ସଂସଦରେ `ରେପ୍ ଇନ ଇଣ୍ଡିଆ` ଝଡ, ରାହୁଲଙ୍କ ସପକ୍ଷରେ ଛିଡା ହେଲେ କାନିମୋଝି
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ବୟାନକୁ ନେଇ ସଂସଦରେ ତୁମ୍ବି ତୋଫାନ । ପ୍ରଧାନମନ୍ତ୍ରୀଙ୍କ `ମେକ ଇନ ଇଣ୍ଡିଆ` ନାରାକୁ କଟାକ୍ଷ କରିବାକୁ ଯାଇ ଏକ ବୟାନ ଦେଇଥିଲେ ରାହୁଲ । ହାଇଦ୍ରାବାଦ ଏବଂ ଉନ୍ନାଓ ଗଣଦୁଷ୍କର୍ମ ଘଟଣାକୁ ନେଇ ରାହୁଲ `ରେପ୍ ଇନ ଇଣ୍ଡିଆ` ଚାଲିଥିବା କହିଥିଲେ । ଯାହାକୁ ନେଇ ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି ।
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ବୟାନକୁ ନେଇ ସଂସଦରେ ତୁମ୍ବି ତୋଫାନ । ପ୍ରଧାନମନ୍ତ୍ରୀଙ୍କ 'ମେକ ଇନ ଇଣ୍ଡିଆ' ନାରାକୁ କଟାକ୍ଷ କରିବାକୁ ଯାଇ ଏକ ବୟାନ ଦେଇଥିଲେ ରାହୁଲ । ହାଇଦ୍ରାବାଦ ଏବଂ ଉନ୍ନାଓ ଗଣଦୁଷ୍କର୍ମ ଘଟଣାକୁ ନେଇ ରାହୁଲ 'ରେପ୍ ଇନ ଇଣ୍ଡିଆ' ଚାଲିଥିବା କହିଥିଲେ । ଯାହାକୁ ନେଇ ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି ।
ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବହୁ ବିଜେପି ସାଂସଦ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ସ୍ମୃତି ଇରାନୀ ନିନ୍ଦା କରିଛନ୍ତି । କହିଛନ୍ତି, ଦୁଷ୍କର୍ମକୁ ରାହୁଲ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଛନ୍ତି । ମହିଳାଙ୍କ ସହ ଦୁଷ୍କର୍ମ ହେଉ ବୋଲି ରାହୁଲ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି ଇରାନୀ । ବିଜେପିର ଅନ୍ୟ ମହିଳା ସାଂସଦମାନେ ମଧ୍ୟ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ।
ସେହିପରି ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ ବିଜେପି ସାଂସଦ । ତେବେ ରାହୁଲ ରାଜ୍ୟସଭାର ସଦସ୍ୟ ହୋଇନଥିବାରୁ ଏହି ତାଙ୍କ ନାଁ ନିଆଯାଇପାରିବ ନାହିଁ ବୋଲି କହିଥିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ତେବେ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି କରିବାକୁ ପଡିଥିଲା ।
ସେପଟେ ରାହୁଲଙ୍କ ସପକ୍ଷରେ ଛିଡା ହୋଇଥିଲେ ଡିଏମକେ ସାଂସଦ କାନିମୋଝି । ତାଙ୍କ କହିବା କଥା ହେଲା, 'ମେକ ଇନ ଇଣ୍ଡିଆ'କୁ ସେ ସମ୍ମାନ କରନ୍ତି । ହେଲେ ବର୍ତ୍ତମାନ ଇଣ୍ଡିଆରେ କ'ଣ ଚାଲିଛି ? ଦେଶର ମହିଳା ଦୁଷ୍କର୍ମର ଶୀକାର ହେଉଛନ୍ତି । ରାହୁଲ କେଉଁ ଉଦ୍ଦେଶ୍ୟରେ ଏପରି କହିଥିଲେ, ତାହା ବୁଝିବା ଦରକାର ବୋଲି କହିଥିଲେ କାନିମୋଝି ।
କ'ଣ କହିଥିଲେ ରାହୁଲ ?
ଝାଡଖଣ୍ଡର ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମେକ ଇନ ଇଣ୍ଡିଆ' କଥା କହୁଛନ୍ତି । ମାତ୍ର ସବୁଠି 'ରେପ ଇନ ଇଣ୍ଡିଆ' ହିଁ ଚାଲିଛି । ଉତ୍ତରପ୍ରଦେଶରେ ବିଜେପି ବିଧାୟକ ଏକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି । ବିଧାୟକ ଏବେ ଜେଲରେ । ସେହିପରି ନିକଟରେ ଉତ୍ତରପ୍ରଦେଶରେ ଏକ ଦୁଷ୍କର୍ମ ପୀଡିତାଙ୍କୁ ଅଭିଯୁକ୍ତମାନେ ପୋଡିଦେଲେ । ହେଲେ ପ୍ରଧାନମନ୍ତ୍ରୀ ପଦୁଟିଏ ମଧ୍ୟ ଏନେଇ କହୁନାହାଁନ୍ତି ।''
ଆହୁରି ପଢନ୍ତୁ; ଏ.ପି. ସିଂହଙ୍କ ଅଜବ ଯୁକ୍ତି, ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପରେ ଦୁଷ୍କର୍ମ କ'ଣ ବନ୍ଦ ହୋଇଯିବ ?