ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ସେଙ୍ଗାରକୁ ଆଜୀବନ କାରାଦଣ୍ଡ
ଦୁଷ୍କର୍ମ ମାମଲାରେ ସେଙ୍ଗାରଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଥିଲା
ଲକ୍ଷ୍ନୌ: ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କୁ ଆଜୀବନ କାରାଦଣ୍ଡ । ଆଜି ଏହି ଘଟଣାର ଶୁଣାଣି କରି ଦିଲ୍ଲୀର ତିସହଜାରୀ କୋର୍ଟ ପୀଡ଼ିତାଙ୍କ ପରିବାରକୁ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ଦଣ୍ଡାଦେଶରେ ଶୁଣାଇଛନ୍ତି । ଏହା ପୂର୍ବରୁ କୋର୍ଟରେ ଏହି ମାମଲାକୁ ନେଇ ବେଶ ଯୁକ୍ତିତର୍କ ହୋଇଥିଲା। ଯ଼ୁକ୍ତିତର୍କ ସମୟରେ ପୀଡ଼ିତାଙ୍କ ପରିବାର ସଦସ୍ୟ ସେଙ୍ଗାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲେ । ମାତ୍ର ଏହାକୁ ସେଙ୍ଗାରଙ୍କ ଓକିଲ ବିରୋଧ କରିଥିଲେ ।
ଶୁଣାଣି ସମୟରେ ଉଭୟ ପକ୍ଷର ଓକିଲ ମଝଭୁତ ଭାବେ ପକ୍ଷ ରଖିଥିଲେ । ପୀଡ଼ିତାଙ୍କୁ ପକ୍ଷରୁ ମାମଲା ଲଢୁଥିବା ଓକିଲ କହିଥିଲେ କି, କୁଲଦୀପ ଜଣେ ଜନନେତା । ସେ ବିଧାୟକ ରହିଛନ୍ତି । ସେ ତାଙ୍କ କ୍ଷମତାର ଭୁଲ ବ୍ୟବହାର କରିଛନ୍ତି । ଫଳରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସେ ଦାବି ଉପସ୍ଥାପିତ କରିଥିଲେ ।
ସୂଚନାଯୋଗ୍ୟ ଦୁଷ୍କର୍ମ ମାମଲାରେ ସେଙ୍ଗାରଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ସେହିଭଳି ଗତ 16 ତାରିଖରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ମୋଟ 5ଟି ମାମଲା ରୁଜୁ ହୋଇଥିବା ବେଳେ ଗୋଟିଏ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ସହିତ ଚଳିତ ମାସ 19 ତାରିଖରେ ସେଙ୍ଗାରଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ ବୋଲି କୋର୍ଟ କହିଥିଲେ । ମାତ୍ର ତାହା ଆଜି ଅର୍ଥାତ 20 ତାରିଖକୁ ଘୁଞ୍ଚିଥିଲା ।