ତାହିର ହୁସେନ ସହ କପିଲ ମିଶ୍ରାଙ୍କ ତୁଳନା କରାଯାଇପାରିବ ନାହିଁ: ଆଇନ ମନ୍ତ୍ରୀ
ଦିଲ୍ଲୀ ହିଂସା ଉପରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗାନ୍ଧୀ ପରିବାରକୁ କଡ଼ା ଟାର୍ଗେଟ କରିଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ ।
ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ନେତା କପିଲ ମିଶ୍ରାଙ୍କୁ ଘଣ୍ଟ ଘୋଡ଼ାଇଲେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ! ଦିଲ୍ଲୀରେ ଦଙ୍ଗା ସୃଷ୍ଟିକରିବା ତଥା ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ଅଭିଯୁକ୍ତ ତାହିର ହୁସେନ ସହ କପିଲ ମିଶ୍ରାଙ୍କ ତୁଳନାକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ । କପିଲଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଯାଇ ରବିଶଙ୍କର କହିଛନ୍ତି, ''ତାହିର ହୁସେନ୍ ଏବଂ କପିଲ ମିଶ୍ରାଙ୍କୁ ତୁଳନା କରାଯାଇପାରିବ ନାହିଁ, ଯେହେତୁ ତାହିର ହୁସେନ୍ ଜଣେ ଆଇବି ଅଧିକାରୀଙ୍କୁ ହତ୍ୟା କରି ଦଙ୍ଗା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି ।''
ସେହିପରି ଦିଲ୍ଲୀ ହିଂସା ଉପରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗାନ୍ଧୀ ପରିବାରକୁ କଡ଼ା ଟାର୍ଗେଟ କରିଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, 'ରାଜଧର୍ମ ନାମରେ ଦିଲ୍ଲୀରେ କଂଗ୍ରେସ ଉତ୍ତେଜନା ସୃଷ୍ଟି କରିଛି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଏଭଳି ଅନେକ ବିବୃତ୍ତି ଦେଇଛନ୍ତି । ଆମେ ଜାଣିବାକୁ ଚାହୁଁ ଏହା କେଉଁ ରାଜଧର୍ମ ?' ଏପରିକି କଂଗ୍ରେସ କାହିଁକି ଲୋକଙ୍କ ଭିତରେ ଉତ୍ତେଜନା ସୃଷ୍ଟି କରିଛି ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର । ସେହିପରି ବିଜେପି ନେତାମାନେ ବିବାଦୀୟ ବିବୃତ୍ତି ଦେଉଥିବା ପ୍ରଶ୍ନ ଉପରେ ରବି ଶଙ୍କର ପ୍ରସାଦ କହିଛନ୍ତି, ''ବରିଷ୍ଠ ନେତାମାନେ ଏଭଳି ବିବୃତ୍ତିକୁ ନିନ୍ଦା କରିଛନ୍ତି । ଦଳ ଏହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ ।''
ରବିଶଙ୍କର କହିଛନ୍ତି, ସୋନିଆ ଗାନ୍ଧୀଙ୍କୁ କୁହ ଯେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ବିସ୍ଥାପିତ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ କଂଗ୍ରେସର ମଧ୍ୟ ଏକ ଚିନ୍ତାଧାରା ରହିଛି । ତୁମର ନେତାମାନେ ଖୋଲାଖୋଲି ଭାବେ ଏହା ଉପରେ ବାରମ୍ବାର ଛିଡା ହୋଇଥିଲେ । ତୁମେ କଲେ ଭଲ ଏବଂ ଆମେ କଲେ ଉତ୍ତେଜନା କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ । ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଶାହିନ୍ ବାଗରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ହିଂସା ପାଇଁ ପିଲାମାନଙ୍କୁ ଉତ୍ସାହିତ କରାଯାଉଥିଲା, ସେତେବେଳେ ଆପଣ କାହିଁକି ଚୁପ୍ ରହିଲେ ? ଏହା କେଉଁ ପ୍ରକାର ରାଜଧର୍ମ ବୋଲି ରବିଶଙ୍କର ପ୍ରଶ୍ନ କରିଛନ୍ତି ।
ଆହୁରି ପଢ଼ନ୍ତୁ; ତାହିର ହୁସେନର ଆତଙ୍କୀ ଲିଙ୍କର ଅନୁସନ୍ଧାନ କରୁଥିଲେ ଅଙ୍କିତ ଶର୍ମା ?