Bangladesh Crisis: ନୂଆଦିଲ୍ଲୀ: ବାଂଲାଦେଶରେ ହୋଇଥିବା ରାଜନୈତିକ ଅସ୍ଥିରତା ପରେ ଭାରତ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସର୍ବଦଳୀୟ ବୈଠକରେ ବିରୋଧୀ ଦଳର ନେତାମାନଙ୍କୁ ଏନେଇ କେନ୍ଦ୍ର ସୂଚନା ପ୍ରଦାନ କରିଛନ୍ତି। ସରକାର କହିଛନ୍ତି ଯେ ବର୍ତ୍ତମାନ ବାଂଲାଦେଶରେ ୧୨ ରୁ ୧୩ ହଜାର ଭାରତୀୟ ଅଛନ୍ତି। ତେବେ ଦେଶର ପରିସ୍ଥିତି ଏତେ ଭୟଙ୍କର ନୁହେଁ ଯେ ଆମ ନାଗରିକମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ ପଡିବ।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, କେନ୍ଦ୍ର ସରକାର ବୈଠକରେ କହିଛନ୍ତି ଯେ ବାଂଲାଦେଶର ପ୍ରତ୍ୟେକ ପରିସ୍ଥିତି ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ପରିସ୍ଥିତି ଯାହା ବି ହେବ, ବିରୋଧୀଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ। ସେଠାରୁ ପ୍ରାୟ ୮ ହଜାର ଭାରତୀୟ ଛାତ୍ର ଫେରି ଆସିଛନ୍ତି। ଅବଶିଷ୍ଟ ଲୋକଙ୍କୁ ବର୍ତ୍ତମାନ ସ୍ଥାନାନ୍ତର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ସୂଚନା ପ୍ରଦାନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇ ଆହୁରି ମଧ୍ୟ କହିଛନ୍ତି ଯେ ଶେଖ ହସିନାଙ୍କ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସରକାର ନେଇଥିବା ପଦକ୍ଷେପକୁ ନେଇ ବିରୋଧୀ ସନ୍ତୁଷ୍ଟ ଅଛନ୍ତି।


 



ସର୍ବଦଳୀୟ ବୈଠକରେ ସାମିଲ ହେଲେ ଏହି ସବୁ ନେତା
ସର୍ବଦଳୀୟ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସରକାରଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏସପି ସାଂସଦ ରାମ ଗୋପାଳ ଯାଦବଙ୍କ ସମେତ ସମସ୍ତ ବିରୋଧୀଦଳ ନେତା ଯୋଗ ଦେଇଥିଲେ। ଜୟଶଙ୍କର ଟୁଇଟ୍ କରି କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ବାଂଲାଦେଶର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀଙ୍କଠାରୁ ମିଳିଥିବା ସମର୍ଥନକୁ ଜୟଶଙ୍କର ପ୍ରଶଂସା କରିଛନ୍ତି।


ରାହୁଲ ପଚାରିଥିଲେ ଏହି ପ୍ରଶ୍ନ
ଏହି ବୈଠକରେ ବାଂଲାଦେଶ ପରିସ୍ଥିତିରେ ବାହ୍ୟଶକ୍ତି ବା କୌଣସି ଆତଙ୍କୀ ସଂଗଠନର ହାତ ଅଛି କି ନାହିଁ ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ଏହି ପରିସ୍ଥିତିକୁ ନେଇ ଭାରତର କୌଣସି ଦୀର୍ଘକାଳୀନ ଯୋଜନା ଅଛି କି? ବାଂଲାଦେଶର ନୂତନ ସରକାରକୁ ନେଇ ଭାରତର କାର୍ଯ୍ୟ ଯୋଜନା କ’ଣ ହେବ? ବୈଠକରେ ଅନ୍ୟ ଦଳ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତେବେ ବିରୋଧୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆମେ ସରକାରଙ୍କ ସହ ଅଛୁ।