World Book Fair: ନୂଆଦିଲ୍ଲୀ: ଶନିବାର ଦିନ ନୂଆଦିଲ୍ଲୀରେ ବିଶ୍ୱ ପୁସ୍ତକ ମେଳା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଯୋଗଦେଇ ପୁସ୍ତକ ସହିତ ମାନବ ଜାତିର ସବୁବେଳେ ଅନାବିଳ ସୁସମ୍ପର୍କ ରହି ଆସିଛି। ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁସ୍ତକ ଗୁଡ଼ିକ କେବେ ବି ନିଜର ଚମକ ହରାଇନାହିଁ ବୋଲି ସେ କହିଥିଲେ।    


COMMERCIAL BREAK
SCROLL TO CONTINUE READING

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ(ଏନବିଟି) ପକ୍ଷରୁ ଆୟୋଜିତ ଏହି ପୁସ୍ତକ ମେଳାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଇଜିପ୍ଟର ପାପିରସ ହେଉ, ଭାରତର ତାଳପତ୍ର ଓ ଭୋଜପତ୍ର ପାଣ୍ଡୁଲିପି ହେଉ କିମ୍ବା ଚୀନର  ପେପର  ବୁକ୍ ହେଉ, ମନୁଷ୍ୟକୁ ସବୁବେଳେ ଲିଖିତ ଶବ୍ଦଟି ଅତ୍ୟନ୍ତ ଆକର୍ଷଣୀୟ ଲାଗିଥାଏ । ପୁସ୍ତକ ମନୁଷ୍ୟକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଭାରତରେ ଆମେ ପୁସ୍ତକର ମୂଲ୍ୟକୁ ବହୁତ ଭଲ ଭାବରେ ବୁଝିଛୁ ।  ପ୍ରାଚୀନ ଓ ମଧ୍ୟବର୍ତ୍ତୀକାଳୀନ ଦୁନିଆର କେତେକ ଶ୍ରେଷ୍ଠ ଲାଇବ୍ରେରୀ ଭାରତରେ ଥିଲା । ନାଳନ୍ଦା, ତକ୍ଷଶିଳା, ରାଜଗିର ଓ ଉଜ୍ଜୈନରେ ଥିବା ଆମର ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ୱସ୍ତରୀୟ ପାଠାଗାରମାନ ଥିଲା । ବ୍ରିଟିଶ ଶାସନ କାଳରେ ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକର ଅବନତି ଘଟିଥିଲେ ମଧ୍ୟ ପୁସ୍ତକ ଗୁଡ଼ିକ କେବେ ବି ନିଜର ଚମକ ହରାଇନଥିଲା । ବେଦ, ଉପନିଷଦ, ପୁରାଣ, ଆୟୁର୍ବେଦ, ସଂସ୍କୃତ, ଜ୍ୟୋତିର୍ବିଜ୍ଞାନ, ଗଣିତ ଏବଂ ମେଡିସିନ ଉପରେ ଆମର ପ୍ରାଚୀନ ଗ୍ରନ୍ଥ ପୁସ୍ତକ ଜଗତକୁ ସମୃଦ୍ଧ କରିଥିଲା । ତାହା ଥିଲା ଆମର ଉଚ୍ଚ ପରମ୍ପରା । ଆମର ପୁସ୍ତକର ଲେଖକ ଏବଂ ପାଠକମାନଙ୍କ ପାଇଁ ଆମେ ଗର୍ବିତ ।    


କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା ୨୦୨୪ର "ଫେଷ୍ଟିଭାଲ ଅଫ୍ ଫେଷ୍ଟିଭାଲ" ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ଏହି ଅନନ୍ୟ ପର୍ବ ସାରା ବିଶ୍ୱର ବିଭିନ୍ନ ସଂସ୍କୃତି, ସାହିତ୍ୟ ଏବଂ କଳାତ୍ମକ ଅଭିବ୍ୟକ୍ତିର ଉତ୍ସବ ହେବ। ଅନେକ ପୁସ୍ତକରେ ପରିପୂର୍ଣ୍ଣ ଏହି ମେଳା ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ। ସେ କହିଛନ୍ତି ଯେ  ୨୨ଟି ଭାଷାରେ ପୁସ୍ତକ ପ୍ରକାଶିତ କରିବାରେ ସମ୍ଭବତଃ ଭାରତ ହେଉଛି ଏକ ମାତ୍ର ଦେଶ। ବହୁ ଭାଷା ଆମର ବିବିଧତାକୁ ବାଖ୍ୟା କରେ, ଯାହା ଆମ ଜାତୀୟ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଅଟେ।


ଏହି କାର୍ଯ୍ୟକ୍ରମରେ ସାଉଦି ଆରବର ଏମ୍ବାସେଡର ସାଲେହ୍ ବିନ୍ ଇଦ୍ ଅଲ୍ ହୁସୈନୀ, ଭାରତ ସରକାରଙ୍କ ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଡାକ୍ଟର ଅନ୍ନପୂର୍ଣ୍ଣା ଦେବୀ ଓ ଏନବିଟିର ଚେୟାରମ୍ୟାନ ପ୍ରମୁଖ ଉପସ୍ଥିତ ଥିଲେ।