West Bengal CM Mamata Banerjee: ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ଯକ୍ଷା ମମତା ବାନାର୍ଜୀ। ମଙ୍ଗଳବାର ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରେ ପହଞ୍ଚିବା ପରେ ତୃଣମୂଳ କଂଗ୍ରେସ ପକ୍ଷରୁ ତାଙ୍କୁ ଭବ୍ଯ ସ୍ୱାଗତ କରାଯାଇଥିଲା। ଭୁବନେଶ୍ବରରୁ ସଡ଼କ ପଥରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁରୀରେ ପହଞ୍ଚିଛନ୍ତି ମମତା ବାନାର୍ଜୀ। ନିର୍ମାଣ ନିବାସ ଠାରେ ପହଞ୍ଚିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ନିର୍ମାଣ ନିବାସ ଠାରେ କଡା ସୁରକ୍ଷା ବ୍ଯବସ୍ଥା ମଧ୍ୟରେ ରାତ୍ରୀ ଜାପନ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ଯକ୍ଷା ମମତା ବାନାର୍ଜୀ। ସୁରକ୍ଷା ଦାୟିତ୍ୱରେ ପଶ୍ଚିମବଙ୍ଗ ପୁଲିସ ମଧ୍ୟ ନିୟୋଜିତ ହୋଇଛି। ଆସନ୍ତାକାଲି ଶ୍ରୀମନ୍ଦିରରେ ତାଙ୍କର ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ ଚାରିଟା ସମୟରେ ଶ୍ରୀମନ୍ଦିର ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବେ ମମତା ବାନାର୍ଜୀ। ଶ୍ରୀମନ୍ଦିରରେ କିଛି ସମୟ ଲାଗି ପୂଜାର୍ଚ୍ଚନା କରିବେ। ଏହି ସମୟରେ ତାଙ୍କର କୌଳିକ ପଣ୍ଡା ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ଉପସ୍ଥିତ ରହିବେ। 


ନିର୍ମାଣ ନିବାସ ଠାରେ ତାଙ୍କର ଅଫିସିଆଲ ମିଟ୍ ରହିଛି। ପୁରୀରେ ୨ ଦିନ ଅବସ୍ଥାନ କରିବା ପରେ ୨୩ ତାରିଖରେ ଭୁବନେଶ୍ବର ଫେରିଯିବେ ମମତା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତାପରେ ସନ୍ଧ୍ୟା ପ୍ରାୟ ଛଅଟା ସମୟରେ ଭୁବନେଶ୍ୱରସ୍ଥିତ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ କୋଲକାତା ଫେରିଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ପୁରୀ ଗସ୍ତ। ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ବିଜୟ ଲାଭ ପାଇଁ ଘରେ ପୁରୀର ବହୁ ସ୍ୱତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା କରାଇଥିଲେ ହୋମଯଜ୍ଞ। ଜଗନ୍ନାଥ ମହାପ୍ରଭୁଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି ଭାଇଙ୍କ ନେତୃତ୍ବରେ ଏହି ହୋମଯଜ୍ଞ ହୋଇଥିଲା। ସେତେବେଳେ ଏହାର ଭିଡ଼ିଓ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ ହୋଇଥିଲା। 


ଯାହା ସାରାଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହି ହୋମଯଜ୍ଞ ଯୋଗୁଁ ମମତା ପୁନର୍ବାର ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିବା ସହ ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେବେ ବୋଲି ତାଙ୍କର ନିକଟ ସମ୍ପର୍କୀୟଙ୍କ ଠାରୁ ଶୁଣିବାକୁ ମିଳିଥିଲା। ହେଲେ ମମତା ବାନାର୍ଜୀଙ୍କର ମହାପ୍ରଭୁଙ୍କ ପ୍ରତି ଗଭୀର ଭକ୍ତି ଏବଂ ବିଶ୍ୱାସ ରହିଛି। ମହାପ୍ରଭୁଙ୍କ ପାଇଁ ସଫଳତାର ସହିତ ତୃଣମୂଳ କଂଗ୍ରେସ ଅଧ୍ଯକ୍ଷା ନିର୍ବାଚନ ବୈତରଣୀ ପାର କରିବାରେ ସଫଳ ହୋଇଛନ୍ତି ବୋଲି ସେବାୟତ ମହଲରେ ଚର୍ଚ୍ଚା ହୋଇଥିଲା।