ବରିଷ୍ଠ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ନିଧନ
୬୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ତରଣ ଦାସଙ୍କ ଦେହାନ୍ତ । ଗତ କିଛି ଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥାଇ ଲଗାତାର ଚିକିତ୍ସିତ ହେଉଥିଲେ । ଗତ ୨୦୧୯ ନିର୍ବାଚନ ବେଳେ ମଧ୍ୟ ସେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତ ମାସରେ ତାଙ୍କର ଏକ ସର୍ଜରୀ ପରେ ସେ ଆଇସିୟୁରେ ଥିଲେ । ୬୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ବିଷ୍ଣୁ ଦାସ ୧୯୫୪ ମସିହା ଅକ୍ଟୋବର ୯ରେ ଜଗତସିଂହପୁରରେ ଜନ୍ମ ଗ୍ରହଣ କରିଥିଲେ । ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଜଗତସିଂହପୁର ଆସନରୁ ୨ ଥର ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜୁ ଜନତା ଦଳ(ବିଜେଡି) ଟିକେଟରେ ୪ ଥର ଜିତିବା ସହ ୨୦୦୬ ମସିହାରେ ୧୫ ମାସ ପାଇଁ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ସେ । ଏହାପରେ ତାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା । ୨୦୧୯ ବିଧାନସଭା ନିର୍ବାଚନରେ ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଆଉ ବହୁ ଭୋଟରେ ବିଜୟ ଲାଭ କରିଥିଲେ ।
ବିଷ୍ଣୁ ଚରଣ ଦାସ ଜଣେ ଦଳିତ ନେତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ । ୧୯୮୦ ମସିହା ଛବିରାଣୀ ହତ୍ୟାକାଣ୍ଡ ବେଳେ ସେ ଚର୍ଚ୍ଚାକୁ ଆସିଥିଲେ । ଆନ୍ଦୋଳନରେ ପୁରୋଧା ଭାବେ ନାସୋ ଆଇନରେ ଗିରଫ ହୋଇଥିଲେ । ବିଜୁ ବାବୁଙ୍କ ସମୟରେ ଜନତା ଦଳର ରାଜ୍ୟ ସମ୍ପାଦକ ଦାୟିତ୍ୱ ତୁଲାଇ ସାଙ୍ଗଠନିକ ଦକ୍ଷତା ଦେଖାଇଥିଲେ । ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଲଗାତାର ୩ ଥର ଛାତ୍ର ୟୁନିଅନର ସଭାପତି ହୋଇ ଛାତ୍ର ଜୀବନରୁ ରାଜନୀତି ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ । ବିଜେଡିର ଦଳିତ ସାମ୍ମୁଖ୍ୟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ ବିଷ୍ଣୁ ଦାସ । ବିଭିନ୍ନ ସମୟରେ ତାଙ୍କର ରୋକଠୋକ କଥା ପାଇଁ ସେ ଚର୍ଚ୍ଚାରେ ରହୁଥିଲେ ।