ନୂଆଦିଲ୍ଲୀ: ଏନଆରସି ଏବଂ ସିଏଏକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ବାରମ୍ବାର ସ୍ପଷ୍ଟିକରଣ ରଖୁଛନ୍ତି କେନ୍ଦ୍ର ସରକାର । ଗୋଟିଏ ପଟେ ବିରୋଧୀ ଏହାକୁ ଅସାମ୍ବିଧାନିକ କହୁଛନ୍ତି । ଅନ୍ୟପଟେ ସରକାର ଏହି ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି । ଏପରିକି ବିରୋଧୀ ଆଇନକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି କେନ୍ଦ୍ର ସରକାର । ଆଉ ଏହାରି ଭିତରେ ଏନଆରସି ଏବଂ ସିଏଏ ସମ୍ପର୍କିତ ୧୩ ପ୍ରଶ୍ନର ଉତ୍ତର ଦେଇ ସାଧାରଣ ଲୋକଙ୍କ ସମସ୍ତ ଭୟ ଓ ଆଶଙ୍କାକୁ ଦୂର କରିବା ପାଇଁ ସରକାର ଚେଷ୍ଟା କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ପ୍ରଶ୍ନ- ସିଏଏ ଉପରେ ହିଁ କ'ଣ ଏନଆରସି ପର୍ଯ୍ୟବେସିତ ?


ଉତ୍ତର- ନା, ଏମିତି କିଛି ନାହିଁ । ସିଏଏ ଅଲଗା ଆଇନ, ଏନଆରସି ଅନ୍ୟ ଏକ ପ୍ରକ୍ରିୟା । ସିଏଏ ଏବେ ଆଇନରେ ପରିଣତ ହୋଇସାରିଛି । ସମଗ୍ର ଦେଶରେ ଏହା ଲାଗୁ ହୋଇସାରିଛି । ଅନ୍ୟପଟେ ଏନଆରସି ନିୟମ/ପ୍ରକ୍ରିୟା ଚୁଡାନ୍ତ ନିଷ୍ପତ୍ତି ହେବା ବି ବାକି ଅଛି ।  ଆସାମରେ ଯେଉଁ ଏନଆରସି ପ୍ରକ୍ରିୟା ଚାଲିଛି, ତାହା ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ । 


ପ୍ରଶ୍ନ- ଭାରତୀୟ ମୁସଲମାନଙ୍କୁ ସିଏଏ କିମ୍ବା ଏନଆରସି ନେଇକି ଚିନ୍ତିତ ହେବାର ଆବଶ୍ୟକତା ଅଛି କି ?


ଉତ୍ତର- କୌଣସି ଧର୍ମାବଲମ୍ବିର ଭାରତୀୟ ନାଗରିକଙ୍କୁ ଏହି ଆଇନ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । 


ପ୍ରଶ୍ନ- ଏନଆରସି କେବଳ ମୁସଲମାନଙ୍କ ପାଇଁ ଲାଗୁ ହେବ ?


ଉତ୍ତର- ଜମା ବି ନୁହେଁ । କୌଣସି ଧର୍ମ ସହ ଏହାର କିଛି ସମ୍ପର୍କ ନାହିଁ । ଏହା ଭାରତର ସମସ୍ତ ନାଗରିକଙ୍କ ପାଇଁ ହେବ । ଏହା ନାଗରିକଙ୍କ ପାଇଁ କେବଳ ଏକ ପଞ୍ଜିକରଣ, ଯେଉଁଥିରେ ଦେଶର  ସମସ୍ତ ନାଗରିକଙ୍କୁ ନିଜ ନାଁ ଦାଖଲ କରିବାକୁ ପଡିବ । 


ପ୍ରଶ୍ନ- ଏନଆରସିରେ କଣ ଧର୍ମୀୟ ଆଧାରରେ ଲୋକଙ୍କୁ ଭିତର/ବାହାର କରାଯିବ ? 


ଉତ୍ତର- ନା, ଏନଆରସି କୌଣସି ଧର୍ମ ଉପରେ ପର୍ଯ୍ୟବେସିତ ନୁହେଁ । ଏନଆରସି ଧର୍ମ ଆଧାରରେ ଲାଗୁ କରାଯିବ ନାହିଁ । ଏପରି କେବେ ସମ୍ଭବ ମଧ୍ୟ ହୋଇପାରିବ ନାହିଁ ।  


ପ୍ରଶ୍ନ- ଏନଆରସି ମାଧ୍ୟମରେ କଣ ମୁସଲମାନଙ୍କୁ ଭାରତୀୟ ନାଗରିକ ନେଇ ପ୍ରମାଣ ମଗାଯିବ ?


ଉତ୍ତର- ଏନଆରସି ଏବେ ରାଷ୍ଟ୍ରୀୟ ସ୍ତରରେ ଆରମ୍ଭ ହୋଇନାହିଁ । ନା କୌଣସି ସରକାରୀ ଅଧିକାରୀ ଏନେଇ କିଛି ଘୋଷଣା କରିଛନ୍ତି ନା କିଛି ନିୟମ କାନୁନ ହୋଇଛି । ଯଦି ଭବିଷ୍ୟତରେ ଏହା ଲାଗୁ କରାଯାଏ, ଏହା ବୁଝିବା ଠିକ୍ ନୁହେଁ ଯେ କାହାକୁ ଭାରତୀୟତାର ପ୍ରମାଣ ମଗାଯାଉଛି । ଏନଆରସିକୁ ଆପଣ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ଭାବରେ ମାନିପାରିବେ । ନାଗରିକତା ରେଜିଷ୍ଟରରେ ନାଁ ପଞ୍ଜିକରଣ କରିବା ପାଇଁ ଆପଣଙ୍କ ଯେକୌଣସି ପରିଚୟ ପତ୍ର କିମ୍ବା ଅନ୍ୟ ଦସ୍ତାବିଜ ଦେଇପାରିବେ । 


ପ୍ରଶ୍ନ- ନାଗରିକତା କିପରି ଦିଆଯାଏ ? ଏହା କଣ ସରକାରଙ୍କ ହାତରେ ହୋଇଥାଏ ?


ଉତ୍ତର- ନାଗରିକତା ନିୟମ ୨୦୦୯ ଅନୁସାରେ, କୌଣସି ବି ବ୍ୟକ୍ତିର ନାଗରିକତା ପ୍ରସ୍ତୁତ କରାଯାଇପାରିବ । ଏହି ଆଇନ ନାଗରିକତା ଆଇନ-୧୯୫୫ ଆଧାରରେ ହୋଇଛି । କୌଣସି ମଧ୍ୟ ବ୍ୟକ୍ତିକୁ ଭାରତର ନାଗରିକ ହେବା ପାଇଁ ୫ଟି ପ୍ରଣାଳୀ ଅଛି । 


  • ଜନ୍ମ ଆଧାରରେ ନାଗରିକତା

  • ବଂଶ ଆଧାରରେ ନାଗରିକତା

  • ପଞ୍ଜିକରଣ ଆଧାରରେ ନାଗରିକତା

  • ଦେଶୀୟକରଣ ଆଧାରରେ ନାଗରିକତା

  • ଭୂମି ବିସ୍ତାର ଆଧାରରେ ନାଗରିକତା(ଅର୍ଥାତ ଯଦି କୌଣସି ଭୂଖଣ୍ଡକୁ ଦେଶ ନିଜ ଅଧିନକୁ ଆଣେ, ତେବେ ସେହି ଭୂଖଣ୍ଡର ସମସ୍ତ ବ୍ୟକ୍ତି ବିଶେଷକୁ ଦେଶର ନାଗରିକତା ମିଳେ) । 


ପ୍ରଶ୍ନ- ଯଦି କେବେ ଏନଆରସି ଲାଗୁ ହେବ, ତେବେ କଣ ଆମକୁ ଭାରତୀୟ ନାଗରିକ ଭାବରେ ପ୍ରମାଣ ଦେବାକୁ ଯାଇ ନିଜ ମାତା ପିତାଙ୍କ ଜନ୍ମ ବିବରଣୀ ଦେବାକୁ ପଡିବ ?


ଉତ୍ତର- ନା, ଆପଣଙ୍କୁ କେବଳ ଆପଣଙ୍କ ଜନ୍ମ ତାରିଖ ଓ ସ୍ଥାନ ସମ୍ପର୍କରେ ଜଣାଇବାକୁ ପଡିବ । କିନ୍ତୁ ଯଦି ଆପଣଙ୍କ ପାଖରେ ଜନ୍ମର ବିବରଣୀ ନାହିଁ, ତେବେ ଆପଣଙ୍କୁ ଆପଣଙ୍କ ମାତା ପିତାଙ୍କ ସମ୍ପର୍କତରେ ଏହି ବିବରଣୀ ଦେବାକୁ ପଡିବ । ଜନ୍ମ ତାରିଖ ଏବଂ ସ୍ଥାନ ସମ୍ପର୍କିତ କୌଣସି ବି ଦସ୍ତାବିଜ ଦେଇ ଏନଆରସିରେ ଅନ୍ତର୍ଭୁକ୍ତ ହୋଇପାରିବେ । ତେବେ ଏହା ଉପରେ ଏବେ ଆହୁରି ନିଷ୍ପତ୍ତି ନେବାର ଅଛି । ଏଥିରେ ଆହୁରି ପରିବର୍ତ୍ତନ ଆସିପାରେ, ଯେପରି ଆହୁରି ଏହା ସରଳ ହୋଇପାରିବ । 


ପ୍ରଶ୍ନ- ଯଦି ଏନଆରସି ଲାଗୁ ହୁଏ, ତେବେ କଣ ଆମକୁ ୧୯୭୧ ମସିହା ପୂର୍ବ ବଂଶାବଳୀ ପ୍ରମାଣ ଦେବାକୁ ପଡିବ ?


ଉତ୍ତର- ଏମିତି ନୁହେଁ । ୧୯୭୧ ମସିହା ପୂର୍ବର ବଂଶାବଳୀ ପାଇଁ ମାତା ପିତା କିମ୍ବା ପୂର୍ବଜଙ୍କ ଜନ୍ମ ପ୍ରମାଣ ପତ୍ର ପ୍ରସ୍ତୁତିର ଆବଶ୍ୟକତା ନାହିଁ । ଏହା କେବଳ ଆସାମ ଏନଆରସି ପାଇଁ ପ୍ରଯୁଜ୍ୟ ଥିଲା । ଏହା ପୁଣି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ । ଦେଶର ଅନ୍ୟ ସ୍ଥାନଗୁଡିକ ପାଇଁ Tha Citizenship Rules, 2003 ପରି ଏନଆରସି ପ୍ରକ୍ରିୟା ସମ୍ପର୍ଣ୍ଣ ପୃଥକ ଅଟେ । 


ପ୍ରଶ୍ନ- ଯଦି ଏନଆରସି ପାଇଁ ଦସ୍ତାବିଜ ଦେବା ଏତେ ସହଜ, ତେବେ ଆସାମରେ କିପରି ୧୯ ଲକ୍ଷ ଲୋକ ଏନଆରସିରୁ ବାହାର ହୋଇଗଲେ ? 


ଉତ୍ତର- ଆସାମର ସମସ୍ୟାକୁ ପୁରା ଦେଶ ସହ ଯୋଡିବା ଠିକ୍ ନୁହେଁ । ସେଠାରେ ଅନୁପ୍ରବେଶକାରୀ ସମସ୍ୟା ଦୀର୍ଘ ଦିନ ହେଲା ରହି ଆସିଛି । ଏହାକୁ ବିରୋଧ କରି ୬ ବର୍ଷ ପର୍ଯ୍ୟନ୍ତ ଆନ୍ଦୋଳନ ହୋଇଛି । ଅନୁପ୍ରବେଶ ସମସ୍ୟା ଯୋଗୁଁ ୧୯୮୫ରେ ରାଜୀବ ଗାନ୍ଧୀ ସରକାରଙ୍କୁ ବୁଝାମଣା କରିବାକୁ ପଡିଥିଲା । ଯେଉଁଥିପାଇଁ ତ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ୨୫ ମାର୍ଚ୍ଚ ୧୯୭୧କୁ କଟ୍ ଅଫ୍ ଡେଟ୍ ଭାବରେ ହିସାବକୁ ନିଆଯାଇଥିଲା । 


ପ୍ରଶ୍ନ- ଏନଆରସି ପାଇଁ କଣ ବହୁ ପୁରୁଣା ଦସ୍ତାବିଜ ମଗାଯିବ, ଯାହା ଯୋଗାଡ କରିବା କାଠିକର ପାଠ ?


ଉତ୍ତର- ପରିଚୟ ପତ୍ର ପାଇଁ ସାମାନ୍ୟ ଦସ୍ତାବିଜର ଜରୁରୀ ହେବ । ଯାହା ଯୋଗାଡ କରିବା ସହଜ । ଯଦି ରାଷ୍ଟ୍ରୀୟ ସ୍ତରରେ ଏନଆରସି ଲାଗୁ ହୁଏ, ତେବେ ଏଥିପାଇଁ ସରକାର ସହଜିଆ ବାଟ ପ୍ରସ୍ତୁତ କରିବେ । ଯାହା ସାଧାରଣ ଲୋକଙ୍କୁ ସୁହାଇବ । ନିଜ ଦେଶର ନାଗରିକଙ୍କୁ ହଇରାଣରେ ପକାଇବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । 


ପ୍ରଶ୍ନ- ଯଦି କୌଣସି ବ୍ୟକ୍ତି ପଢା ଲେଖା ନୁହେଁ ଏବଂ ତା ପାଖରେ କୌଣସି ଦସ୍ତାବିଜ ମଧ୍ୟ ନଥାଏ, ତେବେ କଣ ହେବ ? 


ଉତ୍ତର- ଏଭଳି କ୍ଷେତ୍ରରେ ଦାୟିତ୍ୱରେ ଥିବା ଅଧିକାରୀ ସାହାଯ୍ୟ କରିବେ । ଏପରିକି community verification ଇତ୍ୟାଦିର ମଧ୍ୟ ଅନୁମତି ଦେବେ । ଏକ ଉଚିତ ପ୍ରକ୍ରିୟାର ପାଳନ କରାଯିବ । 


ପ୍ରଶ୍ନ- ଭାରତରେ ଏମିତି ବହୁ ଲୋକ ଅଛନ୍ତି, ଯେଉଁମାନଙ୍କ ଘର ନାହିଁ । ସେମାନେ ଗରିବ, ପଢା ଲେଖା ନୁହେଁ । ସେମାନଙ୍କ ପାଖରେ ପରିଚୟ ଦେଲା ପରି କିଛି ଆଧାର ବି ନାହିଁ । ତେବେ ଏପରି ଲୋକଙ୍କ କଣ ହେବ ? 


ଉତ୍ତର- ଏହା ଭାବିବା ଭୁଲ । ଏପରି ଲୋକଙ୍କର ମଧ୍ୟ କୌଣସି ନା କୌଣସି ଆଧାରରେ ଭୋଟ ଦେବା ଏବଂ ସରକାରୀ ଯୋଜନାରୁ ଲାଭ ଉଠାଇବା ସମ୍ଭବ ହେଉଛି । ସେହି ଆଧାରରେ ସେମାନେ ନିଜ ପରିଚୟ ଦେଇପାରିବେ । 


ପ୍ରଶ୍ନ- ଯଦି କୌଣସି କିନ୍ନର, ନାସ୍ତିକ, ଆଦିବାସୀ, ଦଳିତ, ମହିଳା କିମ୍ବା ଭୂମିହୀନ ପାଖରେ ଦସ୍ତାବିଜ ନାହିଁ, ତେବେ ଏନଆରସି କଣ ତାଙ୍କୁ ବାହାର କରିଦେବ ? 


ଉତ୍ତର- ନା, ଏନଆରସି ଯେବେ ବି ଲାଗୁ ହେବ, ଏହି ସମୂହଙ୍କୁ କୌଣସି ପ୍ରଭାବ ପଡିବନି । 


ଆହୁରି ପଢନ୍ତୁ; ବିକ୍ଷୋଭକାରୀ ବି ଦେଶକୁ ପ୍ରଚୁର ଭଲ ପାଆନ୍ତି, ପ୍ରମାଣ କରିଦେଲେ ଡିସିପି