UP dengue patient death case, ଲକ୍ଷ୍ନୌ: ପୁଣି ଥରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲା ଚର୍ଚ୍ଚାକୁ ଆସିଛି। ପ୍ରୟାଗରାଜର ଏକ ଡାକ୍ତରଖାନା ବିରୋଧରେ ଅଭିଯୋଗ ହୋଇଥିଲା ଯେ, ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ସାଲାଇନରେ ମୋସାମ୍ବି ରସ ଦିଆଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ, ରୋଗୀଙ୍କୁ ମୋସାମ୍ବି ରସ ନୁହଁ ବରଂ ଖରାପ ପ୍ଲେଟଲେଟ ଚଢାଯାଇଥିଲା। ବର୍ତ୍ତମାନ ଡାକ୍ତରଖାନା ସିଲ୍ ଥିବା ବେଳେ ତାର ଲାଇସେନ୍ସ ରଦ୍ଦ ହୋଇପାରେ। ଅନ୍ୟପଟେ ହସ୍ପିଟାଲ ଉପରେ ବୁଲଡୋଜର ଚଲାଇବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।


COMMERCIAL BREAK
SCROLL TO CONTINUE READING

ବୁଧବାର ପ୍ରୟାଗର ଜିଲ୍ଲାପାଳ ସଞ୍ଜୟ ଖତ୍ରି କହିଛନ୍ତି ଯେ, ସେମାନେ ଜାଣିବାକୁ ପାଇଲେ ଯେ ରୋଗୀଙ୍କୁ ମୋସାମ୍ବି ରସ ନୁହଁ ଖରାପ ପ୍ଲେଟଲେଟ୍ ଦିଆଯାଇଛି। ସେ କହିଛନ୍ତି, "ଘଟଣାର ତଦନ୍ତ ପାଇଁ ଆମେ ଏକ ତିନି ଜଣିଆ ଟିମ୍ ଗଠନ କରିଥିଲୁ। ସେମାନଙ୍କ ରିପୋର୍ଟରୁ ଜଣାପଡିଛି ଯେ, ରୋଗୀଙ୍କୁ ଖରାପ ପ୍ଲାଲେଟ୍ ଦିଆଯାଇଛି। ଆମେ ଏହି ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ।" ସେପଟେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶରେ ଡାକ୍ତରଖାନାକୁ ସିଲ୍ କରାଯାଇଥିଲା ଏବଂ ଅନଧିକୃତ ନିର୍ମାଣ ପାଇଁ ତାକୁ ଭଙ୍ଗାଯିବା ବିଜ୍ଞପ୍ତି ପ୍ରଦାନ କରାଯାଇଛି। ସେପଟେ ଗ୍ଲୋବାଲ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ ବୋଲି ପ୍ରୟାଗରାଜ ବିକାଶ ପ୍ରାଧିକରଣ (ପିଡିଏ) ନୋଟିସ ଜାରି କରିଛି।


Also Read: ଅନ୍ଧକାରର ଜଞ୍ଜିରରୁ ମୁକୁଳି ପାରୁନି ମାଲକାନଗିରି, ସ୍ୱାଭିମାନୀ ପାଇଁ ଅଭିଶାପ ପାଲଟିଛି ଗୁଣି ଗାରେ


ଅନ୍ୟପଟେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରୋଗୀଙ୍କ ସମ୍ପର୍କୀୟ ନିଜେ ପ୍ଲାଟଲେଟ୍ ଆଣି ଥିଲେ ବୋଲି ସେମାନେ କହିଛନ୍ତି। ଡାକ୍ତରଖାନାର ମାଲିକ କହିଛନ୍ତି ଯେ, ରୋଗୀର ପ୍ଲାଲେଟ୍ ସ୍ତର ୧୭୦୦୦କୁ ଖସି ଆସିଥିଲା, ଏହା ପରେ ତାଙ୍କ ସମ୍ପର୍କୀୟଙ୍କୁ ରକ୍ତ ପ୍ଲେଟଲେଟ୍ ଯୋଗାଡ କରିବାକୁ କୁହାଯାଇଥିଲା। ଡାକ୍ତରଖାନା ମାଲିକ ଏକ ବିବୃତ୍ତିରେ କହିଛନ୍ତି ଯେ "ରୋଗୀର ସମ୍ପର୍କୀୟମାନେ ସରକାରୀ ଡାକ୍ତରଖାନାରୁ ପାଞ୍ଚ ୟୁନିଟ୍ ପ୍ଲାଟଲେଟ୍ ଆଣିଥିଲେ। ତିନି ୟୁନିଟ୍ ଟ୍ରାନ୍ସଫର ହେବା ପରେ ରୋଗୀ ଠାରେ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥିଲା। ତେଣୁ ତାଙ୍କୁ ଆଉ ପ୍ଲେଟଲେଟ୍ ଚଢାଗଲା ନାହିଁ।"


ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୫ରେ ପ୍ରଦୀପ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କୁ ଡେଙ୍ଗୁ ହୋଇଥିଲା। ପରିବାର ସଦସ୍ୟ ପ୍ରଦୀପଙ୍କୁ ଜାଲୱାସ୍ଥିତ ଗ୍ଲୋବାଲ ହସ୍ପିଟାଲ ଏବଂ ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲେ। ଅକ୍ଟୋବର ୧୬ରେ ପ୍ରଦୀପଙ୍କୁ ତିନି ୟୁନିଟ୍ ପ୍ଲେଟଲେଟ୍ ଦିଆଯାଇଥିଲା। ପ୍ଲେଟଲେଟ ଟ୍ରାନ୍ସଫ୍ୟୁସନ ବେଳେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତା’ପରେ ଖବର ଆସିଲା ଯେ, ୧୯ ଅକ୍ଟୋବରରେ ପ୍ରଦୀପଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଗ୍ଲୋବାଲ ହସ୍ପିଟାଲରେ ପ୍ରଦୀପଙ୍କୁ ପ୍ଲେଟଲେଟ୍ ବଦଳରେ ମୋସାମ୍ବି ରସ ଚଢାଇଛନ୍ତି। ଏହି କାରଣରୁ ତାଙ୍କର ଶିରା ଫାଟିଗଲା ଓ ସେ ପ୍ରାଣ ହରାଇଲେ। ଏହି ମାମଲା ପରେ ନକଲି ପ୍ଲେଟଲେଟ ଯୋଗାଉଥିବା ଅଭିଯୋଗରେ ୧୦ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।