ତାଲିବାନକୁ ଜୋରଦାର ଝଟକା; ସୁରକ୍ଷାବଳ ଆକ୍ରମଣରେ ୨୪ ଆତଙ୍କବାଦୀ ନିହତ,୨୭ ଆହତ
ଆଫଗାନ ସୁରକ୍ଷାବଳ ଆକ୍ରମଣରେ ଥରହର ହୋଇଉଠିଛି ତାଲିବାନ।
କାନ୍ଦାହାର: ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଚଳାଇଥିବା ତାଲିବାନ ଆତଙ୍କାବାଦୀ ସଙ୍ଗଠନକୁ ଲାଗିଛି ଜୋରଦାର ଝଟକା । ଆଫଗାନ ସୁରକ୍ଷାବଳର ଭୟଙ୍କର ଆକ୍ରମଣରେ ୫୧ ତାଲିବାନ ଆତଙ୍କୀ ମୃତାହତ ହୋଇଥିବାର ଖବର ମିଳିଛି । ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ୨୪ ଆତଙ୍କବାଦୀ ନିପାତ ହୋଇଥିବା ବେଳେ, ଅନ୍ୟ ୨୭ ଆହତ ହୋଇଛନ୍ତି । ଏ ସମ୍ପର୍କରେ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ଥାନୀୟ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି।
ଗତ ଶୁକ୍ରବାର(ଜୁଲାଇ ୨୪) ଦେଶର ଜାବୁଲ ପ୍ରଦେଶସ୍ଥିତ ଅରଘାନଦାବ, ସିଙ୍କଜାଇ ଏବଂ ଶାହ ଜୋଇ ଜିଲ୍ଲାରେ ତାଲିବାନ- ଆଫଗାନ ସୁରକ୍ଷାବଳ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଏନେଇ ତାଲିବାନ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ। ଅନ୍ୟପଟେ ହେରାଟ ହେରାଟ ପ୍ରଦେଶର ଆଡ୍ରାକସନ ଜିଲ୍ଲାରେ ହୋଇଥିବା ହୋଇଥିବା ବିମାନ ଆକ୍ରମଣରେ ତାଲିବାନ ସଙ୍ଗଠନର ୬ ଜଣ ସ୍ଥାନୀୟ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ବାବଦରେ ଜଣାଇଛନ୍ତି ସ୍ଥାନୀୟ ଅଧିକାରୀ।
ଅନ୍ୟପଟେ ଆଡ୍ରାକସନ ବାସିନ୍ଦାଙ୍କ ପକ୍ଷରୁ କୁହାଯାଇଛି, ଏହି ଏୟାରଷ୍ଟ୍ରାଇକରେ ୮ ସାଧାରଣ ନାଗରିକ ପ୍ରାଣ ହରାଇବା ସହ ଅନ୍ୟ ୨୦ ଆହତ ହୋଇଛନ୍ତି। ଏହି ଆକ୍ରମଣ ସମ୍ପର୍କରେ ମତ ରଖି ଆଫଗାନିସ୍ତାନର କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ ଅସଦୁଲ୍ଲା ଖାଲିଦ କହିଛନ୍ତି, ହେରାଟ ପ୍ରଦେଶର କରାଯାଇଥିବା ଏୟାର ଷ୍ଟ୍ରାଇକରେ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଖୁବଶୀଘ୍ର ଏହାର ଭିଡିଓ ଫୁଟେଜ ଜାରି କରାଯିବ।