ପୁରୀ: ଆରମ୍ଭ ହେବ ବଡଦେଉଳ ସେବାୟତଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ଗୁରୁବାର ଏକ ସ୍ୱତନ୍ତ୍ର ବୈଠକ ହୋଇଛି । ତିନି ମାସ ଧରି ହେବାକୁ ଥିବା ସର୍ଭେରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯିବ। ତେବେ ଚଳିତଥର ଓଡ଼ିଆ ଭାଷାରେ ସର୍ଭେ କରିବାକୁ ନିଷ୍ପତ୍ତି ନିଆଯାଇଛି।


COMMERCIAL BREAK
SCROLL TO CONTINUE READING


ଆସନ୍ତାମାସରୁ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭେଲପମେଣ୍ଟ ଷ୍ଟଡିଜ୍ ସଂସ୍ଥା ପକ୍ଷରୁ ଶ୍ରୀମନ୍ଦିର ସେବାୟତ ପରିବାରର ଜନଗଣନା ହେବ। ସାମାଜିକ ଓ ଅର୍ଥନୈତିକ ଆଧାରରେ ଏହି ସର୍ଭେକ୍ଷଣ କରାଯିବ। ଏନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ, ଉନ୍ନୟନ ପ୍ରଶାସକ, ନିତି ପ୍ରଶାସକ ଓ ନବକୃଷ୍ଣ ଚୌଧୁରୀ ଡେଭେଲପମେଣ୍ଟ ଓ ଷ୍ଟଡିଜ ସଂସ୍ଥାର ପ୍ରତିନିଧିଙ୍କୁ ନେଇ ବୈଠକ ହୋଇଛି । ତିନିମାସ ଧରି ଏହି ସର୍ଭେ ଚାଲିବ। ରିପୋର୍ଟକୁ ଆଧାର କରି ସେବାୟତଙ୍କ କଲ୍ଯାଣ ଓ ସହାୟତା ଆଦି କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। 


ଅନ୍ଯପଟେ ଗତ ୨୦୧୪ ମସିହାରେ ଉକ୍ତ ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ପୁଣି ଆସନ୍ତା ୩ ମାସ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସର୍ଭେ କାର୍ଯ୍ଯ ପାଇଁ ୨୫ଟି ଟିମ୍ ଗଠନ କରାଯାଇଛି। ଉକ୍ତ ଟିମରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ସର୍ଭେକ୍ଷଣରେ ନିୟୋଜିତ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସେବାୟତଙ୍କ କଲ୍ଯାଣ ପାଇଁ ମୁଖ୍ୟତଃ ଦାରିଦ୍ର୍ୟ ସିମାରେଖା ତଳେ ଥିବା ସେବାୟତଙ୍କ ପାଇଁ ବାସଗୃହ ଯୋଗାଇଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିସହ ସେବାୟତଙ୍କୁ ପେନସନ ପ୍ରଦାନ ଓ ଶିକ୍ଷା ବ୍ଯବସ୍ଥା ଆଦି କଲ୍ଯାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।ବୋଲି ପରିଚାଳନା କମିଟିର ସଦସ୍ୟ ଓ ସଂସ୍ଥାର ଅଧିକାରୀ କହିଛନ୍ତି।


୨୦୧୪ ସର୍ଭେ ରିପୋର୍ଟ ଅନୁସାରେ ୬୦ଭାଗ ସେବାୟତ ଦାରିଦ୍ର୍ୟ ସିମାରେଖା ତଳେ ଅଛନ୍ତି। ଅନେକଙ୍କର ବଡ ପରିବାର ହେତୁ ଘର ଭାଗବଣ୍ଟାରେ ଛୋଟ ଯାଗାରେ ଅଧିକ ଲୋକ ରହିବାକୁ ବାଧ୍ୟ ହେଉଛନ୍ତି। ପୁଣି ସେବାୟତଙ୍କର ଜମିଥିଲେ ସୁଦ୍ଧା ଘର ତିଆରି କରିବାକୁ ଆର୍ଥିକ ସମ୍ବଳର ଅଭାବ ରହିଛି। ଚଳିତ ସର୍ଭେରେ ଏସବୁ ଦିଗକୁ ଗୁରୁତ୍ୱ ଦିଆଯାଇ ରିପୋର୍ଟ ପ୍ରସ୍ତୁତ ହେବ । ସେହି ରିପୋର୍ଟ ଆଧାରରେ ତାଲିକା ପ୍ରସ୍ତୁତ କରି ବାସଗୃହ, ଉଚ୍ଚଶିକ୍ଷା ପାଇଁ ସହାୟତା, ଚିକିତ୍ସା ସୁବିଧା ଆଦି ପ୍ରଦାନ କରାଯିବ।


କୋଭିଡକୁ ନେଇ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଭୁଷୁଡିଲାଣି ସେବାୟତଙ୍କ ଆର୍ଥିକ ସ୍ଥିତି। ଚଳିତ ସର୍ଭେରେ ୨୦୧୪ ତୁଳନାରେ ଗରିବ ସେବାୟତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।