋବିକିନଙ୍କ ଦ୍ୱାରା ଦେଶର ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁଙ୍କୁ ଏକ ରିପୋର୍ଟ ଦାଖଲ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଯୋଗାଣ ତଥା ପ୍ରଶାସନିକ କାରଣରୁ ଋଷୀୟ ସୈନ୍ୟବାହିନୀ ବର୍ତ୍ତମାନ ଖେରାସନ ସହରରେ ନିପର୍ ନଦୀର ଅପର ପାର୍ଶ୍ୱରେ ମୁତୟନ ହେବେ। ଏହି ଅଞ୍ଚଳରୁ ଋଷୀୟ ସେନା ପଛକୁ ହଟିଯାଇଛି। ଅନ୍ୟପଟେ ୟୁକ୍ରେନ ସେନା ଦେଶର ପୂର୍ବ ଭାଗରେ ଅବସ୍ଥିତ ଖେରସନ ସହରରେ ଉପସ୍ଥିତ ରହିଛି।


COMMERCIAL BREAK
SCROLL TO CONTINUE READING

ଋଷୀୟ ସେନା ଅପରେସନ୍ କମାଣ୍ଡର ଜେନେରାଲ ସର୍ଗେଇ ସୁରୋବିକିନ ଦାବି କରିଛନ୍ତି ଗତ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ୟୁକ୍ରେନ ସେନା ଖେରାସନ ଅଞ୍ଚଳରେ ଏହାର ୧୦ ହଜାରରୁ ଅଧିକ ସୈନିକଙ୍କୁ ହରାଇଛି। ଅନ୍ୟପଟେ ଋଷିଆ ସେନା ବହୁ କମ୍ ପରିମାଣର କ୍ଷତି ସହିଛି। ୟୁକ୍ରେନ ସୈନ୍ୟବାହିନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଆକ୍ରମଣାତ୍ମକ କାର୍ଯ୍ୟ ଜାରି ରଖିଛନ୍ତି। ଯଦିଓ ଋଷିଆ ଏହି କ୍ଷେତ୍ରରେ ନିଜର ସୈନ୍ୟ ଉପସ୍ଥିତି ବଜାୟ ରଖିଛି। ଋଷିଆ ଅଭିଯୋଗ କରିଛି ୟୁକ୍ରେନ ସେନା ଏବେ ମଧ୍ୟ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିଛି। ଖେରାସନ ହେଉଛି ଏକ କ୍ଷେତ୍ର ଯାହାକୁ ନିକଟରେ ଅନୁଷ୍ଠିତ ହୋଇଥିବା ଜନମତ ସଂଗ୍ରହ ମାଧ୍ୟମରେ ଋଷିଆ ଏହାର ନିୟନ୍ତ୍ରଣକୁ ନେଇଥିଲା।


ଏପରି ଏକ ବଡ଼ ନିଷ୍ପତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ଋଷିଆ ସାମରିକ ଅଧିକାରୀ ଲୋକଙ୍କୁ ତୁରନ୍ତ ଖେରାସନ ସହର ଛାଡିବାକୁ କହିଥିଲେ। ଗତ ୩ ନଭେମ୍ବରରେ ମୋସ୍କୋ ଦ୍ୱାରା ନିଯୁକ୍ତ ଜଣେ ଅଧିକାରୀ ଟେଲିଗ୍ରା ଜରିଆରେ ଏହି ବିଷୟରେ ଏକ ରେକର୍ଡ ହୋଇଥିବା ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଷ୍ଟ୍ରେମୋସେଭ ନାମକ ଜଣେ ଅଧିକାରୀ କହିଛନ୍ତି ଯେ ପରିସ୍ଥିତି ପ୍ରକୃତରେ ସହଜ ନୁହେଁ। ୟୁକ୍ରେନ ଦ୍ୱାରା କରାଯାଉଥିବା ପାଲଟା ଆକ୍ରମଣ ପରେ ହଜାର ହଜାର ସାଧାରଣ ନାଗରିକଙ୍କୁ ଖେରସନ ସହରରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। କେବଳ ଏତିକି ନୁହେଁ ଋଷିଆ ସେନା ଅଧିକାରୀମାନେ ଖେରାସନା ପ୍ରଶାସନ ଭବନରୁ ମଧ୍ୟ ପତାକା ମଧ୍ୟ ହଟାଇ ଦେଇଛନ୍ତି। ହେଲେ ପତାକା ହଟାଇବା ଭଳି ପଦକ୍ଷେପ ଦ୍ୱାରା ଆହୁରି ଅଧିକ  ଉତ୍ତେଜନା ସୃଷ୍ଟି ହୋଇପାରେ ବୋଲି ୟୁକ୍ରେନ କହିଛି। ଆମେ ବିଜୟ ଉତ୍ସବ ପାଳନ କରିବାକୁ ତତ୍ପର ନୁହେଁ ବୋଲି ୟୁକ୍ରେନ କହିଛି।


ଏହା ପୂର୍ବରୁ ୨୨ ଅକ୍ଟୋବରରେ ଋଷୀୟ ସେନା ଅଧିକାରୀ ଖେରାସନ ଅଞ୍ଚଳରେ ରହୁଥିବା ନାଗରିକଙ୍କୁ ସହର ଛାଡିବାକୁ କହିଥିଲେ। ଏନେଇ କୁହାଯାଉଥିଲା ଯେ ଖେରାସନ ସହରକୁ ଦଖଲ କରିବା ସମୟରେ ୟୁକ୍ରେନ ସେନା ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିପାରେ। ନିକଟରେ ଋଷିଆ ଦ୍ୱାରା ଦାବି କରାଯାଇଥିଲା ଯେ ୟୁକ୍ରେନ, ଡେନୋସ୍କ, ଲୁହାନସ୍କ, ଖେରାସନ ଏବଂ ଜାପୋରିଜିଆ ଭଳି ଚାରୋଟି ଅଞ୍ଚଳରେ ଜନମତ ସଂଗ୍ରହ କରାଯାଇଥିଲା। ଏନେଇ କୁହାଯାଇଥିଲା ଯେ ଏହି ଅଞ୍ଚଳର ଲୋକ ଋଷିଆ ପକ୍ଷରେ ଆସିବାକୁ ଚାହୁଁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖେରାସନ୍ ଅଞ୍ଚଳର ଲୋକ ନିଜ ଘର ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ଅନ୍ୟପଟେ ଋଷିଆ ୟୁକ୍ରେନ ବିରୋଧରେ ଆକ୍ରମଣକୁ ତୀବ୍ର କରିଛି। ଅନ୍ୟପଟେ ୟୁକ୍ରେନ ସେନା ଋଷିଆ ଦ୍ୱାରା କରାଯାଉଥିବା ଆକ୍ରମଣର ଜବାବ ଦେବା ଜାରି ରଖିଛି।