Gold(ଭୁବନେଶ୍ୱର) : କୁହାଯାଏ ନିଜ ଘରେ ସୁନା ଅଧିକ ସୁରକ୍ଷିତ। ଏଥିଲାଗି ଧନତେରାସରେ ସୁନା କିଣିବାକୁ ଯେମିତି ଦୋକାନ ଲୋକଙ୍କ ଭିଡ଼ ଲାଗୁଛି ସେମିତି ଦେଶକୁ ସମୃଦ୍ଧ କରିବା ଲାଗି ଭାରତ ନିଜ ମାଟିକୁ ଫେରାଇ ଆଣିଛି ୧୦୨ ଟନ ସୁନା। ଅନେକ ବର୍ଷ ହେଲା ଇଂଲଣ୍ଡ ବ୍ୟାଙ୍କର ବହୁ ସୁରକ୍ଷିତ ଭଲ୍ଟ ବା ପ୍ରକୋଷ୍ଠରେ ଏହି ସୁନା ଗଚ୍ଛିତ ଥିଲା। ଯାହା ଭାରତର ବୈଦେଶିକ କାରବାରେ ସହାୟକ ହେଉଥିଲା। ଏଥିଲାଗି ଭାରତ ବ୍ୟାଙ୍କ ଅଫ୍‍ ଇଂଲଣ୍ଡକୁ ଅନେକ ଦେୟ ମଧ୍ୟ ପ୍ରଦାନ କରୁଥିଲା। ଏବେ ଏହି ବିପୁଳ ସୁନାକୁ ସୁରକ୍ଷିତ ଭାବେ ନିଜ ମାଟିରେ ପହଞ୍ଚାଯାଇଛି।  ଏହି ସୁନାକୁ ଦେଶର ଗୋପନୀୟ ସୁରକ୍ଷିତ ସ୍ଥାନଗୁଡ଼ିକରେ ମହଜୁଦ କରିବା ପ୍ରକ୍ରିୟା ବି ଶେଷ ହୋଇଥିବା ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

୨୦୨୨ ମସିହା ସେପ୍ଟମ୍ବରରେ ମଧ୍ୟ ଏହିଭଳି ସୁନା ସ୍ଥାନାନ୍ତର ହୋଇଥିଲା। ସେତେବଳେ ୨୧୪ ଟନ୍‍ ସୁନା ଦେଶକୁ ଅଣାଯାଇଥିଲା। ଚଳିତ ବର୍ଷ ସେପ୍ଟମ୍ବର ଶେଷ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ସମୁଦାୟ ୮୫୫ ଟନ୍‍ ମହଜୁଦ ଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏଥିରୁ ୫୧୦.୫ ଟନ୍‍ ସୁନା ଦେଶ ଭିତରେ ରହିଥିବା ବେଳେ ବାକି ସୁନା ବାହାର ଦେଶରେ ରହିଥିଲା। ବିଶ୍ୱରେ ସୃଷ୍ଟି ହୋଇଥିବା ନୂଆ କ୍ଷମତା ସମୀକରଣ ଏବଂ ବଦଳୁଥିବା ବିଶ୍ୱରାଜନୀତିରେ ବିଦେଶରେ ସୁନା ମହଜୁଦ କରି ରଖିବା ଅପେକ୍ଷା ନିଜ ଦେଶର ସୁରକ୍ଷିତ ସ୍ଥାନରେ ରଖିବାକୁ ଅଧିକ ପସନ୍ଦ କରିଛି ଭାରତ। ୧୯୯୦ ମସିହାରେ ପ୍ରଥମଥର ପାଇଁ ଆମ ଦେଶରୁ ସୁନା ବାହାର ଦେଶକୁ ପଠାଯାଇଥିଲା। ସେତେବଳେ ଦେଶରଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ଏହର ଆବଶ୍ୟକତା ଥିଲା। ଏଣୁ ଭାରତ ସରକାର ବାଧ୍ୟ ହୋଇ ବିଦେଶକୁ ସୁନା ପଠାଇଥିଲେ। 


ଦେଶକୁ ସୁନା ଆଣିବା ପ୍ରକ୍ରିୟା ଏକ ଅତ୍ୟନ୍ତ ଗୋପନୀୟ ପ୍ରକ୍ରିୟା। ସ୍ୱତନ୍ତ୍ର ବିମାନ ଏବଂ କଡ଼ା ସୁରକ୍ଷା ଭିତରେ ଏହି ସୁନା ଦେଶକୁ ଅଣାଯାଇଛି। 
ଏବେ ଆହୁରି ୩୧୦ ଟନ୍‍ ସୁନା ବ୍ୟାଙ୍କ ଅଫ୍‍ ଇଂଲଣ୍ଡର ନିରାପଦ ଲକରରେ ରହିଛି। ଆନ୍ତର୍ଜାତିକ କାରବାରରେ ଏହି ଗଚ୍ଛିତ ସୁନା ବିଶେଷ ସହାୟକ ହୋଇଥାଏ। ଭାରତ ପରି ଆଉ କିଛି ଦେଶର ସୁନା ମଧ୍ୟ ଏହି ବ୍ୟାଙ୍କରେ ସୁରକ୍ଷିତ ରହିଛି। ଏହା ବିଶ୍ୱର ଦ୍ୱିତୀୟ ବୃହତ୍‍ ସୁନା ଲକର ଭାବେ ଗ୍ରହଣ କରାଯାଏ। ୧୬୯୭ ମସିହାରେ ଏହାକୁ ନିର୍ମାଣ କରାଯାଇଥିଲା। ସେତେବଳେ ଏହାକୁ ବୁଲିୟନ ଗୋଦାମ ବୋଲି କୁହାଯାଉଥିଲା। ସେପ୍ଟମ୍ବର ମାସରେ ଏହି ବୁଲିୟନ ଓ୍ୱେର ହାଉସରେ ପାଖାପାଖି ୫ହଜାର ୩୫୦ ଟନ୍‍ ସୁନା ରହିଥିବା ସୂଚନା ମିଳିଛି। 


ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ଭାରତ ନିକଟ ଅତୀତରେ ନିଜର ଗଚ୍ଛିତ ସୁନା ପରିମାଣ ବଢ଼ାଇଛି। ସେମ୍ପଟମ୍ବର ମାସରେ ଭାରତର ସମୁଦାୟ ବୈଦେଶିକ ବିନିମୟର ୯.୩ ପ୍ରତିଶତ ସୁନା ରହିଛି।  ମାର୍ଚ୍ଚ ମାସରେ ଏହା ୮.୧ ପ୍ରତିଶତ ଥିଲା।  ମାର୍ଚ୍ଚ ୨୦୨୨ ମସିହାରେ ଭାରତର ସମୁଦାୟ ଗଚ୍ଛିତ ସୁନା ପରିମାଣ ୭୬୦.୪ ମେଟ୍ରିକଟନ୍‍ ଥିଲା। ସେଥିରୁ ୨୯୫.୮ ମେଟ୍ରିକ୍‍ ଟନ୍‍ ଭାରତରେ ରହିଥିବା ବେଳେ ବାକି ସୁନା ବ୍ୟାଙ୍କ ଅଫ୍‍ ଇଂଲଣ୍ଡରେ ରହିଥିଲା।