Parliament Winter Session 2024: ନୂଆଦିଲ୍ଲୀ: ସରିଲା ଶୀତ କାଳୀନ ଅଧିବେଶନ। ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ଅନ୍ତିମ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ଓମ ବିର୍ଲା। ଆଜି ଅନ୍ତିମ ଦିନରେ ମଧ୍ୟ ଗୃହରେ ବେଶ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିରୋଧି ଦଳର ସାଂସଦମାନେ ଗୃହରେ ହୋ ହଲ୍ଲା କରିଥିଲେ। 'ଆମ୍ବେଦକରଙ୍କୁ ଅପମାନ' ପ୍ରସଙ୍ଗରେ ଗୃହରେ ହୋ ହଲ୍ଲା କରିବା ସହିତ 'ଜୟ ଭୀମ' ନାରା ଦେଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି ହୋ ହଲ୍ଲା ମଧ୍ୟରେ ଗୃହ କାର୍ଯ୍ୟକୁ ଆଗକୁ ବଢାଇଥିଲେ ବାଚସ୍ପତି। 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁ ଗତ ନଭେମ୍ବର ମାସ ୨୫ ତାରିଖରୁ ସଂସଦର ଶୀତ କାଳୀନ ଅଧିବେଶନ ଆରମ୍ଭ ହୋଇଥିଲା। ଆରମ୍ଭରୁ ଏଥର ଗୃହରେ ବିରୋଧିମାନେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରୟାସ କରିଥିଲେ। ଆରମ୍ଭରୁ ଗୃହରେ ଆଦାନୀ ତାତି ଦେଖିବାକୁ ମିଳିଥିଲା। ଆଦାନୀ ପ୍ରସଙ୍ଗରେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ ବିରୋଧି। ଫଳରେ ଆରମ୍ଭରୁ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି। ଏହି ଅଧିବେଶନରେ ଏକାଧିକ ବିଧେୟକକୁ ମଧ୍ୟ ପାରିତ କରାଯାଇଛି। 


ସେହିପରି ଗୃହରେ ସମ୍ବିଧାନର ୭୫ ବର୍ଷର ଯାତ୍ରାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ଏହି ଆଲୋଚନା ଆରମ୍ଭ କରି ବିରୋଧି କଂଗ୍ରେସକୁ ସମାଲୋଚନା କରିଥିଲେ। ପ୍ରତିଷ୍ଠାନଗୁଡ଼ିକର ସ୍ବାଧୀନତା ଏବଂ ସ୍ବାୟତ୍ତତାକୁ ସମ୍ମାନ ଦେବାରେ କଂଗ୍ରେସ ସମର୍ଥ ହୋଇନାହିଁ। ସମ୍ବିଧାନର ମୂଳ ନୀତିକୁ କଂଗ୍ରେସ ନିରନ୍ତରଭାବେ ନୀଚା କରି ଦେଖାଇଛି ବୋଲି ରାଜନାଥ କହିଥିଲେ।ବିଜେପି ସମ୍ବିଧାନକୁ ସମ୍ମାନ କରେ ଏବଂ ପ୍ରତିଷ୍ଠାନଗୁଡ଼ିକର ସ୍ବାଧୀନତା ସହ କେବେ ସାଲିସ କରିନାହିଁ ବୋଲି ସେ କହିଛନ୍ତି। ସମ୍ବିଧାନ ଲୋକଙ୍କ ସାମୂହିକ ଇଚ୍ଛାର ପ୍ରତିଫଳନ। ଏହା ଜୀବନର ପ୍ରତ୍ୟେକ ଦିଗ ଯଥା ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ଦିଗକୁ ଛୁଇଁଛି। ଭାରତର ବିକାଶ ପାଇଁ ଏଥିରେ ନକ୍ସା ରଖାଯାଇଛି ବୋଲି ରାଜନାଥ କହିଥିଲେ।


ଏହି ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ ୱାୟନାଡ଼ ଆସନରୁ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।  ଦେଶରେ ଜାତିଗଣନା ପାଇଁ ଦାବି ହେଉଥିବାବେଳେ ବିଜେପି ଏହା ଉପରେ ନିରବ ରହିଛି। ନିର୍ବାଚନ ଫଳାଫଳ ଅଲଗା ହୋଇ ନଥିଲେ ବିଜେପି ସମ୍ବିଧାନ ବଦଳାଇ ଦେଇଥାନ୍ତା। ଏଥିସହିତ ପ୍ରିୟଙ୍ଗା ଶମ୍ଭଲ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଏନ୍‌ଡିଏ ଆଦାନୀକୁ ଅନୁଗ୍ରହ ଦେଖାଉଥିବା ସେ ଅଭିଯୋଗ କରିଥିଲେ। 


ସେହିପରି ଗୁରୁବାର ସଂସଦରେ ହୋଇଥିବା ଅଘଟଣକୁ ନେଇ କଡ଼ା ଆଭିମୁଖ୍ୟ ଆପଣାଇଥିଲେ ବାଚସ୍ପତି। ଏହି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ସମସ୍ତ ଦଳକୁ ତାଗିଦ କରିଛନ୍ତି। ଏପରିକି ସଂସଦ ଭବନର କୌଣସି ଦ୍ୱାର, କିମ୍ବା ଗୃହ ପରିସରରେ କୌଣସି ପ୍ରକାର ବିକ୍ଷୋଭ ପ୍ରଦର୍ଶନ, ଧାରଣା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯଦି କୌଣସି ଦଳ ବା ସାଂସଦ ଏହି ନିୟମକୁ ଉଲ୍ଲଂଘନ କରନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି କହିଥିଲେ। ଏହା ସହିତ ଆଜିଠାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ।