ନୂଆଦିଲ୍ଲୀ: ମୁଁହ ମାଡ଼ି ପଡ଼ିଲା ପାକିସ୍ତାନ। ଯୁବ କ୍ରିକେଟରଙ୍କ ମାଡ଼ରେ ଘାଇଲା ପାକିସ୍ତାନ। ୧୦ ଓ୍ୱିକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଛି ଭାରତ। ଫଳରେ ୧୯ବର୍ଷରୁ କମ କ୍ରିକେଟ ବିଶ୍ୱକପ ଫାଇନାଲରେ ଭାରତ ସ୍ଥାନ ପକ୍କା କରିଛି। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୩।୧ ଓଭରରେ ୧୭୨ ରନ ସଂଗ୍ରହ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତ ଧାର୍ଯ୍ୟ ବିଜୟ ଲକ୍ଷକୁ ମାତ୍ର ୩୫।୨ ଓଭରରେ ୧୭୬ ରନ ସଂଗ୍ରହ କରି ଏକ ତରଫା ଭାବେ ବିଜୟୀ ହୋଇଥିଲା। ଭାରତର ପାଳି ଆରମ୍ଭ କରିଥିବା ଦୁଇ ବ୍ୟାଟସମ୍ୟାନ ଯଶସ୍ୱୀ ଜୟସ୍ୱାଲ ଏବଂ ଦିବ୍ୟାଂଶ ସକ୍ସେନା ଅପରାଜିତ ରହି ଭାରତକୁ ସଫଳତାର ସହ ଫାଇନାଲରେ ପ୍ରବେଶ କରାଇଥିଲେ। ଯଶସ୍ୱୀ ଅପରାଜିତ ଶତକ(୧୦୫) ଓ ଦିବ୍ୟାଂଶ ସକ୍ସେନା(୫୯) ଅପରାଜିତ ଅର୍ଦ୍ଧଶତକ କରିଥିଲେ। 


ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ଦଳର ହାଇଦର ଅଲ୍ଲୀ ଓ ମହମ୍ମଦ ହୁରାଇରା ପାଳି ଆରମ୍ଭ କରିଥିଲେ। ମାତ୍ର ମହମ୍ମଦ ଅଧିକ ସମୟ ପଡ଼ିଆରେ ତିଷ୍ଠି ପାରିନଥିଲେ। ମାତ୍ର ୪ ରନ କରି ପାଭିଲିୟନ ଫେରିଥିଲେ। ହାଇଦର ଓ ରୋହେଲ ନାଜିର ଓ ମହମ୍ମଦ ହାରିସଙ୍କ ବ୍ୟତୀତ ଅନ୍ୟକେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ହାଇଦର (୫୬) ଓ ରୋହେଲ ନାଜିର(୬୨)ଙ୍କ ଅପରାଜିତ ବଳରେ ଦଳୀୟ ସ୍କୋର ୧୭୨ ରନ ଛୁଇଁପାରିଥିଲା। ମହମ୍ମଦ ହାରିସ ୨୧ କରିଥିବା ବେଳେ କାସିମ ଆକ୍ରମ ୯, ଇରଫାନ ଖାନ ୩, ଆବ୍ବାସ ଆଫ୍ରିଦ ଓ ତାହିର ହୁସେନ ୨, ଆମିର ଅଲ୍ଲୀ ୧ ରନ କରିଥିଲେ। 


ଭାରତ ପକ୍ଷରୁ ସୁଶାନ୍ତ ମିଶ୍ରା ସର୍ବାଧିକ ୩ଟି ଓ୍ୱିକେଟ ହାତେଇଥିବା ବେଳେ କାର୍ତ୍ତିକ ତ୍ୟାଗି ଓ ରବି ବିଷ୍ଣୋୟୀ ଦୁଇଟି, ଅଥର୍ବ ଆଙ୍କୋଲେକାର ଓ ଯଶସ୍ୱୀ ଜୟସ୍ୱାଲ ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ। 


ଜବାବରେ ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ଭାରତ ବ୍ୟାଟି ଆରମ୍ଭ କରିଥିଲା। ଭାରତ ପକ୍ଷରୁ ଜୟସ୍ୱାଲ ଏବଂ ଦିବ୍ୟାଂଶଙ୍କୁ ପାକିସ୍ତାନୀ ବୋଲର ଆଉଟ କରିବାରେ ବିଫଳ ହୋଇଥିଲେ। ଶେଷ ପର୍ଯ୍ୟନ୍ତ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ। ଫଳରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଦଳକୁ ଧିରେ ଧିରେ ବିଜୟ ଅଭିମୁଖେ ନେଇ ଯାଇଥିଲେ। ମାତ୍ର ୩୫।୨ ଓଭରରେ ଦଳକୁ ଏହି ଐତିହାସିକ ବିଜୟ ଦେଇଥିଲେ। ଦମଦାର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ମ୍ୟାନ ଅଫଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା।