ସନ୍ଦୀପ୍ତ ରୟ, ଯାଜପୁର: କୁମାର ପୂର୍ଣ୍ଣିମା  କୁମାରୀ ମାନଙ୍କର ଏକ ବିଶେଷ ପର୍ବ। ଯାଜପୁର ସଦାନନ୍ଦପୁର ଗାଁରେ ଏହି ପର୍ବ କିଛି ନିଆରା ଢ଼ଙ୍ଗରେ ପାଳିତ ହୋଇଥାଏ। କୁମାର ପୂର୍ଣ୍ଣିମା ପୂର୍ବ ରାତ୍ରିରେ ଗାଁ ଅଗଣାରେ କୁମାରୀ ମାନେ କଇଁ ଫୁଲରେ ତିଆରି କରନ୍ତି ବିଭିନ୍ନ ପ୍ରକାରର କୋଠି। ଆଜିକୁ ପ୍ରାୟ ୧୫୦ ବର୍ଷ ତଳେ ଏହି କୋଠି ପରମ୍ପରା ଚାଲିଆସୁଛି ଏହି ଗାଁରେ। କେବଳ କଇଁ ଫୁଲରୁ  ପ୍ରସ୍ତୁତ ହୋଇଥିବା ଏହି କୋଠିକୁ ଦେଖିଲେ ଯେ କେହି ମନ୍ତ୍ରମୁଗ୍ଧ ହୋଇଯିବ। ଆଉ ବିଳମ୍ବିତ ରାତ୍ରୀରେ ଗାଁର ଯୁବକ ମାନେ ପାଳଭୂତ ବେଶରେ ଆସି କୁମାରୀ ମାନଙ୍କୁ ଡରାଇବା ଏହି କୋଠି ପୂଜାର ଅନ୍ୟତମ ଆକର୍ଷଣ। 


COMMERCIAL BREAK
SCROLL TO CONTINUE READING

କୁମାର ପୂର୍ଣ୍ଣିମା ଆସିଲେ ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଞ୍ଚଳ। ଗାଁର ଝିଅମାନେ ସାତ ଦିନ ପୂର୍ବରୁ ପ୍ରତ୍ୟେକ ଚଉଁରା ମୂଳେ ତିଆରି କରିଥାନ୍ତି କଇଁଫୁଲର କୋଠି। କୁମାର ପୂର୍ଣ୍ଣିମାର ଠିକ ପୂର୍ବରାତ୍ରିରେ କୁମାରୀ ମାନେ ଗାଁର ଅଗଣାରେ ବିରାଟ ବିରାଟ କୋଠି ତିଆରି କରିଥାନ୍ତି। କେବଳ କଇଁ ଫୁଲରେ ତିଆରି କରିଥାନ୍ତି ଏହି କୋଠି। ଏହି ଗାଁରେ  ବର୍ଷ ବର୍ଷ ଧରି କୋଠି ପୂଜା ପରମ୍ପରା ଚାଲିଆସୁଛି । ଆଧୁନିକତାର ପ୍ରଭାବରେ କୋଠିକୁ ଅଧିକ ସୁନ୍ଦର କରିବା ପାଇଁ ରଙ୍ଗୋଲିର ବ୍ୟବହାର କରାଯାଉଛି ।


ସଦାନନ୍ଦୁପର ଗାଁରେ ଚାଲିଆସିଥିବା ଏହି କୋଠି ପୂଜା ପରମ୍ପରା କୁ ସପନେଶ୍ୱର ମହାନ୍ତି ଆରମ୍ଭ କରିଥିଲେ। ଏହି କୋଠି ଆଙ୍କିବା ପାଇଁ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥାନ୍ତି। ପରେ ବୃନ୍ଦାବତୀଙ୍କ ନିକଟରେ କୁମାରୀ ମାନେ ମୁଡି ଓ ନଡିଆ ଭୋଗ କରିବା ସହିତ ରାତି ତମାମ ଗୀତ ଗାଇଥାନ୍ତି। ଯାହାକୁ ଦେଖିବା ପାଇଁ ସଦାନନ୍ଦପୁର ଗାଁକୁ  ଆଖପାଖ ଗାଁରୁ ଶହଶହ ଲୋକଙ୍କ ସୁଅ ଛୁଟିଥାଏ । କୁମାର ପୂର୍ଣ୍ଣିମା ଦିନ ଗାଁର ଯୁବକ ମାନେ ମଧ୍ୟ କୁମାରୀ ମାନଙ୍କୁ ଭୟଭୀତ କରିବା ପାଇଁ ପାଳଭୂତ ବେଶ ଧାରଣ କରିଥାନ୍ତି ।  ରାତି ତମାମ ଗାଁର ଯୁବକ ଯୁବତୀ ମାନେ ନାଚ ଗୀତରେ ମସଗୁଲ ହୋଇଯାନ୍ତି ।