ତେହରାନ: ଜେଲରୁ ମୁକ୍ତି ଦେଲା କରୋନା । ଜଣେ କି ଦୁଇ ଜଣ ନୁହେଁ, ୫୪ ହଜାରରୁ ଉର୍ଦ୍ଧ୍ୱ କଏଦୀଙ୍କୁ ମୁକ୍ତ କରିଛନ୍ତି ଇରାନ ସରକାର । ଇରାନରେ ଥିବା ବିଭିନ୍ନ କାରାଗାରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅସ୍ଥାୟୀ ଭାବେ କଏଦୀଙ୍କୁ ମୁକ୍ତ କରାଯାଇଛି । ତେବେ ୫ ବର୍ଷରୁ
 ଅଧିକ ଜେଲ ଦଣ୍ଡଦେଶ ହୋଇଥିବା କଏଦୀଙ୍କୁ ମୁକ୍ତ କରାଯାଇନାହିଁ । 


COMMERCIAL BREAK
SCROLL TO CONTINUE READING

ଚୀନ ପରେ ଇରାନରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେଣୁ କରୋନାକୁ ନିୟନ୍ତ୍ରଣ କରିବା ଇରାନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇରାନର ୨୩ ସାଂସଦ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ । ତେଣୁ କରୋନା ଭାଇରସକୁ ନେଇ ବେଶ ଚିନ୍ତିତ ଅଛନ୍ତି ଇରାନ ସରକାର । 


ଇରାନର ଜେଲ ଗୁଡ଼ିକରେ ଅଧିକ ସଂଖ୍ୟାରେ କଏଦୀ ଥିବାରୁ କରୋନା ସଂକ୍ରମଣର ଭୟ ଅଧିକ । ତେଣୁ ୫ ବର୍ଷରୁ କମ ଦଣ୍ଡାଦେଶ ହୋଇଥିବା ୫୪ ହଜାରରୁ ଉର୍ଦ୍ଧ୍ୱ କଏଦୀଙ୍କୁ ସାମୟିକ ଭାବେ ମୁକ୍ତ କରିଛି ଇରାନ । ମୁକ୍ତ ହୋଇଥିବା କଏଦୀଙ୍କ ନମୂନା ପ୍ରଥମେ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ କରୋନା ନେଗେଟିଭ ଆସିବା ପରେ ତାଙ୍କୁ ମୁକ୍ତ କରାଯାଇଛି ।   


କହିରଖୁଛୁ, ମଙ୍ଗଳବାର ଇରାନରେ ୮୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୯୦ ଆସନ ବିଶିଷ୍ଟ ଇରାନ ସଂସଦର ୨୩ ସଦସ୍ୟ ମଧ୍ୟ କରୋନା ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡ଼ିଛି । 


ଆହୁରି ପଢ଼ନ୍ତୁ; Delhi Violence: ଆଗୁଆ ଜାମିନ ଆବେଦନ କଲେ ତାହିର ହୁସେନ