କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି, ଆସନ୍ତାକାଲି ଶେଷକୃତ୍ୟ
ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଶେଷଦର୍ଶନ ପରେ ଜନ୍ମମାଟି ବିହାର ଯିବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ପାର୍ଥିବ ଶରୀର.
ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ପ୍ରତିଷ୍ଠାତା ରାମବିଳାସ ପାସୱାନଙ୍କ ଶେଷ ଦର୍ଶନ। ରଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶୋକସନ୍ତପ୍ତ ପରିବାରକୁ ବି ସମବେଦନା ଜଣାଇଛନ୍ତି।
ଏମ୍ସରୁ ଆଣାଯାଇ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ପାର୍ଥିବ ଶରୀରକୁ ତାଙ୍କ ସରକାରୀ ଭାସଭବନରେ ରଖାଯାଇଛି। ନେତା ମନ୍ତ୍ରୀଙ୍କ ସହ ଅନେକ ଭିଭିଆଇପି, ଭିଆଇପି ତାଙ୍କର ଶେଷ ଦର୍ଶନ କରିଛନ୍ତି। କୋରୋନା ସଂକ୍ରମଣ ପାଇଁ ପାସୱାନଙ୍କ ଘରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ତେବେ ପାସୱାନଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀ ନୁହେଁ ବିହାରରେ ହେବ ବୋଲି ସୂଚନା ମିଳିଛି। ଆଜି ସନ୍ଧ୍ୟା ୫ଟା ବେଳେ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀରକୁ ପାଟନା ନିଆଯିବ। ସାଥିରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବି ବିହାର ଯିବା ଯୋଜନା ରହିଛି।
ଆଜି ସଂଧ୍ୟା ସାଢେ ୬ଟାରେ ପାସୱାନଙ୍କ ପାର୍ଥିବ ଶରୀର ପହଞ୍ଚିଲା ପରେ ପାଟନା ଏୟାର ପୋର୍ଟରେ ଶୋକ ସଭା ଅନୁଷ୍ଠିତ ହେବ। ପରେ ସେଠାରୁ ବିହାର ବିଧାନସଭାକୁ ନିଆଯିବ। ପରେ ଆସନ୍ତାକାଲି ରାଷ୍ଟ୍ରୀୟ ସମ୍ମାନ ସହ ଦିଘା ସସ୍ମାନଘାଟରେ ଶେଷକୃତ୍ୟ ହେବ। ଏହି ସମୟରେ ଯେପରି କୋରୋନା ନିୟମ ଉଲ୍ଲଙ୍ଘନ ନ ହୁଏ ତାହାକୁ ଗୁରୁତ୍ୱ ଦିଆଯିବ।
ଗୁରୁବାର ରାତିରେ ୭୪ ବର୍ଷୀୟ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ପରଲୋକ ହୋଇଛି । ଦୀର୍ଘଦିନରୁ ସେ ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ୧୯୪୬ ମସିହା ଜୁଲାଇ ୫ ତାରିଖରେ ଜନ୍ମିତ ରାମବିଲାସ ପାସୱାନ ପ୍ରାୟ ୫ ଦଶନ୍ଧି ଯାଏ ଭାରତୀୟ ରାଜନୀତିରେ ସକ୍ରୀୟ ଥିଲେ। ସେ ଜଣେ ସମାଜବାଦୀ ଓ ଦଳିତ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଯୁପିଏ ହେଉ କି ଏନଡିଏ ସମସ୍ତଙ୍କ ସରକାରରେ ପାସୱାନ ମନ୍ତ୍ରୀ ହୋଇଥିଲେ।
୧୯୬୯ ବିହାର ବିଧାନସଭା ନିର୍ବାଚନରେ ପ୍ରଥମଥର ରାମବିଳାସ ପାସୱାନ ବିଜୟ ହୋଇଥିଲେ। ୮ ବର୍ଷ ବିଧାୟକ ରହିବା ପରେ ୧୯୭୭ରେ ସଂସଦରେ ପ୍ରବେଶ କରିଥିଲେ ରାମବିଳାସ। ଆଉ ଏଇଥିପାଇଁ ଖୋରାକ ଯୋଗାଇଥିବା ଏମର୍ଜେନ୍ସି। ସେ ବିଧାୟକ ଥିବା ବେଳେ ଇନ୍ଦିରା ଗାନ୍ଧୀଙ୍କ ଏମର୍ଜେନ୍ସି ନିଷ୍ପତ୍ତିକୁ ଘୋର ବିରୋଧ କରିବା ସହ ଆନ୍ଦୋଳନ କରିଥିଲେ।
୧୯୭୭ ଲୋକସଭା ନିର୍ବାଚନରେ ସେ ବିହାରର ହାଜିପୁର ଲୋକସଭା ଆସନରୁ ପ୍ରାୟ ସାଢେ ୫ ଲକ୍ଷ ଭୋଟରେ ନିର୍ବାଚନ ଜିତିଥିଲେ । ସେବେଠାରୁ ସେ ଆଉ ପଛକୁ ଚାହିଁ ଦେଖିନାହିନ୍ତି। ଲଗାତାର ୮ ଥର ଲୋକସଭା ନିର୍ବାଚନ ଜିତିଥିବା ରାମବିଳାସ ପାସୱାନ ସବୁ ସରକାରରେ ଜଣେ କିଙ୍ଗ ମେକର ଭୂମିକା ତୁଲାଇ ଆସିଛନ୍ତି ।
୨୦୦୦ ମସିହାରେ ରାମବିଳାସ ପାସୱାନ ଲୋକ ଜନକା ପାର୍ଟ୍ଟି(ଏଲଜେପି) ପ୍ରତିଷ୍ଠା କରିଥିଲେ। ଏହାର ବର୍ଷେ ନ ପୁରୁଣୁ ପ୍ରଥମ ଏନଡିଏ ସରକାରରେ ତାଙ୍କୁ ମନ୍ତ୍ରୀପଦ ମିଳିଥିଲା। କିନ୍ତୁ ୨୦୦୪ରେ ପାସୱାନ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧିନ ଏନଡିଏ ଛାଡି ୟୁପିଏରେ ସାମିଲ ହୋଇଥିଲେ। ଆଉ ୨୦୦୪ରେ କଂଗ୍ରେସ କ୍ଷମତାକୁ ଆସିଲା ପରେ ସେ ଲଗାତାର ୧୦ ବର୍ଷ କାଳ ମନମୋହନ ସରକାରରେ ମନ୍ତ୍ରୀ ହେଲେ।
୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ପୁଣି ଥରେ ଏନଡିଏରେ ଯୋଗ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଏଲଜେପି ବିହାରରେ ୬ଟି ଲୋକସଭା ଆସନ ହାତେଇଥିଲା । ଗତ ଲୋକସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରି ରାଜ୍ୟସଭାର ସଦସ୍ୟ ହୋଇଥିଲେ।