CM candidate in Andhra Pradesh : ଆଜି  ଆନ୍ଧ୍ର ଓ ଓଡିଶାରେ ନୂଆ ସରକାର ଗଠନ ହେବାକୁ ଯାଉଛି । ଉଭୟ ରାଜ୍ୟରେ ଏଥର କ୍ଷମତା ପରିବର୍ତ୍ତନ ମଧ୍ୟ ହୋଇଛି । ଓଡିଶାରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ପଦ ନେଇ ଚୟନ ହୋଇଥିବା ବେଳେ ଆନ୍ଧ୍ରରେ ତେଲଗୁ ଦେଶମ ପାର୍ଟି ‘ଟିଡିପି’ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ‘ଏନଡିଏ’ ନବନିର୍ବାଚିତ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିଛନ୍ତି । ଆଜି ନାଇଡୁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେବେ ।


COMMERCIAL BREAK
SCROLL TO CONTINUE READING

ଗତକାଲି( ମଙ୍ଗଳବାର )ବିଜୟଓ୍ବାଡାରେ ‘ଏନଡିଏ’ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ନେତା ଭାବେ ଚନ୍ଦ୍ରବାବୁଙ୍କ ନାମ ପ୍ରସ୍ତାବ ରଖାଯାଇଥିଲା ଓ ଏହାକୁ ମେଣ୍ଟର ସମସ୍ତ ଦଳ ଓ ନିର୍ବାଚିତ ବିଧାୟକମାନେ ସମର୍ଥନ କରିଥିଲେ । ପୂର୍ବରୁ ମଧ୍ୟ ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ଥିଲା । ନାଇଡୁ ମୁଖ୍ୟମନ୍ତ୍ରୀ ଥିବା ଏକ ପ୍ରକାର ନିଶ୍ଚିତ ଥିବା ବେଳେେ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ, ଶପଥ ଗ୍ରହଣର ପୂର୍ବରୁ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ଚଳିତଥର ଦୀର୍ଘ ବ୍ୟବଧାନ ପରେ ଚନ୍ଦ୍ରବାବୁଙ୍କ ପାର୍ଟି ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟକୁ ଫେରିଥିଲେ । ଅଭିନେତା ପବନ କଲ୍ୟାଣଙ୍କ ଜନସେନା ପାର୍ଟି, ବିଜେପି ଓ ଟିଡିପି ଏକତ୍ର ନିର୍ବାଚନ ଲଢିଥିଲେ ।
 ପ୍ରତିପକ୍ଷରେ ମୁଖ୍ୟମନ୍ତ୍ରୀ ଜଗନଙ୍କ ଓ୍ବାଇଏସଆର କଂଗ୍ରେସ ଏକାକୀ ନିର୍ବାଚନ ଲଢିଥିଲା । ନିର୍ବାଚନରେ ଏନଡିଏ ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ଟିଡିପି ଏକାକୀ ମଧ୍ୟ ସଂଖ୍ୟା ବହୁମତ ଅତିକ୍ରମ କରିଥିଲା ।


ତେବେ ୧୭୫ ଆସନ ମଧ୍ୟରୁ ଟିଡିପି ଏକାକୀ ୧୩୫ ଆସନ ଜିତିଛି । ପବନ କଲ୍ୟାଣଙ୍କ ଦଳ ୨୧ ଓ ବିଜେପି ୮ ସିଟରେ ବିଜୟୀ ହୋଇଛି । ଏନଡିଏ ମେଣ୍ଟ ନିକଟରେ ୧୬୪ ଥିବା ବେଳେ ବିଦାୟୀ ଶାସକ ଦଳ ଓ୍ବାଇଏସଆର-କଂଗ୍ରେସ ନିକଟରେ ମାତ୍ର ୧୧ଟି ଆସନ ରହିଛି ।ପ୍ରକାଶ ଥାଉ ଯେ ,ଘୋଟାଲା ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଚନ୍ଦ୍ରବାବୁ ନାଇଡୁ ଏବେ ବେଲରେ ଆସି ନିର୍ବାଚନ ଲଢିଥିଲେ । ପ୍ରଚଣ୍ଡ ବହୁମତ ସହ ସେ ନିର୍ବାଚନ ଜିତି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏଥିରେ ପବନ କଲ୍ୟାଣଙ୍କ ପାର୍ଟିକୁ ମଧ୍ୟ ଏକାଧିକ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଜି ଓଡିଶା ଓ ଆନ୍ଧ୍ରରେ ହେବାକୁ ଥିବା ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିବେ।