ଘୋଡ଼ା ବେପାରକୁ ଭୟ, ଫ୍ଲୋର ଟେଷ୍ଟ ପୂର୍ବରୁ ହୋଟେଲରେ ବିଶ୍ୱାସ ପରୀକ୍ଷା
ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପୂର୍ବରୁ ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟକୁ ଘାରିଛି ଘୋଡ଼ା ବେପାର ଭୟ । ସମସ୍ତ ଦଳୀୟ ବିଧାୟକ ମେଣ୍ଟକୁ ସମର୍ଥନ ଦେବେ କିମ୍ବା ଘୋଡ଼ା ବେପାରରେ ସାମିଲ ହେବେ ସେନେଇ ମେଣ୍ଟ ନେତାଙ୍କ ଆଶଙ୍କା ବଢ଼ିଥିବା ପ୍ରମାଣିତ ହୋଇଛି । ସୋମବାର ୩ ଦଳର ସମସ୍ତ ୧୬୨ ବିଧାୟକଙ୍କୁ ମୁମ୍ବାଇର ଗ୍ରେଡ ହୟାତ ହୋଟେଲରେ ଏକାଠି ହେବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ହୋଟେଲରେ ବିଧାୟକଙ୍କ ସହ ଆଲୋଚନା ସହ ଅଜିତ ପାୱାରଙ୍କୁ ସମର୍ଥନ ନଦେବା ପାଇଁ ତାଗିଦ କହିଛନ୍ତି ଉଦ୍ଧବ ଠାକରେ ଓ ଶରଦ ପାୱାର । ମହାରାଷ୍ଟ୍ରରେ କ୍ଷମତା ହାସଲ ପାଇଁ ଲାଗିରହିଥିବା ଶୀତଳ ଯୁଦ୍ଧରେ କାହାର ହେବ ବିଜୟ । ଏନେଇ ମଙ୍ଗଳବାର ସକାଳ ୧୦.୩୦ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।
ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପୂର୍ବରୁ ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟକୁ ଘାରିଛି ଘୋଡ଼ା ବେପାର ଭୟ । ସମସ୍ତ ଦଳୀୟ ବିଧାୟକ ମେଣ୍ଟକୁ ସମର୍ଥନ ଦେବେ କିମ୍ବା ଘୋଡ଼ା ବେପାରରେ ସାମିଲ ହେବେ ସେନେଇ ମେଣ୍ଟ ନେତାଙ୍କ ଆଶଙ୍କା ବଢ଼ିଥିବା ପ୍ରମାଣିତ ହୋଇଛି । ସୋମବାର ୩ ଦଳର ସମସ୍ତ ୧୬୨ ବିଧାୟକଙ୍କୁ ମୁମ୍ବାଇର ଗ୍ରେଡ ହୟାତ ହୋଟେଲରେ ଏକାଠି ହେବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ହୋଟେଲରେ ବିଧାୟକଙ୍କ ସହ ଆଲୋଚନା ସହ ଅଜିତ ପାୱାରଙ୍କୁ ସମର୍ଥନ ନଦେବା ପାଇଁ ତାଗିଦ କହିଛନ୍ତି ଉଦ୍ଧବ ଠାକରେ ଓ ଶରଦ ପାୱାର । ମହାରାଷ୍ଟ୍ରରେ କ୍ଷମତା ହାସଲ ପାଇଁ ଲାଗିରହିଥିବା ଶୀତଳ ଯୁଦ୍ଧରେ କାହାର ହେବ ବିଜୟ । ଏନେଇ ମଙ୍ଗଳବାର ସକାଳ ୧୦.୩୦ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।
ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ତୁରନ୍ତ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାପାଇଁ ରବିବାର ଆବେଦନ କରାଯାଇଥିଲା । ସେପଟେ ଫଡନାଭିସ, ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ସମର୍ଥ ବୋଲି ଦାବି କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ରଣଦୀପ ସୁର୍ଜେୱାଲା ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ର ରାଜନୀତିକୁ ନେଇ ସୋମବାର କଂଗ୍ରେସ ଲୋକସଭାରେ ସ୍ଥଗିତ ପ୍ରସ୍ତାବ ଆଗତ କରିଥିଲା ।
ଏବେ ବି ଅଜିତଙ୍କୁ ମନାଇବା ପାଇଁ ଏନସିପି ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଜାରି ରହିଛି । କିନ୍ତୁ ନିଷ୍ପତ୍ତି ପରିବର୍ତ୍ତନ କରିବେ ନାହିଁ ବୋଲି ଅଜିତ ପାୱାର ସ୍ପଷ୍ଟ କରିଛନ୍ତି । ଦୁଇ ଦିନ ଧରି ଶିବସେନା, ଏନସିପି ଓ କଂଗ୍ରେସର ଫ୍ଲୋର ଟେଷ୍ଟ ଆବେଦନ ଉପରେ ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । କେବେ ମହାରାଷ୍ଟ୍ର ବିଧାନସଭାରେ ଫଡନାଭିସ ସରକାର ଫ୍ଲୋର ଟେଷ୍ଟର ସାମ୍ନା କରିବେ ସେନେଇ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।
ଶୁକ୍ରବାର ପୂର୍ବତନ ଏନସିପି ବିଧାୟକ ଦଳ ନେତା ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ । ଶନିବାର ସକାଳୁ ମହାରାଷ୍ଟ୍ରରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ ପରେ ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସରକାର ଗଠନ ଉପରେ ପ୍ରଶ୍ନ ଉଠାଇବା ସହ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ସୁପ୍ରିମକୋର୍ଟ ତୁରନ୍ତ ଫ୍ଲୋର ଟେଷ୍ଟ ଆବେଦନକୁ ଖାରଜ କରିଥିଲେ । ଏବେ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ମଙ୍ଗଳବାର ସକାଳୁ ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ଆବେଦନ ଉପରେ ରାୟ ଶୁଣାଇବାକୁ ଯାଉଛନ୍ତି ।
୩ ଦଳର ବିରୋଧୀ ମେଣ୍ଟକୁ ଜବାବ ଦେବା ପାଇଁ ବିଜେପି ସମର୍ଥ ବୋଲି ଦାବି କରିଛନ୍ତି ଫଡନାଭିସ । ସୋମବାର ରାଜ୍ୟପାଳଙ୍କୁ ଭେଟି ୩ ଦଳର ନେତା ସମର୍ଥନ ପତ୍ର ହସ୍ତାନ୍ତର କରିବା ସହ ଫଡନାଭିସ ସରକାର ନିକଟରେ ବହୁମତ ନଥିବା ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରରେ କ୍ଷମତା ଯୁଦ୍ଧକୁ ନେଇ ଶୀତଳ ଯୁଦ୍ଧ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସୋମବାର କାର୍ଯ୍ୟାଳୟରେ ପହଞ୍ଚି କୃଷକଙ୍କୁ ଋଣ ଛାଡ଼ ପ୍ରସ୍ତାବ ଉପରେ ସ୍ୱାକ୍ଷର କରିଛନ୍ତି । ଏହା ସହିତ କୁସୁମ ବେଙ୍ଗୁଲେକର ନାମକ ଜଣେ ମହିଳାଙ୍କୁ ଚେକ୍ ପ୍ରଦାନ କରିଛନ୍ତି । ସୋମବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଯଶୋବନ୍ତ ରାଓ ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଫଡନାଭିସ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ।
ସୋମବାର ମଧ୍ୟ ଅଜିତ ପାୱାରଙ୍କୁ ମନାଇବା ପାଇଁ ଶିବସେନା ଓ ଏନସିପି ନେତା ଅଜିତ ପାୱାରଙ୍କ ସହ ବୈଠକ କରିଛନ୍ତି । ଦଳକୁ ଫେରିଆସିବାକୁ ଏନସିପି ନେତା ଛଗନ ଭୁଜବଳ ଅଜିତଙ୍କୁ ପ୍ରସ୍ତାବ ଦେଇଥିଲେ । ଅଜିତ ପାୱାର ଦଳକୁ ଫେରିଲେ ତାଙ୍କୁ ଅଢେଇ ବର୍ଷ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ଶିବସେନା କହିଛି । ମଙ୍ଗଳବାର ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବା ପୂର୍ବରୁ ବିଜେପି ଓ ୩ ଦଳର ମେଣ୍ଟ ପକ୍ଷରୁ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ବିଧାସଭାରେ ବହୁମତ ସାବ୍ୟସ୍ତ କରିବାକୁ ବିଜେପି ସମର୍ଥ ବୋଲି ଦାବି କରିଥିବାବେଳେ ଆଉ ମାତ୍ର ଗୋଟିଏ ଦିନ ପରେ ବିଜେପି ସରକାରର ଆୟୁଷ ଶେଷ ହେବ ବୋଲି ଏନସିପି ନେତା ଜୟନ୍ତ ପାଟିଲ କହିଛନ୍ତି ।