ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣାର ନିର୍ବାଚଳ ଫଳାଫଳ ଘୋଷଣା ହେବାକୁ ଯାଉଛି ।  ମହାରାଷ୍ଟ୍ରରେ ସରକାର ଗଠନର ଚିତ୍ର ସ୍ପଷ୍ଟ ଥିବାବେଳେ ହରିୟାଣାରେ ସରକାର ଗଠନ ଉପରେ ଏବେ ବି ପ୍ରଶ୍ନବାଚୀ ଲାଗି ରହିଛି । ଖୁବଶୀଘ୍ର ଏନେଇ ଚିତ୍ର ସ୍ପଷ୍ଚ ହେବ ବୋଲି ଆଶା କରାଯାଉଛି । ଉଭୟ ରାଜ୍ୟରେ ବିଜେପିକୁ ଜନତା  କଡ଼ା ସନ୍ଦେଶ ଦେଇଥିବାବେଳେ  ବିରୋଧୀଙ୍କୁ  ମିଳିଛି ସଞ୍ଜିବନୀ ।   ମହାରାଷ୍ଟ୍ରରେ  ବିଜେପି-ଶିବସେନା ମିଳିତ ଭାବରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ୫୦-୫୦ ଦାବି ବିଜେପିକୁ ସମସ୍ୟାରେ ପକାଇଛି । 


COMMERCIAL BREAK
SCROLL TO CONTINUE READING

ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପିକୁ ସବୁଠାରୁ ବଡ଼ ଦଳର ମାନ୍ୟତା ମିଳିଥିଲେ ପୂର୍ବ ନିର୍ବାଚନ ତୁଳନାରେ କମିଛି ଦଳର ଆସନ ସଂଖ୍ୟା । ସେପଟେ ହରିୟାଣାରେ ମଧ୍ୟ ଜେଜେପି ସମର୍ଥନରେ ବିଜେପି ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି । ରାଜ୍ୟରେ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁବାର ରାତିରେ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇବ ବୋଲି ସୂଚନା ମିଳିଛି । ରାଜ୍ୟରେ ବିଜେପି ସମେତ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିପାରିନାହିଁ । ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ପୂର୍ଣ୍ଣ ମହୁମତ ମିଳିଛି । 


୨୮୮ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମେଣ୍ଟକୁ ପୂର୍ଣ୍ଣ ସମର୍ଥନ ମିଳିବା ପରେ ଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ ହୋଇଛି । ମୁମ୍ବାଇ ୱର୍ଲି ଆସନରେ ଶିବସେନା ପ୍ରାର୍ଥୀ ଆଦିତ୍ୟ ଠାକରେ ଓ ନାଗପୁର ପଶ୍ଚିମ ଆସନରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିଜୟୀ ହୋଇଛନ୍ତି ।  ଏହା ସହିତ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ, କୋଥରୁଡ ଆସନରୁ ନିର୍ବାଚନ ଜିତିଛନ୍ତି । ବିଜେପିର ଆସନ ସଂଖ୍ୟା କମିବାକୁ ନେଇ ଦଳର କେନ୍ଦ୍ରୀୟ ଟିମ ଚିନ୍ତା ପ୍ରକାଶ କରିଛନ୍ତି । ଏପଟେ ବିଜେପିର ସାଭରକର କାର୍ଡ ଫେଲ ହୋଇଯାଇଛି ବୋଲି କଂଗ୍ରେସ ନେତା ଏମ ବିରପ୍ପା ମୋଇଲୀ କହିଛନ୍ତି । 


ରାଜ୍ୟରେ ମେଣ୍ଟ ସରକାରକୁ ଜନ ସମର୍ଥନ ମିଳିଥିବା ବେଳେ ଶିବସେନା ପକ୍ଷରୁ ରାଜ୍ୟ କ୍ୟାବିନେଟରେ ଅଧା ମନ୍ତ୍ରୀ ପଦ ଦାବି କରିଛି । ଏହାସହିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ଶିବସେନାକୁ ମିଳିବା ଉଚିତ ବୋଲି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ କହିଛନ୍ତି ।  ପୂର୍ବରୁ ବିଜେପି ରାଜ୍ୟରେ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଶିବସେନା ପ୍ରାର୍ଥୀ ଆଦିତ୍ୟ ଠାକରେଙ୍କ ବିପୁଳ ବିଜୟ ପରେ ଶିବସେନାର ଦାବି ଉପରେ ସମସ୍ତଙ୍କ ନଜର ରହିଛି   ।  ସେପଟେ ଏନସିପି-ଶିବସେନା ମିଳିତ ଭାବରେ ସରକାର ଗଠନ ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଏନସିପି ଅଧ୍ୟକ୍ଷ ଶରଦ ପାୱାର । ଦୁଇ ଦଳ ମଧ୍ୟରେ ବିଚାରଗତ ଅସଙ୍ଗତି ରହିଥିବାରୁ କେବେ ବି ଏହା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । 


ସେପଟେ ହରିୟାଣାରେ ମ୍ୟାଜିକ ନମ୍ବର ୪୬କୁ ଛୁଇଁବାକୁ ସମସ୍ତ ଦଳର ପ୍ରୟାସ ବିଫଳ ହୋଇଛି । ରାଜ୍ୟରେ ଏକ ପ୍ରକାର ଝୁଲା ସରକାର ଗଠନ ହେବା ନିଶ୍ଚିତ ହୋଇଛି ।  ବିଜେପି ପକ୍ଷରୁ ଜେଜେପି କିମ୍ବା ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ସରକାର ଗଢ଼ିବା ପାଇଁ ଉଦ୍ୟମ ଜାରି ରହିଛି । ଏନେଇ ଦିଲ୍ଲୀ ମୁଖ୍ୟାଳୟରେ ବିଜେପି ଅଧ୍ୟକ୍ଷଙ୍କ ସହ ମନୋହରଲାଲ ଜରୁରୀ ବୈଠକରେ ସାମିଲ ହୋଇଥିଲେ । ବିଜେପିର ପ୍ରଦର୍ଶନ ପରେ ରାଜ୍ୟ ବିଜେପି ସଭାପତି ସୁବାଷ ବରାଲା ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଖୋଦ ସୁବାଷ ।  


ରାଜ୍ୟରେ ଜେଜେପି ସରକାର ଗଠନ ପାଇଁ ନିର୍ଣ୍ଣାୟକ ଭୂମିକା ନେବ ବୋଲି କହିଛନ୍ତି ଦଳର ମୁଖ୍ୟ ଦୁଷ୍ମନ୍ତ ଚୌଟାଲା । ଶୁକ୍ରବାର ଦିଲ୍ଲୀରେ ବୈଠକ ହେବ ବୋଲି କହିଛନ୍ତି ସେ । ସେପଟେ ରାଜ୍ୟରେ ସମସ୍ତ ବିରୋଧୀ ଦଳ ମିଶି ସରକାର ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡା । ରାଜ୍ୟରେ ଆଶାନୁରୂପ ସଫଳତା ମିଳିନଥିଲେ ବି ଆମେ ସରକାର ଗଠନ କରିବୁ ବୋଲି ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟ କହିଛନ୍ତି । ଦୁଇ ରାଜ୍ୟର ନିର୍ବାଚଳ ଫଳ ପ୍ରକାଶ ପାଇବାକୁ ଯାଉଛି । ମହାରାଷ୍ଟ୍ରରେ ସରକାର ଗଠନର ଚିତ୍ର ସ୍ପଷ୍ଟ ଥିବାବେଳେ ହରିୟାଣାରେ ସରକାର ଗଠନ ଉପରେ ଏବେ ବି ପ୍ରଶ୍ନବାଚୀ ଲାଗି ରହିଛି । ଖୁବଶୀଘ୍ର ଏନେଇ ଚିତ୍ର ସ୍ପଷ୍ଚ ହେବ ବୋଲି ଆଶା କରାଯାଉଛି ।