ଚେନ୍ନାଇ: ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ସରକାର ତତ୍ପରତା ଦେଖାଇଛନ୍ତି। ପ୍ରତିବର୍ଷ ଶହ ସହ ସଂଖ୍ୟାରେ ଜନ୍ତୁ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି। ବିଶେଷ କରି ଟ୍ରେନ ଦୁର୍ଘଟଣାରେ ହାତୀଙ୍କର ଅଧିକ ମୃତ୍ୟୁ ହୋଇଥାଏ। ଏହାକୁ ରୋକିବା ପାଇଁ ତାମିଲନାଡୁ ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିପାଇଁ ବନ ବିଭାଗ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ସିଷ୍ଟମ ବ୍ୟବହାର କରିବ। ଏହି ପ୍ରଜେକ୍ଟରେ ୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ତାମିଲନାଡୁର ଜଣେ ବରିଷ୍ଠ ବନାଧିକାରୀ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

କୋଇମ୍ବୋଟୁର ଜିଲ୍ଲାର ମୁଦୁକାରାଇ ଓ ୱାଲାୟାରର ଟ୍ରାକ ମଧ୍ୟରେ AI ସିଷ୍ଟମ ଲାଗିବ। ଏଥିପାଇଁ ସାତ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମୁଦୁକାରାଇ ରେଞ୍ଜରେ ଦୁଇଟି ରେଳ ଲାଇନ ଯାଇଛି। ଗୋଟିଏ ରେଳ ଲାଇନ ୧.୮ କିମି ଓ ଅନ୍ୟଟି ୨.୮ କିମି ରହିଛି। ଏହି ଅଞ୍ଚଳରେ ଅନେକ ହଟସ୍ପଟ୍ ରହିଥିବା ବେଳେ ଗତ ୫ ବର୍ଷରେ ୮ରୁ ଊର୍ଦ୍ଧ୍ୱ ହାତୀଙ୍କ ମୃତ୍ୟୁ ହୋଇଛି। ବନ ବିଭାଗ ପକ୍ଷରୁ AI ସିଷ୍ଟମ ଲଗାଇବା ନିମନ୍ତେ ଟେଣ୍ଟର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ବିଡ୍ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୮ ତାରିଖ ନିର୍ଦ୍ଧାରିତ କରାଯାଇଥିବା ସୂଚନା ମିଳିଛି।  


Also Read: ରାଜ୍ୟରେ ଆଜି ବି ପ୍ରବଳ ବର୍ଷିବ! ୧୨ ଜିଲ୍ଲା ପାଇଁ ରେଡ୍ ଓ ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ


AI ସିଷ୍ଟମ କିପରି କାର୍ଯ୍ୟ କରେ?


ତାମିଲନାଡୁ ବନ ବିଭାଗ ଓ ରେଳବାଇ ପକ୍ଷରୁ ୧୩ କିମିର ଦୁର୍ଘଟଣା ପ୍ରବଣ ଟ୍ରାକ୍ ଚିହ୍ନଟ କରାଯାଇଛି। ଚିହ୍ନଟ ଅଞ୍ଚଳରେ ହାତୀଙ୍କ କରିଡର ରହିଛି। ଆଉ ସେହି ସବୁ ଅଞ୍ଚଳ ଗୁଡିକରେ AI ସିଷ୍ଟମ ଲଗାଇବାକୁ ପ୍ରସ୍ତବା ରହିଛି। ହାତୀ କରିଡରକୁ ଚିହ୍ନଟ କରାଯାଇ ତାହାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଟ୍ରେନ ଟ୍ରାକର ମଧ୍ୟ ଭାଗରୁ ୫୦ ମିଟର ପରିଧିକୁ ରେଡ୍ ଜୋନ, ତହା ପର ୫୦ ମିଟରକୁ ଅରେଞ୍ଜ ଜୋନ ଓ ପରବର୍ତ୍ତୀ ୫୦ ମିଟରକୁ ୟୋଲ ଜୋନ ଭାବେ ନିର୍ଦ୍ଧାରିତ କରାଯାଇଛି। ଚିହ୍ନଟ ହୋଇଥିବା ଅଞ୍ଚଳରେ ସେନସର ଟାୱାର ନିର୍ମାଣ କରାଯିବା ସହ କୋନସୋଲ ରୁମର ମଧ୍ୟ ବ୍ୟବସ୍ଥା ହେବ। 


AI ସିଷ୍ଟମ ମାଧ୍ୟମରେ ନିର୍ଦ୍ଧାରିତ ଇଲାକାରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବ। ଉଭୟ ଆଲୋକୀକରଣ ଓ ଶବ୍ଦ ମାଧ୍ୟମରେ ଆଲର୍ଟ କରାଯିବ। ହାତୀମାନେ ଯଦି ୟେଲୋ ଜୋନରେ ପ୍ରବେଶ କରନ୍ତି ତେବେ କୋନସୋଲ ରୁମ ଓ ଡ୍ୟୁଟିରେ ଥିବା  ଫରେଷ୍ଟ ଗାର୍ଡଙ୍କୁ ଏହାର ସୂଚନା ମିଳିବ। ଆଉ ଅରେଞ୍ଜ ଜୋନରେ ପଶିଲେ ରେଞ୍ଜର ସହ ନିକଟସ୍ଥ ଷ୍ଟେସନ ମାଷ୍ଟରଙ୍କୁ ଆଲର୍ଟ ମେସେଜ୍ ଯିବ। ହାତୀ ରେଡ୍ ଜୋନରେ ପ୍ରବେଶ କରିଲେ ଜିଲ୍ଲା ବନାଧିକାରୀଙ୍କ ସମେତ ରେଳବାଇର ଡିଭିଜନାଲ ଇଂଜିନିୟରଙ୍କୁ ସତର୍କ ବାର୍ତ୍ତା ପଠାଯିବ। ସେମାନେ ରେଳର ଲୋକ ପାଇଲଟଙ୍କ ସହ ଆଗୁଆ ଯୋଗାଯୋଗ କରିବେ। ଫଳରେ ଦୁର୍ଘଟଣାକୁ ରୋକା ଯାଇପାରିବ।