ରାଜ୍ୟବାସୀଙ୍କୁ ଏହି ନିବେଦନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର ଶିକାର ହୋଇଛି । ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି । ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ସାରା ବିଶ୍ୱରେ ସର୍ବାଧିକ ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ୱୋଧନ କରିଛନ୍ତି । ଆଜି(ମଙ୍ଗଳବାର) ସେ କହିଛନ୍ତି ଯେ, ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି । କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି । ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର ଶିକାର ହୋଇଛି । ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି । ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ସାରା ବିଶ୍ୱରେ ସର୍ବାଧିକ । ଆମ ଦେଶରେ ପରିସ୍ଥିତିର ଗମ୍ଭୀରତା ଏଥିରୁ ସ୍ପଷ୍ଟ ଅନୁମେୟ । ତେଣୁ ଆମେ ଏହାକୁ ଆଦୌ ହାଲକା ଭାବରେ ନେବା ଉଚିତ ନୁହେଁ । ଗତ ୫ ମାସ ହେଲା ଆମେ କୋରୋନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରଖିଛୁ । ଓଡିଶାର ଜନସାଧାରଣ ମଧ୍ୟ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହୋଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଆସନ୍ତାକାଲି ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାର ଅତିକ୍ରମ କରିବ । କୋଭିଡ ଯୁଦ୍ଧରେ ଆମର ସଂଗ୍ରାମରେ ଏହା ହେଉଛି ମହତ୍ୱପୂର୍ଣ୍ଣ ଘଟଣା । ସମସ୍ତଙ୍କ ସହଯୋଗରେ ଆମେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛୁ । ଆମର ମୃତ୍ୟୁ ହାର ୦.୫୭ ପ୍ରତିଶତ ରହିଛି । ଯାହାକି ସାରା ଦେଶରେ ସବୁଠାରୁ କମ୍ । ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ମିଶନ ।
ଓଡ଼ିଶା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଆରୋଗ୍ୟଙ୍କ ସଂଖ୍ୟାରେ ବୃଦ୍ଧି ଓ ମୃତ୍ୟୁହାର କମ୍ ରହିଛି । ଆମର ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ ଅହର୍ନିଶି ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି । ଆମ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ସେମାନେ ବିରାଟ ତ୍ୟାଗ ସ୍ୱୀକାର କରୁଛନ୍ତି । ଏହି ଭୟାନକ ଯୁଦ୍ଧରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି । କୋଭିଡ ଯୋଦ୍ଧା ମାନଙ୍କର ମାନବ ଜାତି ପାଇଁ ଏହି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ମୁଁ ଏକ ନୀରବ ପ୍ରାର୍ଥନାର ନେତୃତ୍ବ ନେବି ।
ନବୀନ କହିଛନ୍ତି ଯେ, ଆସନ୍ତାକାଲି ସଂଧ୍ୟା ୬ଟା ସମୟରେ ଏହି ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ଓଡିଶାର ମୋର ସାଢେ ଚାରି କୋଟି ଭାଇଭଉଣୀ ମାନଙ୍କୁ ଅନୁରୋଧ କରୁଛି । ଏହି ପ୍ରାର୍ଥନା ସଭା ପରେ ପରେ ଆମେ ସମସ୍ତେ ଏକ ଶପଥ ନେବା । କୋଭିଡ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ ନିୟମାବଳୀର କଡାକଡି ପାଳନ ସଂପର୍କରେ ଏହା ଆମକୁ ଦାୟିତ୍ୱବାନ ଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେବ । ଆମର କୋଭିଡ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ ଯୁଦ୍ଧରେ ଆମର ଦାୟିତ୍ୱ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ ।
ମୋର ଅନୁରୋଧ ଆସନ୍ତାକାଲି ସଂଧ୍ୟା ୬ଟାରେ ଆପଣମାନେ ନିଜ ଘରେ ବା ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରନ୍ତୁ ଏବଂ ଏ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ । ମୁଁ ନିଜେ ଆପଣମାନଙ୍କୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।