ଭାରତୀୟ ରେଳବାଇ ପକ୍ଷରୁ ସେବା ଆରମ୍ଭ, ଗାଇଡଲାଇନ ମାନିବାକୁ ଯାତ୍ରୀଙ୍କୁ ପରାମର୍ଶ
ଆସନ୍ତାକାଲିଠୁ ଟ୍ରାକରେ ଗଡିବ ୧୫ଟି ସ୍ୱତନ୍ତ୍ର ଟ୍ରେନ। ଯାତ୍ରା କରିବା ସମୟରେ ଗାଇଡ ଲାଇନ ପାଳନ କରିବାକୁ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ଜଣାଇ ଦିଆଯାଇଛି।
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଚଳାଚଳ କରିବାକୁ ଥିବା ୧୫ଟି ସ୍ୱତନ୍ତ୍ର ଟ୍ରେନ ପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଯାଇଛି ଟିକେଟ ବୁକିଂ। ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ(ଆଇଆରସିଟିସି)ର ୱେବସାଇଟକୁ ଯାଇ ଟିକେଟ ବୁକିଂ କରିବାକୁ ପଡିବ। ମେ ୧୨ ତାରିଖ ମଙ୍ଗଳବାର ଟ୍ରାକରେ ଦୌଡିବାକୁ ଥିବା ଟ୍ରେନର ସମ୍ପୂର୍ଣ୍ଣ ବିବରଣୀ ଆଇଆରସିଟିସିର ଅଫିସିଆଲ ସାଇଟରେ ଉପଲବ୍ଧ ରହିଛି।
କୋରୋନା ଭାଇରସ ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକ ଡାଉନ କାରଣରୁ ପ୍ରାୟ ୨ ମାସ ଧରି ବନ୍ଦ ରହିଥିଲା ରେଳସେବା । ଯାହାକୁ ପୁନର୍ବାର ମେ ୧୧ ତାରିଖ ସୋମବାରଠୁ କାର୍ଯ୍ୟକ୍ଷମ କରାଯାଇଛି। ବର୍ତ୍ତମାନର ସମୟରେ କେବଳ ୧୫ ଯୋଡା ଟ୍ରେନ ଚଳାଚଳ କରିବ। ଆସନ୍ତାକାଲିଠୁ ରେଳ ଧାରଣାରେ ଦୌଡିବାକୁ ଥିବା ଟ୍ରେନ ନୂଆଦିଲ୍ଲୀରୁ ଡିବ୍ରୁଗଡ, ଅଗରତଲା, ହାୱଡା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ତିରୁଅନନ୍ତପୁରମ, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ, ଜମ୍ମୁ ତାୱି ମଧ୍ୟରେ ଚଳାଚଳ କରିବ।
ବର୍ତ୍ତମାନ ସମୟରେ ଯାତ୍ରୀ କରିବାକୁ ଥିବା ଯାତ୍ରୀଙ୍କୁ ଆଇଆରସିଟିସି ୱେବସାଇଟକୁ ଯାଇ ଇ-ଟିକେଟ ବୁକିଂ କରିବାକୁ ହେବ। ରେଲୱେ ଟିକେଟ କାଉଣ୍ଟର କିମ୍ବା ଏଜେଣ୍ଟଙ୍କ ମାଧ୍ୟମରେ ଆଣିଥିବା ଟିକେଟ ଗ୍ରହଣଯୋଗ୍ୟ ହେବ ନାହିଁ। କନଫର୍ମ ଟିକେଟ ପାଇଥିବା ଯାତ୍ରୀ କେବଳ ରେଳଯାତ୍ରା କରିପାରିବେ। ରିଜର୍ଭେସନ ଏଗେନଷ୍ଟ କ୍ୟାନ୍ସଲେସନ(ଆରଏସି) କିମ୍ବା ୱେଟିଂ ଲିଷ୍ଟରେ ଥିବା ଯାତ୍ରୀ ଟ୍ରେନଯାତ୍ରା କରି ପାରିବେ ନାହିଁ। ତତ୍କାଳ, ପ୍ରିମିୟମ ତତ୍କାଳ ଏବଂ ଅଣ ସଂରକ୍ଷିତ ଟିକେଟ ଗ୍ରହଣ ଯୋଗ୍ୟ ହେବ ନାହିଁ।
ଟ୍ରେନରେ ଯାତ୍ରା କରିବା ସମୟରେ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ମିଳୁଥିବା କୌଣସି ସାମଗ୍ରୀ ବର୍ତ୍ତମାନର ସମୟରେ ପ୍ରଦାନ କରାଯିବ ନାହିଁ। ଆରୋଗ୍ୟ ସେତୁ ଆପ ଡାଉନ ଲୋଡ କରିବା ପାଇଁ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଜଣାଇ ଦିଆଯାଇଛି। ଏହା ସହିତ କୋଭିଡ19 ପାଇଁ କେନ୍ଦ୍ର ସରକାରଙ୍କୁ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି।