Visa Rules: ବ୍ରିଟେନର ହଜାର ହଜାର ନାଗରିକ ଭାରତ ଗସ୍ତ ବାତିଲ୍ କରିଛନ୍ତି। ଭିସା ନିୟମରେ ପରିବର୍ତ୍ତନ ଯୋଗୁ ଏପରି ସମସ୍ୟା ଦେଖାଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଟାଇମ୍ସ ୟୁକେ ରିପୋର୍ଟ ଅନୁସାରେ ଶେଷ ମୁହୂର୍ତ୍ତରେ ପର୍ଯ୍ୟଟନ ଭିସା ନିୟମ ପରିବର୍ତ୍ତନ ହେତୁ ହଜାର ହଜାର ବ୍ରିଟିଶ ନାଗରିକ ଭାରତ ଯାତ୍ରା ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ନିୟମର ହଠାତ୍ ପରିବର୍ତ୍ତନ ପରେ ବ୍ରିଟିଶ ନାଗରିକମାନଙ୍କୁ ପୁଣିଥରେ ବ୍ରିଟେନର ଭିସା ସେଣ୍ଟରରେ ଉପସ୍ଥିତ ହେବା ପାଇଁ କୁହାଯାଇଥିଲା । ଏହାସହିତ ପୁନର୍ବାର ପର୍ଯ୍ୟଟନ ଭିସା ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଏହି ପ୍ରକ୍ରିୟାରେ ଅନ୍ୟ ଏକ ପ୍ରତିବନ୍ଧକ ରହିଥିଲା । ପରବର୍ତ୍ତୀ ଦୁଇମାସ ପାଇଁ ବ୍ରିଟିଶ ନାଗରିକଙ୍କୁ ଆପଏଣ୍ଟମେଣ୍ଟ ମିଳିନଥିଲା । ଫଳସ୍ୱରୂପ, ଭାରତକୁ ଆସିବାକୁ ଚାହୁଁଥିବା ହଜାର ହଜାର ବ୍ରିଟିଶ ଯାତ୍ରୀ ସେମାନଙ୍କ ଛୁଟି ଯୋଜନା ବାତିଲ କରିଥିଲେ । ଏପଟେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନଙ୍କ ସୂଚନା ଅନୁସାରେ ଭିସା ନିୟମରେ କୌଣସି ପରିବର୍ତ୍ତନ ହୋଇନାହିଁ।


COMMERCIAL BREAK
SCROLL TO CONTINUE READING

ରିପୋର୍ଟରେ କୁହାଯାଇଛି ଯେ ବ୍ରିଟିଶ ପାସପୋର୍ଟ ଧାରକମାନଙ୍କୁ ଅଟୋମେଟିକ୍ ମେସେଜ ସିଷ୍ଟମ ମାଧ୍ୟମରେ ନିୟମରେ ପରିବର୍ତ୍ତନ ବିଷୟରେ ଅବଗତ କରାଯାଇଥିଲା। ଏଥିସହ ବେଲଫାଷ୍ଟ, ବର୍ମିଂହାମ, ବ୍ରାଡଫୋର୍ଡ, କାର୍ଡିଫ, ଏଡିନବର୍ଗ, ସେଣ୍ଟ୍ରାଲ ଲଣ୍ଡନ, ହାଉସଲୋ, ଲିସେଷ୍ଟର ଏବଂ ମଞ୍ଚେଷ୍ଟରରେ ନଅ ଭିସା ପ୍ରକ୍ରିୟାକରଣ କେନ୍ଦ୍ର (VFS) ରେ ଅତି କମରେ ୧୮ ନଭେମ୍ବର ଯାଏ ଆପଏଣ୍ଟମେଣ୍ଟ ବୁକ୍ ହୋଇସାରିଛି । କେବଳ ଏତିକି ନୁହେଁ, ନଭେମ୍ବର ୧୮ ପରେ ମଧ୍ୟ କୌଣସି ଆପଏଣ୍ଟମେଣ୍ଟ ତାରିଖ ପ୍ରଦର୍ଶିତ ହେଉନାହିଁ । 


ସୂଚନା ଅନୁସାରେ ଭିସା ଆପଏଣ୍ଟମେଣ୍ଟ ଡିସେମ୍ବର ମଧ୍ୟଭାଗରେ ମିଳିପାରେ । ଭିଏଫ୍ଏସ୍ ଗ୍ଲୋବାଲ୍ ସୂଚନା ଅନୁସାରେ ତୃତୀୟ ପକ୍ଷ ଭିସା କମ୍ପାନିଗୁଡିକ ଦ୍ୱାରା ପ୍ରାଶାସନିକ ସ୍ତରରେ ବହୁ ତ୍ରୁଟି ହୋଇଥିବାରୁ ଯାତ୍ରୀମାନେ ବ୍ୟକ୍ତିଗତ ଭାବରେ ହାଜର ହେବା ପାଇଁ ପରାମର୍ଶ ଦିଆଯାଇଛି । 


ବେଆଇନ ଭିସା ମାମଲାରେ ଭାରତୀୟ ହାଇ କମିଶନ ଯାଞ୍ଚ ଆରମ୍ଭ କରିଛନ୍ତି । ବ୍ରିଟେନରେ ଭାରତୀୟ ହାଇ କମିଶନର  ଅନଧିକୃତ ଏଜେଣ୍ଟଙ୍କ ଦ୍ୱାରା ବେଆଇନ ଫି ଆଦାୟ କରାଯାଉଥିବା ଅଭିଯୋଗ ଉପରେ ଯାଞ୍ଚ କରୁଛନ୍ତି । ଭାରତ ଭ୍ରମଣ ପାଇଁ ଭିସା ଆବେଦନ କରିଥିବା ବ୍ରିଟିସ ଯାତ୍ରୀଙ୍କଠାରୁ ଟ୍ରାଭେଲ ଏଜେଣ୍ଟ ବେଆଇନ ଫି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଯାହାଫଳରେ ଅନେକ ବ୍ରିଟିଶ ଯାତ୍ରୀ ଭାରତ ପାଇଁ ଟୁରିଷ୍ଟ ଭିସା ଆବେଦନ କରିବା ପରେ ବାତିଲ୍ କରିଛନ୍ତି । ବ୍ରିଟିଶ ଯାତ୍ରୀମାନେ ଭିସା ପ୍ରକ୍ରିୟାକରଣ ଠିକ୍ ସମୟରେ ଶେଷ ହୋଇନଥିବା ନେଇ ଅଭିଯୋଗ କରୁଛନ୍ତି। 


ଭିସା ବ୍ୟବସ୍ଥାକୁ ସରଳ ଓ ଶୃଙ୍ଖଳିତ କରିବା ପାଇଁ ବ୍ରିଟେନରେ ଭାରତୀୟ ହାଇ କମିଶନ କାର୍ଯ୍ୟ ଆରମ୍ଭ କରିଛନ୍ତି । ସଂପୃକ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଯୋଗସୁତ୍ର ଭାବେ କମିଶନ କାର୍ଯ୍ୟ କରୁଛି । ଖୁବଶୀଘ୍ର ଭିସା ଆବେଦନ ନେଇ ଦେଖାଦେଇଥିବା ଅଚଳାବସ୍ଥା ଦୂରହେବ ବୋଲି ଭାରତ ହାଇ କମିଶନର ଆଶାବ୍ୟକ୍ତ କରିଛନ୍ତି । ଏହାସହିତ ଆକସ୍ମିକ ଭାବେ ଭିସା ନିୟମରେ ପରିବର୍ତ୍ତନ ଅଭିଯୋଗକୁ ଖାରଜ କରିଛନ୍ତି ହାଇ କମିଶନର । 


ଭିସା ଆବେଦନକାରୀଙ୍କୁ ଲଣ୍ଡନରେ ହାଇ କମିଶନଙ୍କ ଆଉଟସୋର୍ସଡ୍ ଭିଏଫ୍ଏସ୍ ଗ୍ଲୋବାଲ୍ ସେଣ୍ଟରରେ ଆବେଦନ କରିବାକୁ କୁହାଯାଇଛି । ଅନଧିକୃତ ଏଜେଣ୍ଟଙ୍କ ଦ୍ୱାରା ବେଆଇନ ଫି ଆଦାୟ ଉପରେ ରୋକ୍ ଲଗାଇବା ପାଇଁ ଏପରି ବ୍ୟବସ୍ଥା ହୋଇଥିବା ସ୍ପଷ୍ଟ କରାଯାଇଛି । ଗ୍ଲୋବାଲ ସର୍ଭିସେସ୍ ଏକମାତ୍ର ପ୍ରାଧିକୃତ ଆଉଟସୋର୍ସିଂ ସେବା ପ୍ରଦାନକାରୀ ସଂସ୍ଥା ହୋଇଥିବା ହାଇ କମିଶନ କହିଛି । 


ଭାରତ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଟ୍ରାଭେଲ ଭିସା ନିୟମରେ କୌଣସି ପରବର୍ତ୍ତନ ହୋଇନଥିବା ସ୍ପଷ୍ଟ କରାଯାଇଛି । ୧୫୬ଟି ବିଦେଶୀ ରାଷ୍ଟ୍ରର ଯାତ୍ରୀମାନେ ପୂର୍ବପରି ଇ-ଭିସା ସିଷ୍ଟମ (e-visa system) ଜରିଆରେ ଆବେଦନ କରିପାରିବେ । ପ୍ରାଶାସନିକ ତୃଟି କାରଣରୁ ବ୍ରିଟେନରେ ଦେଖାଦେଇଥିବା ଭିସା ସମସ୍ୟା ଶୀଘ୍ର ଦୂର ହେବ ବୋଲି କୁହାଯାଇଛି ।