Corona Virus: ଘାରୁଛି କୋରୋନା ଭୟ, ଭାରତୀୟଙ୍କୁ ଉଦ୍ଧାର ପାଇଁ ଚୀନ ଗଲା ସ୍ୱତନ୍ତ୍ର ବିମାନ
କୋରୋନା ଭାଇରସର କାୟା ବିସ୍ତାରରେ ଥରହର ଚୀନ ସମେତ ଅନେକ ପଡୋଶୀ ଦେଶ
ନୂଆଦିଲ୍ଲୀ: କୋରୋନା ଭାଇରସର କାୟା ବିସ୍ତାରରେ ଥରହର ଚୀନ ସମେତ ଅନେକ ପଡୋଶୀ ଦେଶ । ଆଉ ଏଥିରୁ ବାଦ ପଡିନି ଭାରତ । ଗୁରୁବାର କେରଳରେ କୋରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ପରେ ସମଗ୍ର ଭାରତର ଚିନ୍ତା ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାରତରେ କୋରୋନା ପ୍ରବେଶ କରିସାରିଥିବା ସୂଚନା ଦେବା ପରେ ସମସ୍ତଙ୍କ ମନରେ ପଶିଛି ଛନକା ।
ଓଡ଼ିଶା ସମେତ ୧୨ଟି ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଥିବାବେଳେ ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ଏୟାରପୋର୍ଟରେ ଥର୍ମାଲ ସ୍କାନର ସାହାର୍ଯ୍ୟରେ ସ୍କାନ କରାଯାଉଛି । ସେପଟେ କୋରୋନା ୧୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇ ସାରିଥିବାବେଳେ ପୀଡିତ ଅଛନ୍ତି ୮ହଜାର ଲୋକେ । ମୃତକଙ୍କ ମଧ୍ୟରୁ କିଛି ଭାରତୀୟ ମଧ୍ୟ ସାମିଲ ଅଛନ୍ତି । ମାଲେସିଆରେ ରହୁଥିବା ତ୍ରିପୁରାର ଜଣେ ନାଗରିକଙ୍କ ଜୀବନ କୋରୋନା ଭାଇରସ ଦ୍ୱାରା ଯାଇଥିବା ସୂଚନା ମିଳିଛି ।
ସେପଟେ ଚୀନର ଉହାନରେ ଏହି ରୋଗ କ୍ଷୀପ୍ର ବେଗରେ ବ୍ୟାପୁଥିବାରୁ ଚୀନରେ ଥିବା ଭାରତୀୟଙ୍କୁ ଭାରତ ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛନ୍ତି କେନ୍ଦ୍ର ସରକାର । ଏନେଇ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଶୁକ୍ରବାର ଦିନ ୧୨ଟାରେ ଚୀନର ଉହାନ ପାଇଁ ଉଡାଣ ଭରିଛି । ପ୍ରଥମ ପର୍ଯ୍ୟାୟରେ ୪୦୦ ଜଣଙ୍କୁ ଭାରତ ଫେରାଇ ଆଣିବା ପାଇଁ ଆଜି ଦିଲ୍ଲୀରୁ ବାହାରିଛି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ । ବିମାନଟି ଆସନ୍ତାକାଲି ଅପରାହ୍ଣ ୨ଟା ସୁଦ୍ଧା ଭାରତ ଫେରି ଆସିବ ବୋଲି ସୂଚନା ଦେଇଛନ୍ତି ଏୟାର ଇଣ୍ଡିଆର ଚେୟାରମ୍ୟାନ ଅଶ୍ୱୀନ ଲୋହରୀ ।
କୋରୋନା ଭାଇରସର ଭୟାବହ ସଂକ୍ରମଣକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା(WHO) ସାରା ବିଶ୍ୱରେ ସ୍ୱାସ୍ଥ୍ୟ ଏମରଜେନ୍ସୀ ଘୋଷଣା କରିଛି । ଏହା ପୂର୍ବରୁ ଇବୋଲା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଥିଲା ।