ମଙ୍ଗଳବାର ମାଫ୍ !
ଗଳାର ମାପ ନିଆ ସରିଲାଣି, ହେଲେ ସରିନି ବଞ୍ଚିବାର ଆଶା...
ନୂଆଦିଲ୍ଲୀ: ମାଡ଼ି ଆସୁଛି ମୃତ୍ୟୁ । ୨୨ ସକାଳକୁ ଅପେକ୍ଷା । ନିର୍ଭୟା ଦୁଷ୍କର୍ମକାରୀ ଆଜି ଭୟରେ ଜର୍ଜରିତ । ଏଠି ମୃତ୍ୟୁ କହିକି ଆସୁଛି । ସମୟ ବି ଦେଇଛି । ଜିଲ୍ଲା କୋର୍ଟ, ହାଇକୋର୍ଟ, ସୁପ୍ରିମକୋର୍ଟ, ସମସ୍ତେ ମୃତ୍ୟୁ ଦଣ୍ଡକୁ କାଏମ ରଖିଛନ୍ତି । ୪ ନର ରାକ୍ଷାସଙ୍କ ରିଭ୍ୟୁ ପିଟିସନ ଖାରଜ ହୋଇଛି । ରାଜକ୍ଷମା ବି ମିଳିଲାନି । ତଥାପି ବି ବଞ୍ଚିଛି ଆଶା । ସେହି ଆଶା ପୁଣି ବଞ୍ଚିବାର...
ଜଣେ ଅପରାଧୀ ପାଇଁ ନ୍ୟାୟିକ ବ୍ୟାବସ୍ଥାର ଶେଷ ସୁଯୋଗ-କ୍ୟୁରେଟିଭ ପିଟିସନ । ଉଭୟ ରିଭ୍ୟୁ ପିଟିସନ ଏବଂ ରାଜକ୍ଷମା ଖାରଜ ହେବା ପରେ ସୁପ୍ରିମକୋର୍ଟରେ ଏହାକୁ ଆବେଦନ କରାଯାଇଥାଏ । ଆଉ ଏବେ ଦୋଷୀ ବିନୟ ଏବଂ ମୁକେଶ ଏହାର ସାହାରା ନେଇଛନ୍ତି । ବଞ୍ଚିବାର ଏ ହେଉଛି ଶେଷ ଆଶା । ଶେଷ ପ୍ରୟାସ । ଦୋଷୀଙ୍କ ପକ୍ଷରୁ ଆଇନଜୀବୀ ଓପି ସିଂହ ଏହି ପିଟିସନ ଦାଖଲ କରିଛନ୍ତି ।
ଆସନ୍ତା ଜାନୁଆରୀ ୧୪, ମଙ୍ଗଳବାର । ସୁପ୍ରିମକୋର୍ଟରେ ଏହାର ଶୁଣାଣି ହେବ । ମୃତ୍ୟୁ ଦଣ୍ଡ ଚୁଡ଼ାନ୍ତ ନା ଏହାକୁ ଆଜୀବନ କାରାଦଣ୍ଡ କରାଯିବ, ସେ ନିଷ୍ପତ୍ତି ନେବେ ଦେଶର ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରମନ୍ନାଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଆଉ ଏହି ଶେଷ ଆଶା ନେଇ ବଞ୍ଚିଛନ୍ତି ନିର୍ଭୟା ଅପରାଧି ।
ଆହୁରି ପଢ଼ନ୍ତୁ; ଜାଣନ୍ତି କି ? ଫାଶୀ ଦଉଡି କେଉଁଠି ଓ କିପରି ପ୍ରସ୍ତୁତ କରାଯାଏ ?
ଗୋଟିଏ ପଟେ ପଟିଆଲା ହାଉସ କୋର୍ଟ ଡ଼େଥ ୱାରେଣ୍ଟ ଜାରି କରିଛନ୍ତି । ଫାଶୀ ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଜେଲ କର୍ତ୍ତୃପକ୍ଷ । ଜଲ୍ଲାଦ ଫାଶୀ ଦେବା ପାଇଁ ପ୍ରସ୍ତୁତି ନେଉଛି । ଆଉ ଏହାରି ଭିତରେ ୪ ଦୋଷୀଙ୍କ ଗଳାର ମାପ ବି ନିଆ ସରିଲାଣି । ସେମାନଙ୍କ ଓଜନ କେତେ, ଉଚ୍ଚତା କେତେ, ତାହା ବି ମପା ଯାଇଛି । କାହିଁକିନା ଏହାରି ହିସାବରେ ହିଁ ନିର୍ଦ୍ଧାରିତ ହେବ ଫାଶୀ ଦଉଡ଼ିର ଲମ୍ବ ।
ଅନ୍ୟପଟେ ଦୋଷୀଙ୍କ ସହ ଶେଷ ସାକ୍ଷାତ ପାଇଁ ପରିବାର ପ୍ରିୟଜନଙ୍କୁ ଅନୁମତି ମିଳୁଛି । ଜେଲ କର୍ତ୍ତୃପକ୍ଷ କଡ଼ା ବନ୍ଦୋବସ୍ତ କରାଇଦେଇଛନ୍ତି । ଶନିବାର ଅଭିଯୁକ୍ତ ମୁକେଶଙ୍କ ମା ପୁଅକୁ ଭେଟିବାକୁ ଜେଲରେ ପହଞ୍ଚିଥିଲେ। ଜେଲ କର୍ତ୍ତୃପକ୍ଷ ମଧ୍ୟ ତାଙ୍କୁ ଭେଟିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଉଭୟ ମା ଓ ପୁଅଙ୍କ ମିଳନ ସମୟ ଅତ୍ୟନ୍ତ ଭାବବିହ୍ୱଳ ଥିଲା ବୋଲି ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାପଡ଼ିଥିଲା ।
କୃତ କର୍ମର ଫଳ ତ ଭୋଗିବାକୁ ପଡ଼ିବ । ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିବାକୁ ଯାଇ ଏମାନେ ଯାହା କରିଥିଲେ, ଦେଶର ଇତିହାସରେ ତ ତାହା ସବୁବେଳେ ଉଜାଗର ରହିବ । ଆଉ ଏମାନଙ୍କୁ ମିଳିବାକୁ ଥିବା ଦଣ୍ଡ ଆଗାମୀ ଦିନରେ ଏକ ଉଦାହରଣ ସୃଷ୍ଟି କରିବ । ଦୁଷ୍କର୍ମ ପୂର୍ବରୁ ଅନ୍ୟ ନର ରାକ୍ଷାସମାନଙ୍କୁ ଥରେ ଭାବିବାକୁ ବାଧ୍ୟ କରିବ । ହେଲେ ଏମାନଙ୍କୁ ଫାଶୀରେ ଚଢାଇବାର ଚୁଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଆସନ୍ତା ମଙ୍ଗଳବାର ଶେଷ ଧର ପାଇଁ କିଛିକ୍ଷଣ ଭାବିବେ ଦେଶର ସର୍ବୋଚ୍ଚ ଅଦାଲତ । ଆଉ ଅଦାଲତଙ୍କ ଏହି ଶୁଣାଣି ଉପରେ ନିର୍ଭର କରିବ ବିନୟ ଓ ମୁକେଶର ଆୟୁଷ ।
ଆହୁରି ପଢ଼ନ୍ତୁ; ଦୋଷୀ ପୁଅକୁ ସାହା ମା'ର ମମତା !