ଜଳେଶ୍ୱର: ସଙ୍କଟରେ  ଓଡ଼ିଶା- ପଶ୍ଚିମବଙ୍ଗ ସୀମନ୍ତରେ  ଥିବା  ଓଡ଼ିଆ  ବିଦ୍ୟାଳୟ । ସଭିଏଁ ପଢ଼ିବା,  ସଭିଏଁ  ବଢିବା, ଏହି ନାରା କେବଳ  କାନ୍ଥ , ବାଡ଼ ଓ  କାଗଜ କଲମରେ ସୀମିତ ଥିବା ଜଣାପଡିଛି । ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ  ସିଆସୁଇ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମି ଅଭାବରୁ  ଦେଢ ଶହ  ଛାତ୍ର ଛାତ୍ରୀ ବିପଦସଙ୍କୁଳ  ଭାବେ  ଭଙ୍ଗା ଘରେ  ପାଠ ପଢିବାକୁ  ବାଧ୍ୟ  ହେଉଛନ୍ତି । ଅନ୍ୟପଟେ  ବିଦ୍ୟାଳୟର  ବିକାଶ ପାଇଁ  ଆସିଥିବା  ସାତ  ଲକ୍ଷ  ଅନୁଦାନ ଟଙ୍କାର ହିସାବ  ଦେଇ  ପାରୁନାହାନ୍ତି  କନିଷ୍ଠ ଯନ୍ତ୍ରୀ । ସରକାରୀ  ଦପ୍ତରରୁ  ଅନୁଦାନ  ଟଙ୍କା  ହିସାବର  କାଗଜପତ୍ର  ବି ମିଳୁନି । ପିଲାଙ୍କୁ ଶିକ୍ଷିତ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ସରକାର ।  କିନ୍ତୁ, ଏମିତି ବି ବିଦ୍ୟାଳୟ ଅଛି, ଯେଉଁଠି ଦୀର୍ଘ ୨୫ ବର୍ଷ ଧରି ଭଙ୍ଗା ଦଦରା ଘରେ ପାଠ ପଢ଼ୁଛନ୍ତି ପିଲା  । 


COMMERCIAL BREAK
SCROLL TO CONTINUE READING

 ଅନୁଦାନ ଆସୁଛି, କିନ୍ତୁ ତାହା ଚଳୁ ହୋଇଯାଉଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଭୋଗରାଇ ବ୍ଲକର ପଶ୍ଚିମବଙ୍ଗକୁ ଲାଗି ଥିବା ଗାଁ ହେଉଛି ସିଆରୁଇ । ପଶ୍ଚିମବଙ୍ଗ ସୀମାରୁ ମାତ୍ର ପାଞ୍ଚ ଶହ ମିଟର ଓଡ଼ିଶା ଭିତରେ ରହିଛି ଶ୍ରୀକାନ୍ତ ଚରଣ ବିଦ୍ୟାପୀଠ । ୧୯୯୫ ମସିହାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ ୨୦୧୫ମସିହାରେ ବ୍ଲକଗ୍ରାଣ୍ଟ ମାନ୍ୟତା ପାଇଥିଲା ।  ବର୍ତ୍ତମାନ ବିଦ୍ୟାଳୟରେ ୧୫୦ ଜଣ ଛାତ୍ର ଛାତ୍ରୀ ଅଛନ୍ତି  । 


ସୀମାନ୍ତରେ ଏକମାତ୍ର ବିଦ୍ୟାଳୟ ହୋଇଥିବାରୁ ବହୁ ପିଲା ପଶ୍ଚିମବଙ୍ଗରୁ ଆସି ଏହି ଓଡ଼ିଆ ବିଦ୍ୟାଳୟରେ ପାଠ ପଢ଼ନ୍ତି । ବିଦ୍ୟାଳୟଟି ୧୯୯୫ମସିହାରୁ ମାଟି କାନ୍ଥ ଓ  ଆଜବେଷ୍ଟସ୍ ଛପର ହୋଇଥିବାରୁ ଏହା ଭାଙ୍ଗିରୁଜି ଗଲାଣି ।  ବିଦ୍ୟାଳୟକୁ ନା ଅଛି ଭଲ ରାସ୍ତା ନା ବିଦ୍ୟାଳୟରେ ଅଛି ଶୌଚାଳୟ । ବନ୍ୟାଞ୍ଚଳ ହୋଇଥିବାରୁ ବର୍ଷା ଦିନେ ବି ନାନା ଅସୁବିଧା ହୋଇଥାଏ । ସ୍ଥାୟୀ ଶ୍ରେଣୀ ଗୃହ ଅଭାବରୁ ପିଲାମାନେ ପାଠ ପଢ଼ିବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ।


ବିଦ୍ୟାଳୟର ଏପରି ଅବସ୍ଥା ଦେଖି ୨୦୦୭ରେ ସାଂସଦ ଖାରବେଳ ସ୍ଵାଇଁ ଏକ ଲକ୍ଷ  ନବେ ହଜାର ଟଙ୍କା ଅନୁଦାନ ଦେଇଥିଲେ । ସେହିପରି ୨୦୧୧ରେ  ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ , ୨୦୧୩/୧୪ରେ ସାଂସଦ ଶ୍ରୀକାନ୍ତ ଜେନାଙ୍କ ଫଣ୍ଡରୁ ତିନି ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା ।  ମୋଟ  ୬ ଲକ୍ଷ ନବେ ହଜାର ଟଙ୍କା ଅନୁଦାନ ମଧ୍ୟରୁ ମାତ୍ର ଅଳ୍ପ କେତେ ଟଙ୍କାର କାମ ହୋଇଛି, ଯାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ । ଏହି ବାବଦରେ  ଭୋଗରାଇ ବ୍କକର ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ କିମ୍ବା ବିଡିଓଙ୍କ ପାଖରେ କିଛି ଖଵର ବା  କାଗଜପତ୍ର  ନଥିବା ସୂଚନା ଆଇନରୁ ଜଣାପଡ଼ିଛି । ତେବେ ଏ ବାବଦରେ  ଭୋଗରାଇ  ବ୍ଲକ  ବିଡିଓ, ସହକାରୀ ଯନ୍ତ୍ରୀ ଓ  କନିଷ୍ଠ ଯନ୍ତ୍ରୀ  କ୍ୟାମେରା ଆଗରେ  କିଛି  କହିବାକୁ  ମନା କରି ଦେଇଛନ୍ତି । ଅନ୍ୟପଟେ ସୂଚନା ଅଧିକାର ତଥ୍ୟକୁ  ନେଇ  ଗ୍ରାମରେ  ଉତ୍ତେଜନା ବଢିବାକୁ ଲାଗିଛି । ଖୁବଶୀଘ୍ର ସରକାର କିଛି ପଦକ୍ଷେପ ନ ନେଲେ  ପରିସ୍ଥିତି  ଭୟାବୟ ହେବାକୁ ଗ୍ରାମବାସୀ ଚେତାବନୀ ମଧ୍ୟ ଦେଇଛନ୍ତି ।