କେଜ୍ରିୱାଲ ଆପଣେଇବେ ଦକ୍ଷିଣ କୋରିଆ ନୀତି
ଦିଲ୍ଲୀରେ କୋରୋନା ମୁକାବିଲା ପାଇଁ 5T ପ୍ଲାନରେ ଚାଲିବ କାର୍ଯ୍ୟ
ଦିଲ୍ଲୀ: ଦିନକୁ ଦିନ ଦେଶରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏବେ ସ୍ଥିତି ବିଗିଡିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୫୨୫ ଛୁଇଁବା ପରେ ଅଧିକ ତତ୍ପରତା ପ୍ରକାଶ କରିଛନ୍ତି କେଜ୍ରିୱାଲ । କୋରୋନା ମୁକାବିଲା ପାଇଁ ଏବେ ଅନ୍ୟ କୌଣସି ନୀତି ନୁହଁ ବରଂ Test, trace, treat, teamwork, track ବା 5T ନୀତି ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଆଜି ସାମ୍ୱାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି ଯେ କୋରୋନା ପରୀକ୍ଷା ପାଇଁ ୫୦ ହଜାର ଟେଷ୍ଟିଂ କିଟ୍ ଅର୍ଡର ଦିଆଯାଇଛି ।
Test ପ୍ଲାନ ମୁତାବକ ଯଥାଶୀଘ୍ର କୋରୋନା ସନ୍ଦିଗ୍ଧଙ୍କ ପରୀକ୍ଷା କରାଯିବ । ଆଉ ବିନା ପରୀକ୍ଷାରେ କେଉଁ ବ୍ୟକ୍ତି ବା କେଉଁ ପରିବାର ଆକ୍ରାନ୍ତ ହୋଇଛନ୍ତି ତାହା ଜଣା ପଡିବ ନାହିଁ । ସେଥିପାଇଁ ଟେଷ୍ଟିଂ ପ୍ରକ୍ରିୟାକୁ ତ୍ୱରାନିତ କରିବା ପାଇଁ ଲକ୍ଷେ ଲୋକଙ୍କର ଯେପରି ଶୀଘ୍ର ପରୀକ୍ଷଣ କରାଯାଇପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।
Trace ପ୍ଲାନ ମୁତାବକ ପଜିଟିଭ ବ୍ୟକ୍ତି କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଟ୍ରେସ କରାଯିବ ଯଦ୍ୱାରା ସମସ୍ତ ବ୍ୟକ୍ତି ଚିହ୍ନଟ ହୋଇ ପାରିବେ ଓ କୋରୋନାର ଷ୍ଟେଜ ୩ ପ୍ରବେଶକୁ ଅଟକାଇ ଦିଆଯାଇ ପାରିବ ।
Treat ପ୍ଲାନ ମୁତାବକ ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ ବ୍ୟକ୍ତିଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବ । ଏ ନେଇ କିଛି କୋଭିଡ୧୯ ହସ୍ପିଟାଲର ବନ୍ଦୋବସ୍ତ କରାଯାଇଛି ଓ ଆହୁରି ହସ୍ପିଟାଲ ବନାହେବ ।
Teamwork ପ୍ଲାନ ମୁତାବକ ସମସ୍ତଙ୍କୁ ମିଳିମିଶି ସମସ୍ତଙ୍କ ଦାୟିତ୍ୱ ସମ୍ପର୍ଣ୍ଣ କରିବାକୁ ହେବ । ନ ହେଲେ ବିନା ଏକତାରେ କୋରୋନା ଯୁଦ୍ଧକୁ ଜିତିବା ଅସମ୍ଭବ ହୋଇଯିବ । ତେଣୁ କେଜ୍ରିୱାଲ ନିଜର 5T ପ୍ଲାନରେ ଟିମୱାର୍କକୁ ସ୍ଥାନ ଦେଇଛନ୍ତି ।
Tracking and Monitoring ଏହି ପ୍ଲାନ ମୁତାବକ ସମସ୍ତ କୋରୋନା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ।
ସାମ୍ୱାଦିକ ସମ୍ମିଳନୀରେ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ ସାଉଥ କୋରିଆରେ ପ୍ରତିଟି ବ୍ୟକ୍ତିଙ୍କୁ ପରୀକ୍ଷା କରାଯାଉଛି । ଆଉ ଯାହାର ନମୂନା ପଜିଟିଭ ଆସୁଛି ତାଙ୍କୁ ଚିକିତ୍ସା କରଯାଉଛି । ଆଉ ବର୍ତ୍ତମାନ ଦିଲ୍ଲୀରେ ମଧ୍ୟ ସାଉଥ କୋରିଆ ପରି ବହୁସଂଖ୍ୟକ ଲୋକଙ୍କୁ ପରୀକ୍ଷା କରାଯିବ ଓ କୋରୋନା ରୋଗୀଙ୍କୁ ଚିହ୍ନଟ କରାଯାଇ ତାଙ୍କର ଚିକିତ୍ସା କରାଯିବ ।