ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ନ ଦେଖିଲା ଓଉ ଛଅ ଫୋଡ଼ା।।ସେହିପରି ଓଡ଼ିଆରେ ଆଉ ଏକ ଢଗ ରହିଛି, ମାଗି ଆଣିଲା ତିଅଣ ସୁଡୁ଼କେ । ମହାରାଷ୍ଟ୍ର ରାଜନୀତିକୁ ନେଇ ଦୁଇ ମାସ ଧରି ଦେଶର ଜନତା ଯେଉଁ ନାଟକ ଦେଖିଲେ, ତାହା ଏବେ ଭିନ୍ନ ମୋଡ଼ ନେବାକୁ ଯାଉଛି । ସରକାର ବନିଲା, ଭାଙ୍ଗିଲା ଓ ପୁଣି ବନିବା ଭିତରେ ଲୋକଙ୍କୁ କ୍ଲାଇମାକ୍ସ ଦେଇଥିବା ମହାରାଷ୍ଟ୍ର ରାଜନୀତି ଏବେ ପୁଣି ଥରେ ଏକ ନୂଆ ଟ୍ୱିଷ୍ଟ୍ ଦେବାକୁ ଯାଉଛି । ଦେବେନ୍ଦ୍ର ଫଡ଼ନାଭିସଙ୍କ ରାତି ଅଧିଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଲୋକଙ୍କୁ ଯେତିକି ଚକିତ କରିଥିଲା, ଶରଦ ପାୱାରଙ୍କ ପାୱାର ଚେଞ୍ଜିଙ୍ଗ୍ ଗେମ୍ ସେତିକି ରୋମାଞ୍ଚିତ କରିଥିଲା । ସେହିପରି ଅମିତ ଶାହଙ୍କ ରଣନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ମହାରାଷ୍ଟ୍ରବାସୀ । ଏବେ କିନ୍ତୁ ବିଜେପି କରିଥିବା ଭବିଷ୍ୟବାଣୀ ସତ ହେବାକୁ ଯାଉଛି ।


COMMERCIAL BREAK
SCROLL TO CONTINUE READING

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରୁ ମୁଣ୍ଡ ଟେକିଛି ଅନ୍ତଃକନ୍ଦଳ । ମନ୍ତ୍ରୀପଦ ନ ମିଳିବାରୁ ମେଣ୍ଟ ସରକାରର ବହୁ ବିଧାୟକ ଏବେ ଅସନ୍ତୁଷ୍ଟ ଅଛନ୍ତି । ଏନସିପି ବିଧାୟକ ପ୍ରକାଶ ସୋଲାଙ୍କି ଇସ୍ତଫା ବି ଦେଇ ସାରିଛନ୍ତି। । ଫଲରେ ଏବେ 'ମହା' ସରକାରର ସ୍ଥିତି ଟଳମଳ ଅବସ୍ଥାକୁ ଆସିଯାଇଛି। ନିଜ ନିଜ ବିଧାୟକଙ୍କୁ ମନାଇ ରଖିବା ଏବେ ଏନସିପି, ଶିବସେନା ଓ କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ । ନିଜ ଭାଇ ସୁନୀଲ ରାଉତଙ୍କୁ ମନ୍ତ୍ରୀପଦ ମିଳି ନ ଥିବାରୁ ସଞ୍ଜୟ ରାଉତ ବି ଅସନ୍ତୁଷ୍ଟ ଅଛନ୍ତି । ଏବେ ପ୍ରଶ୍ନ, ମେଳି ବାନ୍ଧୁଥିବା ଅସନ୍ତୁଷ୍ଟିଆଙ୍କୁ ବୁଝାଇବ କିଏ ? 



ଆରମ୍ଭ ହେଲା 'ମହା' ନାଟକ ପାର୍ଟ-୨ । ସୋମବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ପରେ ମହା ବିକାଶ ଅଘାଡି ମେଣ୍ଟ ଭିତରେ ବିଦ୍ରୋହ ଦେଖାଦେଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ୭ ମନ୍ତ୍ରୀ ଶପଥ ନେଇଥିବା ବେଳେ ସୋମବାର ଆଉ ୩୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ମହା କ୍ୟାବିନେଟରେ କଂଗ୍ରେସର ୧୨, ଏନସିପିର ୧୪ ଏବଂ ଶିବସେନାର ୧୬ ଜଣ ବିଧାୟକଙ୍କୁ ସ୍ଥାନ ମିଳିଛି । ତେବେ ମନ୍ତ୍ରିମଣ୍ଡଳରୁ ବହୁ ବରିଷ୍ଠ ବିଧାୟକ ବାଦ୍ ପଡିଛନ୍ତି । ଉଦ୍ଧବ ନିଜ ମନ୍ତ୍ରିମଣ୍ଡଳରେ ଅଳ୍ପ ବରିଷ୍ଠ ନେତା ଏବଂ ଅଧିକାଂଶ ଯୁବ ବର୍ଗଙ୍କୁ ସାମିଲ କରିଛନ୍ତି, ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବରିଷ୍ଠ ନେତାଏ । 


ବିଦ୍ରୋହୀଙ୍କ  ଭିତରେ କିଏ କିଏ ଅଛନ୍ତି ?


ଏନସିପି ନେତା ଅଜିତ ପାୱାର ସିନା ଉପମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ ଦଳର ବରିଷ୍ଠ ନେତା ପ୍ରକାଶ ସୋଲାଙ୍କିଙ୍କୁ ମିଳି ନ ଥିଲା ମନ୍ତ୍ରୀପଦ । ଦଳର ଏହି ନିଷ୍ପତ୍ତିକୁ ହଜମ କରିପାରିଲେନି ପ୍ରକାଶ । ଫଳରେ ଆଜି ସେ ଇସ୍ତଫା ଦେଇଛନ୍ତି । ସେହିପରି ଦଳର ଅନ୍ୟ କିଛି ବିଧାୟକଙ୍କ ମନରେ ମଧ୍ୟ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହୋଇଯାଇଛି ।


ସେପଟେ ଶିବସେନାର କେତେକ ବିଧାୟକ ମଧ୍ୟ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଏମାନଙ୍କ ଭିତରେ ରହିଛନ୍ତି ବିକ୍ରୋଲିରୁ ବିଧାୟକ ହୋଇଥିବା ସୁନୀଲ ରାଉତ । ତାଙ୍କ କହିବା ଅନୁସାରେ, ପୂର୍ବରୁ ମନ୍ତ୍ରୀପଦ ମିଳିବା ନେଇ ଆଦିତ୍ୟ ଠାକରେ କହିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବାଦ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ସୁନୀଲ ରାଉତ ହେଉଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ଭାଇ । ଭାଇଙ୍କୁ ମନ୍ତ୍ରୀପଦ ମିଳି ନ ଥିବାରୁ ସଞ୍ଜୟ ରାଉତ ବି ଅସନ୍ତୁଷ୍ଟ ଅଛନ୍ତି । ଗତକାଲି ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ଉତ୍ସବକୁ ସେଥିପାଇଁ ସଞ୍ଜୟ ଆସି ନ ଥିବା ଚର୍ଚ୍ଚା ହେଉଛି । ଶିବସେନାର ବିଧାୟକ ସୁନୀଲ ପ୍ରଭୁ, ରବୀନ୍ଦ୍ର ବେକର ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ନହେବା ଘଟଣାରୁ ବିଦ୍ରୋହର ଆଭାସ ମିଳୁଛି । 


ଅନ୍ୟପଟେ ବିଦ୍ରୋହୀଙ୍କ ଭିତରେ କଂଗ୍ରେସ ନେତାଏ ବି ରହିଛନ୍ତି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନ, ପୂର୍ବତନ ମନ୍ତ୍ରୀ ନସୀମ ଖାନ, ତିନି ତିନି ଥର ବିଧାୟକ ଥିବା ପ୍ରଣୀତି ସିନ୍ଧେ, ଅମିତ ପଟେଲ, ରୋହିଦାସ ପାଟିଲ ପ୍ରମୁଖ ଅସନ୍ତୁଷ୍ଟ ଅଛନ୍ତି । ଏମାନଙ୍କ ମଧ୍ୟରୁ  ଦଳର କେତେକ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଏମାନେ ଭେଟିବେ ବୋଲି ଜଣାପଡିଛି । 


ତିନି ଚକିଆ ଗାଡିକୁ ଏବେ ସମ୍ଭାଳ ? 


ଅଢ଼େଇ ବର୍ଷୀୟା ମୁଖ୍ୟମନ୍ତ୍ରୀ ପଦ ନ ମିଳିବାରୁ ବିଜେପି ସହ ସମ୍ପର୍କ ଛିନ୍ନ କରିଥିଲା ଶିବସେନା । ବିଜେପି ବ୍ୟତୀତ ମେଣ୍ଟ ସରକାର ସମ୍ଭବ, ଏହି ଆଶା ନେଇ ଏନସିପି, କଂଗ୍ରେସ ଓ ଶିବସେନା ମହା ବିକାଶ ଅଘାଡି ମେଣ୍ଟ କରିଥିଲେ । ଆରମ୍ଭରୁ ବିଦ୍ରୋହ ସୃଷ୍ଟି କରିଥିବା 'ପାୱାର' ପୁତୁରା ସିନା ବୁଝିଗଲେ, ହେଲେ ଏବେ ପାୱାର ନ ମିଳିବାରୁ ମେଣ୍ଟର ବହୁ ବିଧାୟକ ବିଦ୍ରୋହୀ ତାଲିକାରେ ଅଛନ୍ତି। ଏମାନଙ୍କୁ ମନାଇବା ତିନି ଦଳର ମୁଖ୍ୟଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ତିନି ଚକିଆ ଗାଡ଼ି ସରକାର ବେଶୀ ଦିନ ନୁହେଁ ବୋଲି ବିଜେପି ଯେଉଁ କଟାକ୍ଷ କରିଥିଲା, ଏବେ ତାହା ସତ ହେବାକୁ ଯାଉଛି । ଅନ୍ୟପଟେ ବିଜେପି ପାଇଁ ଏବେ କେବଳ ନଖ ବଜାଇବାର ବେଳ । 


ପଡ଼ୋଶୀ ଘରୁ ତିଅଣ ମାଗି ଆଣିଲେ ତାହା କେବଳ ସୁଡ଼ୁକେ ହିଁ ହୋଇଥାଏ । ନିଜ ରାଜ୍ୟରେ ଥିବା ପଡ଼ୋଶୀ ଦଳ ଏନସିପି ଓ କଂଗ୍ରେସ ଉପରେ ଭରସା କରି ଶିବସେନା ଯେଉଁ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲା, ତାହା ଏବେ ସୁଡ଼ୁକେ ଭଳି ଲାଗୁଛି । ଦେଖାଯାଉ, କେଉଁ ପାଣି କୁଆଡ଼େ ଯାଉଛି । ସତୁରୀ ଦଶକର ହିନ୍ଦୀ ସିନେମା 'ଆନନ୍ଦ' ରେ ଏକ ଗୀତ ଅଛି । ଜୀନ୍ଦେଗୀ କୈସି ହୈ ପହେଲି ହାଏ, କଭି ତୋ ହସାଏ କଭି ୟେ ରୁଲାଏ । ବେଶ୍ କିଛିଦିନ ହସର ଫୁଆରାରେ ପୁଲକିତ ହୋଇ ଉଠିଥିବା ଶିବସେନା ପାଇଁ ହୁଏତ କିଛିଦିନ ପରେ ଲୁହର ଟୋପା ଗଣିବାକୁ ପଡ଼ିବ, ଏଥିରେ ସନ୍ଦେହ ନାହିଁ ।