ଚାଲ ସାଥୀ ହୋଇ ବାହା ହେବା...
ସାଥୀ ହୋଇ ବାହା ହେବା...ମୂଲ୍ୟବାନ ସମୟ ବଞ୍ଚାଇବା...ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା...ଖାଦ୍ୟକୁ ନଷ୍ଟ ହେବାକୁ ଦେବାନାହିଁ...ସାମୁହିକ ବିବାହ ଦେଉଛି ସମାଜକୁ ସୁନ୍ଦର ବାର୍ତ୍ତା...
ନୂଆଦିଲ୍ଲୀ: ଗୋଟିଏ ନୁହେଁ , ଶହ ଶହ ବେଦୀ । ଶହ ଶହ ବର କନ୍ୟା । ସାମୁହିକ ବିବାହର ଆୟୋଜନ । ବର୍ତ୍ତମାନ ସମୟରେ ସାମୁହିକ ବିବାହର ପ୍ରାସଙ୍ଗିକତା ବଢୁଛି । ବ୍ୟସ୍ତବହୁଳ ସମୟ, ବ୍ୟୟ ବହୁଳ ଆୟୋଜନରୁ ନିଜକୁ ଦୂରେଇ ସାମୁହିକ ବିବାହରେ ସାମିଲ ହେଉଛନ୍ତି ଅନେକ ପରିବାର । ଆଉ ଏହାରି ଭିତରେ ଗୁଜୁରାଟ ସୁରତରୁ ଆସିଛି ଏଭଳି ଏକ ସାମୁହିକ ବିବାହର ଦୃଶ୍ୟ । ସମାଜକୁ ସୁନ୍ଦର ବାର୍ତ୍ତାଟିଏ ଦେଉଛି ଏହି ସାମୁହିକ ବିବାହ ।
୨୭୧ ଯୋଡା ବରକନ୍ୟା । ବେଦୀ ବି ସେତିକି । ଶନିବାର ସୁରତରେ ଏପରି ଏକ ସାମୁହିକ ଦେଖିବାକୁ ମିଳିଥିଲା । ଖୁବ ଧୁମଧାମରେ ଏହାର ଆୟୋଜନ କରାଯାଇଥିଲେ । ଏକା ସାଙ୍ଗରେ ବାହା ହୋଇଥିଲେ ୫୪୨ ଯୁବକ ଯୁବତୀ । କେବଳ ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାର ନୁହେଁ, ବ୍ୟସ୍ତ ବହୁଳ ସମୟରେ ଶିକ୍ଷିତ ପରିବାରଗୁଡିକ ମଧ୍ୟ ଏପରି ସାମୁହିକ ବିବାହକୁ ପସନ୍ଦ କରୁଛନ୍ତି । ଗୁଜୁରାଟ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୁଡାସମା ମଧ୍ୟ ଏହି ସମାରୋହରେ ସାମିଲ ହୋଇଥିଲେ ।
ସାମୁହିକ ବିବାହ କାହିଁକି ?
ବସ୍ତ ବହୁଳ ଜୀବନରେ ବାହାଘର ଟିଏ ନିଜେ ଆୟୋଜନ କରିବା ସମୟ ସାପେକ୍ଷ । ବର୍ତ୍ତମାନ ସମୟରେ ଆମେ ସବୁବେଳେ ନିଜ ନିଜ କାମରେ ବ୍ୟସ୍ତ ରହୁଛୁ । ଆଉ ଏସବୁ ଭିତରେ ବାହାଘର ଆୟୋଜନ ପାଇଁ ମାସ ମାସ ସମୟ ଅପଚୟ କରିବାକୁ ପଡିଥାଏ । ମାତ୍ର ସାମୁହିକ ବିବାହ ଦ୍ୱାରା ଆମେ ମୁଲ୍ୟବାନ ସମୟକୁ ବଞ୍ଚାଇପାରୁ ।
ଅର୍ଥିକ ଦୁର୍ବଳ ଶ୍ରେଣୀର ପରିବାର ପକ୍ଷରେ ବ୍ୟୟ ବହୁଳ ବାହା ଘର କରିବା ସମ୍ଭବ ହୋଇନଥାଏ । କାହିଁକିନା ବାହାଘରଟିଏ କରିବାକୁ ହେଲେ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ହେଲେ ସାମୁହିକ ବିବାହ ଦ୍ୱାରା ଏଥିରୁ ଟିକେ ଆଶ୍ୱସ୍ତ ମିଳେ ।
ଅନାଥ ଯୁବକ ଯୁବତୀଙ୍କ ପାଇଁ ସାମୁହିକ ବିବାହ ବରଦାନ ସ୍ୱରୂପ । ବାପ ମା' ଛେଉଣ୍ଡ ପିଲାଟିକୁ ଏଠି ବାହା କରାଇବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକ ଆଗେଇ ଆସନ୍ତି । ଅନାଥ ଯୁବକଙ୍କୁ ନୂଆ ବାପ ମା' ମିଳେ । ଜନ୍ମଦାତ୍ରୀ ମା' ନଥିଲେ କଣ ହେଲା, ବହୁ ଶିକ୍ଷିତ ପରିବାର କନ୍ୟାଦାନ କରିବାକୁ ଆଗେଇ ଆସିଥାନ୍ତି । ସେମିତିରେ ବି ଆମ ବିଶ୍ୱାସ, କନ୍ୟା ଦାନ ମହତ ଦାନ ।
ବିବାହ ଋତୁରେ ପ୍ରାୟତଃ ପ୍ରତିଦିନ ବାହାଘର ହୋଇଥାଏ । ରୋଶଣି ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ଶବ୍ଦ ପ୍ରଦୂଷଣ ମଧ୍ୟ ବଡ ସମସ୍ୟା ଭାବରେ ଉଭା ହୋଇଥାଏ । ବରଯାତ୍ରୀ ବହୁ ପରିମାଣରେ ବାଣ ଫୁଟାଇଥାନ୍ତି । ଯେଉଁଥିପାଇଁ ପରିବେଶ ପ୍ରଦୂଷଣ ହୋଇଥାଏ । ମାତ୍ର ସାମୁହିକ ବିବାହରେ ଏସବୁରୁ ବହୁ ପରିମାଣରେ ରକ୍ଷା ମିଳିଥାଏ । ଯଦିଓ ସାମୁହିକ ବିବାହରେ ମଧ୍ୟ ଏସବୁ ହୋଇଥାଏ, ତେବେ ମାତ୍ରାରେ ବହୁ ପରିମାଣ କମିଯାଏ ।
ସାଧାରଣତଃ ବିବାହ ଗୁଡିକରେ ବହୁ ପରିମାଣରେ ଖାଦ୍ୟ ନଷ୍ଟ ହୋଇଥାଏ । କାହିଁକିନା କେତେଲୋକ ବାହାଘରକୁ ଆସିବେ, କେତେ ବରଯାତ୍ରୀ ଆସିବେ, ତାହାର ସ୍ପଷ୍ଟ ଚିତ୍ର ଆମ ପାଖରେ ନଥାଏ । କାଳେ ନିଅଣ୍ଟ ହୋଇଯିବ ଭାବି ବହୁ ପରିମାଣରେ ଖାଦ୍ୟ ପ୍ରସ୍ତୁତ କରିଥାଉ । ପରବର୍ତ୍ତୀ ସମୟରେ ତାହା ଫୋପାଡିବାକୁ ପଡେ । ମାତ୍ର ସାମୁହିକ ବିବାହରେ ସଂଖ୍ୟାରେ ପ୍ରାୟତଃ ଏକ ସ୍ପଷ୍ଟ ଚିତ୍ର ଥାଏ । ବାହା ହେବାକୁ ଥିବା ବରକନ୍ୟାଙ୍କ ପରିବାର ସହ ମୋଟାମୋଟି କେତେ ସମ୍ପର୍କୀୟ ଅଂଶଗ୍ରହଣ କରିବେ, ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ । ଆଉ ସେହି ପରିମାଣରେ ହିଁ ଖାଦ୍ୟ ପ୍ରସ୍ତୁତ ହୁଏ । ଯଦିବି ସେତିକି ଲୋକ ସାମୁହିକ ବିବାହରେ ଅଂଶଗ୍ରହଣ ନକରନ୍ତି, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଖାଦ୍ୟକୁ ସଠିକ ସମୟରେ ସଠିକ ସ୍ଥାନରେ ପହଞ୍ଚାଇଦିଅନ୍ତି । ତେଣୁ ଖାଦ୍ୟ ନଷ୍ଟ ହୋଇନଥାଏ ।
ବର୍ତ୍ତମାନ ସମୟରେ ଏସବୁ ଦୃଷ୍ଟିରୁ ବହୁ ଶିକ୍ଷିତ ପରିବାର ସାମୁହିକ ବିବାହକୁ ପସନ୍ଦ କରୁଛନ୍ତି । କେବଳ ଯେ ଅନାଥ ଯୁବକ ଯୁବତୀଙ୍କ ପାଇଁ ସାମୁହିକ ବିବାହ ତାହା ନୁହେଁ, ବହୁ ଧନୀ ପରିବାର ମଧ୍ୟ ଏକ୍ଷେତ୍ରରେ ଆଗେଇ ଆସିଲେଣି । ସ୍ୱେଚ୍ଛାସେବୀ ସଙ୍ଗଠନଗୁଡିକ ମଧ୍ୟ ଏ ଦିଗରେ କାମ କରୁଛନ୍ତି ।
ଆହୁରି ପଢନ୍ତୁ; ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତ ଆପ୍: କେଜ୍ରିୱାଲ କହିଲେ ଗତଥର ୬୭ ଜିତିଥିଲୁ, ଏଥର...