ନୂଆଦିଲ୍ଲୀ: ଆଜି ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ରାମଲୀଲା ମୈଦାନରେ ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ତେବେ ଏହି ଶପଥ ଗ୍ରହଣ ଉତ୍ସବରେ କେଜ୍ରିୱାଲଙ୍କ ସମେତ ସମୁଦାୟ ୭ଜଣ ମନ୍ତ୍ରୀ ଶପଥ ନେବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ କେଜ୍ରିୱାଲଙ୍କ କ୍ୟାବିନେଟରେ ଯେଉଁମାନେ ଥିଲେ, ସେମାନଙ୍କ ଉପରେ ଏଥର ମଧ୍ୟ ଭରସା କରିଛନ୍ତି ଆପ୍ ମୁଖ୍ୟ । 


COMMERCIAL BREAK
SCROLL TO CONTINUE READING

ଯିଏ ଥିଲେ, ସିଏ ହିଁ ରହିବ । ଅର୍ଥାତ ପୂର୍ବରୁ ଆପ୍ ସରକାରରେ ଯେଉଁମାନେ ମନ୍ତ୍ରୀ ଥିଲେ, କେଜ୍ରିୱାଲ ୩.୦ ସରକାରରେ ସେମାନେ ହିଁ ମନ୍ତ୍ରୀ ହେବେ । ଏମାନେ ହେଲେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ । ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ଏମାନଙ୍କୁ ଶପଥ ପାଠ କରାଇବେ । ନୂଆ ଚେହେରାଙ୍କୁ ଏଥର କେଜ୍ରିୱାଲ ସୁଯୋଗ ଦେବେ ବୋଲି ଯେଉଁ ଅନୁମାନ କରାଯାଉଥିଲା, ସେମିତି କିଛି ହୋଇନି । 


ଏହି ନିର୍ବାଚନରେ କିଛି ନୂଆ ଚେହେରା ବିଧାୟକ ହୋଇଥିବାରୁ, ଆପ୍ ମୁଖ୍ୟ ଏମାନଙ୍କ ମଧ୍ୟରୁ କାହାକୁ ନିଜ କ୍ୟାବିନେଟରେ ସାମିଲ କରିବେ ବୋଲି ଅନୁମାନ କରାଯାଉଥିଲା । କାହିଁକିନା, ଏଥର ବିଧାୟକ ହୋଇଥିବା ଏମିତି କିଛି ଚେହେରା ଅଛନ୍ତି, ଯେଉଁମାନେ ଆପର ପ୍ରତିଷ୍ଠାତା ସଦସ୍ୟ । ଯେପରିକି ଦିଲ୍ଲୀପ ପାଣ୍ଡ, ଆତିଶୀ ଏବଂ ରାଘବ ଚଡଢା ପ୍ରମୁଖ । ହେଲେ କେଜ୍ରିୱାଲ ନିଜ ପୁରୁଣା ଟିମ ଉପରେ ହିଁ ଭରସା କରିଥିବା ମନେ ହେଉଛି । ଯଦି ବିଧାନସଭା କ୍ଷେତ୍ର ଦୃଷ୍ଟିରୁ ଦେଖାଯାଏ, ଏଥର ମଧ୍ୟ ପଟପଡ଼ଗଞ୍ଜ, ବାବରପୁର, ନଜଫଗଡ଼, ବଲ୍ଲୀମାରନ, ଶକୂର ବସ୍ତି ଏବଂ ସୀମାପୁରୀ ବିଧାନସଭା ଆସନକୁ ମନ୍ତ୍ରୀପଦ ମିଳିଛି । 


ଆହୁରି ପଢ଼ନ୍ତୁ; ଅମିତ ଶାହଙ୍କୁ ଦେଖା କରିପାରନ୍ତି ଶାହୀନବାଗ ମହିଳା ଆନ୍ଦୋଳନକାରୀ