ଲକ୍ଷ୍ନୌ: ଦେଶରେ ଜାରି ରହିଛି କୋଭିଡ୧୯ ପ୍ରକୋପ । ବିଶ୍ୱ ମହାମାରୀ ଘୋଷିତ ହୋଇଥିବା କୋରୋନାର ମୁକାବିଲା ଲାଗି ଉଦ୍ୟମ ଜାରି ରଖିଛନ୍ତି କେନ୍ଦ୍ର ସମେତ ବିଭିନ୍ନ ରାଜ୍ୟ ସରକାର । ହେଲେ ଏବେ ଏକ ଅଜବ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଉତ୍ତର ପ୍ରଦେଶର ସମ୍ଭଲ ସଂସଦୀୟକ୍ଷେତ୍ରର ସମାଜବାଦ ପାର୍ଟି ସାଂସଦ ଡ.ଶଫିକୁର୍ର ରେହମାନ ବର୍କ (Doctor Shafiqur Rahman Barq)।


COMMERCIAL BREAK
SCROLL TO CONTINUE READING

ଏନେଇ ମତ ରଖି ସେ କହିଛନ୍ତି କୋରୋନା ଭାଇରସ କୌଣସି ରୋଗ ନୁହେଁ। ଆମେ କରିଥିବା ପାପର ଦଣ୍ଡ ଦେଉଛନ୍ତି ଆଲ୍ଲା । ତିନି ଦିନ ପୂର୍ବେ ଇଣ୍ଟରନେଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଏପରି କଥା କହୁଥିବାର ନଜର ଆସିଛନ୍ତି । କୋରୋନାକୁ ହରାଇବା ଲାଗି ଆଲ୍ଲାଙ୍କୁ କ୍ଷମା ମାଗିବା ହେଉଛି ସର୍ବୋତ୍ତମ ଉପାୟ । ଆଲ୍ଲା କ୍ଷମା କରିବା ପରେ ଆମେ କରୋନା ବିପଦରୁ ରକ୍ଷା ପାଇପାରିବା ।


ଇଦ ଉଲ ଜୁହା ଅବସରରେ ପ୍ରାର୍ଥନା କରିବାକୁ ନେଇ ଏକ ଅଦ୍ଭୂତ ବିବୃତ୍ତି ପ୍ରଦାନ କରିଛନ୍ତି। ମସଜିଦ ଏବଂ ଇଦଗାହାରେ ମୁସଲମାନଙ୍କ ପ୍ରାର୍ଥନା କରିବା ଉପରେ କଟକଣା ଲଗାଇବାକୁ ଭୁଲ ବୋଲି ଦର୍ଶାଇଛନ୍ତି ସେ। କାରଣ ଯେତେବେଳେ ଦେଶର ସମସ୍ତ ମୁସଲମାନ ମସଜିଦରେ ପ୍ରାର୍ଥନା କରିବେ, ସେତେବେଳେ ଏହି ଦେଶ ରକ୍ଷା ପାଇବ। ଦେଶର ସମସ୍ତ ମୁସଲମାନ ମସଜିଦରେ ପ୍ରାର୍ଥନା ନକଲେ କରୋନା ମହାମାରୀକୁ ରୋକା ଯାଇ ପାରିବ ନାହିଁ ବୋଲି ଡ.ଶଫିକୁର୍ର ରେହମାନ ବର୍କ ଦାବି କରିଛନ୍ତି।



ଏସପି ସାଂସଦ ସ୍ପଷ୍ଟ ଭାବେ ଧମକ ଦେଇଛନ୍ତି ମୁସଲମାନଙ୍କୁ ନମାଜ ପଢିବାରେ କେହି ରୋକି ପାରିବେ ନାହିଁ। ଇଦ୍ ଉଲ୍ ଜୁହା ଅବସରରେ ପଶୁ ବିକ୍ରିକୁ ନିଷିଦ୍ଧ କରିଥିବାରୁ ସମ୍ଭଲ ସାଂସଦ ଜିଲ୍ଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଯୁକ୍ତି କରିଛନ୍ତି ଯେ ଇଦ୍ ଉଲ୍ ଜୁହା ଇସଲାମ ଧର୍ମାବଲମ୍ବୀଙ୍କ ଲାଗି ଏକ ବଡ ପର୍ବ, ଯେତେବେଳେ ମୁସଲମାନ ପଶୁ କିଣି ପାରିବେ ନାହିଁ ସେତେବେଳେ ସେମାନେ କିପରି ଏହି ପର୍ବ ପାଳନ କରିବେ। ପଶୁ ବଜାର ଖୋଲିବା ନେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗା ଯାଇଥିବା ପ୍ରତିବନ୍ଧକକୁ ହଟାଇବା ଦରକାର।


କୋରୋନା ସଂକଟକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟର ସମସ୍ତ ମସଜିଦରେ ଇଦ ଉଲ ଜୁହା ଅବସରରେ ସାମୂହିକ ପ୍ରାର୍ଥନା କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମସଜିଦରେ କେବଳ ୫ ଜଣଙ୍କୁ ନମାଜ ଅର୍ପଣ କରିବାକୁ ଅନୁମତି ଦିଆଯାଇଛି। ଯାହାକୁ ନେଇ ସମ୍ଭଲ ସାଂସଦ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଉପରେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି।


ଶୁକ୍ରବାର ଏସପି ସାଂସଦ ମୌଲନା ଏବଂ ମୁସଲମାନ ନେତାଙ୍କ ସହ ଡିଏମ ଅବିନାଶ କୃଷ୍ଣ ସିଂ ଏବଂ ଏସପି ଯମୁନା ପ୍ରସାଦଙ୍କ ସହ ସାକ୍ଷାତ କରି ଇଦ ଉଲ ଜୁହା ଅବସରରେ ମସଜିଦରେ ପ୍ରାର୍ଥନା କରିବାକୁ ଅନୁମତି ମାଗିଥିଲେ । ହେଲେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ କାହାକୁ କୌଣସି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସମ୍ଭଲ ସାଂସଦଙ୍କୁ ଜଣାଇଦେଇଛି ଜିଲ୍ଲା ପ୍ରଶାସନ।