Heavy Rain Alert: ବେଙ୍ଗାଲୁରୁ: ତମାମ ଦେଶରେ ଏବେ ମୌସୂମୀ (Mansoon) ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେଉଛି। ଓଡ଼ିଶା (Odisha), ଛତିଶଗଡ଼ (Chhattisgarh), ମହାରାଷ୍ଟ୍ର (Maharastra), କର୍ଣ୍ଣାଟକରେ (Karnatak) ଲଗାଣ ବର୍ଷା ଫଳରେ ସ୍ଥିତି ବେହାଲ ହୋଇଛି। ଲଗାଣ ବର୍ଷା କାରଣରୁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବନ୍ୟା ସ୍ଥିତି ଉପୁଜିଛି। ସ୍ଥିତି ଏପରି ହୋଇଛି ଯେ ରାସ୍ତାରେ ଲୋକମାନେ ଡଙ୍ଗା ଚଳାଉଥିବା ବେଳେ ଘରେ ଘରେ ଏବେ ପାଣି ପଶିଯାଇଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ପ୍ରବଳ ବର୍ଷା କାରଣରୁ ବେଙ୍ଗାଲୁରୁ ସହର ଜଳମଗ୍ନ ହୋଇ ପଡ଼ିଛି। ଘର, ରାସ୍ତାଘାଟ, ସବୁଆଡ଼େ ଜଳମଗ୍ନ ହୋଇପଡ଼ିଛି। ଏଭଳି ସ୍ଥିତି ହୋଇଛି ଯେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆହୁରି ମଧ୍ୟ ସହରର ଅଧିକାଂଶ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଡଙ୍ଗା ବ୍ୟବହାର କରାଯାଇଥିବା ଜଣାପଡ଼ିଛି। 


ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଓ୍ୱାର୍ଥୁର ଉପନଗର ଅଞ୍ଚଳରେ ଲୋକମାନଙ୍କ ସୁବିଧା ଅନୁଯାୟୀ ଡଙ୍ଗାର ବ୍ୟବସ୍ଥା କରାଯାଇଛି। ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ବେଲାନ୍ଦୁର, ସରଜାପୁରା ରୋଡ଼, ହ୍ୱାଇଟ ଫିଲ୍ଡ, ଆଉଟର ରିଙ୍ଗରୋଡ଼ ଓ ବିଇଏମଏଲ ଲେଆଉଟ ସାମିଲ ରହିଛନ୍ତି। ଏହା ବ୍ୟତୀତ ସହରର ଅଧିକାଂଶ ଛକ ଗୁଡ଼ିକରେ ଟ୍ରାଫିକ ଜାମ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଗୋଟିଏ ସପ୍ତାହ ମଧ୍ୟରେ ଏପରି ଦ୍ୱିତୀୟ ଥର ପାଇଁ ସମସ୍ୟା ଉପୁଜିଛି। 


ପାଣିପାଗ ବିଭାଗ କହିଛି କି ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ବେଙ୍ଗାଲୁରୁ ଓ ଅନ୍ୟ ଉପକୂଳବର୍ତ୍ତି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଶିବମୋଗା, ଉତ୍ତର କନ୍ନଡ଼, ଦକ୍ଷିଣ କନ୍ନଡ଼, କୋଡ଼ଗୁ, ଚିକ୍କମଗଲୁରୁ ଓ ଉଡ୍ଡିପି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ କୁହାଯାଇଛି କି ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।  


ସେହିପରି କର୍ଣ୍ଣାଟକ ବ୍ୟତୀତ ଉତ୍ତର ପଶ୍ଚିମ ଓ ମଧ୍ୟ ଭାରତ ପାଇଁ ପାଣିପାଗ ବିଭାଗ ବର୍ଷା ଆର୍ଲଟ କରିଛି। ଆସନ୍ତା ୫ ଦିନ ପାଇଁ ଏହି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆଗାମୀ ଦୁଇ ଦିନ ମଧ୍ୟରେ କିଛି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ମୁତାବକ ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ମିଜୋରାମ ତ୍ରିପୁରାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 


କୋଙ୍କଣ ଓ ଗୋଆରେ ମଧ୍ୟ ୮ ଓ ୯ ତାରିଖରେ ପ୍ରବଳ ବର୍ଷା ସହିତ ବଜ୍ରପାତ ଆଶଙ୍କା ରହିଛି। ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପୂର୍ବ ମଧ୍ୟପ୍ରଦେଶରେ ସୋମବାର ଓ ମଙ୍ଗଳବାର ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହା ବ୍ୟତୀତ ଛତିଶଗଡ଼, ଓଡ଼ିଶା ଓ ଆଣ୍ଡାମାନ ନିକୋବର ଦ୍ୱିପ ସମୂହରେ ୯ ସେପ୍ଟେମ୍ବର ବର୍ଷା ସମ୍ଭାବନା ରହିଛି। ପାଣିପାଗ ଅନୁଯାୟୀ ୬ ଓ ୭ ତାରିଖ ବେଳକୁ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜରେ ବର୍ଷା ସମ୍ଭାବନା ରହିଥିବା ବେଳେ ଛତିଶଗଡ଼ ଓ ଓଡ଼ିଶାରେ ୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।