ଏକା ସାଙ୍ଗରେ ଫାଶୀ ଦେବା କ`ଣ ନିହାତି ଦରକାର ?
ଆଗ ପଛ କରି ଫାଶୀ କାହିଁକି ନୁହେଁ...ଜାଣନ୍ତୁ, ଏହା ପଛରେ ଥିବା ରୋଚକ କାହାଣୀ
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ଆୟୁଷ ବଢ଼ିଛି । ଆସନ୍ତା ୨୨ରେ ଫାଶୀ ଦିଆଯିବାର ଥିଲା, ମାତ୍ର ତାହା ଫେବୃଆରୀ ୧କୁ ବୃଦ୍ଧି ପାଇଛି । ଏପରି ବି ହୋଇପାରେ, ଆଗକୁ ଆୟୁଷ ଆହୁରି ବଢ଼ିବ । କାହିଁକିନା, ଦୋଷୀ ମୁକେଶର ସିନା ରାଜକ୍ଷମା ଆବେଦନ ଖାରଜ ହୋଇଛି, ହେଲେ ଅନ୍ୟମାନେ ପରା ଏପର୍ଯ୍ୟନ୍ତ ରାଜକ୍ଷମା ଆବେଦନ କରିନାହାଁନ୍ତି । ଯଦି ସେମାନେ ଆବେଦନ କରୁଛନ୍ତି, ତେବେ ଆହୁରି ବିଳମ୍ବ ହୋଇପାରେ ଫାଶୀ ।
ଗତକାଲି ଦୋଷୀ ମୁକେଶର ରାଜକ୍ଷମା ଖାରଜ ହୋଇଥିଲା । କିନ୍ତୁ କୋର୍ଟଙ୍କ ଗାଇଡ଼ଲାଇନ ଅନୁସାରେ, ରାଜକ୍ଷମା ଖାରଜ ହେବାର ୧୪ ଦିନ ପରେ ଯାଇ ଦୋଷୀକୁ ଫାଶୀ ଦିଆଯାଇପାରିବ । ଆଉ ଏହି ହିସାବରେ ଫେବୃୟାରୀ ୧ ସକାଳ ୬ଟାକୁ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ହେଲେ ଅନ୍ୟ କେଉଁ ଦୋଷୀଙ୍କ ମଧ୍ୟରୁ ଯଦି କେହି ରାଜକ୍ଷମା ଆବେଦନ କରୁଛନ୍ତି, ତେବେ ଏହା ଆହୁରି ବିଳମ୍ବ ହୋଇପାରେ ।
ଏକା ସାଙ୍ଗରେ ଫାଶୀ ଦେବା କ'ଣ ନିହାତି ଦରକାର ?
ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ମୁକେଶର ତ ରାଜକ୍ଷମା ଆବେଦନ ଖାରଜ ହୋଇସାରିଛି । ପେବୃଆରୀ ୧ ତାରିଖରେ ଫାଶୀ ଦେବାକୁ ନିର୍ଦ୍ଧାରିତ ହୋଇସାରିଛି । ମୁକେଶ ପାଖରେ ଅନ୍ୟ କିଛି ବିକଳ୍ପ ବି ନାହିଁ । କିନ୍ତୁ ଯଦି ଅନ୍ୟ ଦୋଷୀ ରାଜକ୍ଷମା ଆବେଦନ କରୁଛନ୍ତି, ତେବେ ମୁକେଶର ଫାଶୀ କାହିଁକି ବିଳମ୍ବ ହେବ ? ଗୋଟିଏ ଅପରାଧ ପାଇଁ କ'ଣ ଏକାସାଙ୍ଗରେ ଦୋଷୀଙ୍କୁ ଫାଶୀ ଦେବା ନିହାତି ଦରକାର ?
କ'ଣ ରହିଛି ଆଇନ ବ୍ୟବସ୍ଥା ?
ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏପରି କିଛି ଗାଇଡ଼ ଲାଇନ ନାହିଁ । କିନ୍ତୁ ବିଗତ ଦିନରେ ଯାହା ବି ଫାଶୀ ଦିଆଯାଇଛି, ଏକାସାଙ୍ଗରେ ହିଁ ଦିଆଯାଇଛି । ଅର୍ଥାତ ଗୋଟିଏ ଅପରାଧରେ ଜଡ଼ିତ ଦୋଷୀଙ୍କୁ ପୃଥକ ପୃଥକ ଦିନରେ ନୁହେଁ, ଗୋଟିଏ ଦିନରେ ହିଁ ଫାଶୀ ଦିଆଯାଉଛି । ଆଉ ଏହା ପଛରେ ୧୯୮୨ର ଏକ ମାମଲା ଜଡ଼ିତ ।
କାହିଁକି ଏକାସାଙ୍ଗରେ ଫାଶୀ ଦିଆଯାଉଛି ?
ଉତ୍ତରପ୍ରଦେଶରେ ୪ ଜଣଙ୍କୁ ହତ୍ୟା ମାମଲାରେ ଟ୍ରାୟଲ କୋର୍ଟ ୩ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଗୋଟିଏ ପରେ ଗୋଟିଏ ହିସାବରେ ସମସ୍ତ ୩ ଦୋଷୀଙ୍କ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଜଣଙ୍କୁ ଫାଶୀ ମଧ୍ୟ ଦିଆଗଲା । ସେହିପରି ଦ୍ୱିତୀୟ ଦୋଷୀ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଅନ୍ୟପଟେ ତୃତୀୟ ଦୋଷୀ ହରବଂଶ ସିଂହ କ୍ଷେତ୍ରରେ ଫାଶୀ ଦଣ୍ଡ କାଏମ ରଖିଥିଲେ । ହରବଂଶର ରିଭ୍ୟୁ ପିଟିସନ ଏବଂ ରାଜକ୍ଷମା ମଧ୍ୟ ଖାରଜ ହୋଇଥିଲା ।
ହେଲେ ଏତିକିରେ ସରିନଥିଲା ପୁରା କାହାଣୀ । ରାଜକ୍ଷମା ଖାରଜ ପରେ ପୁଣିଥରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା ହରବଂଶ । ପିଟିସନରେ ଦୋଷୀ ଦର୍ଶାଇଥିଲା, ମାମଲା ଗୋଟିଏ । ଅପରାଧ ବି ଏକ । ହେଲେ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା । ମାତ୍ର ଅନ୍ୟ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଗଲା । ତେବେ ମୋତେ କାହିଁକି ଫାଶୀ ଦିଆଯିବ ? ମୋତେ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଉ ।
କ'ଣ ନିଷ୍ପତ୍ତି ନେଇଥିଲେ ସର୍ବୋଚ୍ଚ ଅଦାଲତ ?
ହରବଂଶର ପିଟିସନକୁ କୋର୍ଟ ଗ୍ରହଣ କରିଥିଲେ । କେଉଁଠି ନା କେଉଁଠି କିଛି ଗଡ଼ବଡ଼ ଥିବା କୋର୍ଟ ଅନୁଭବ କରିଥିଲେ । ହରବଂଶର ଫାଶୀ ଦଣ୍ଡକୁ ମଧ୍ୟ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଏକ ଅଲିଖିତ ଆଇନ ଭାବେ କାମ କରୁଛି । ଯେତେଦିନ ପର୍ଯ୍ୟନ୍ତ ଗୋଟିଏ ମାମଲାରେ ଜଡ଼ିତ ସମସ୍ତ ଅପରାଧୀଙ୍କ ମାମଲା ଚୁଡ଼ାନ୍ତ ହୋଇନାହିଁ, ସେତେଦିନ ପର୍ଯ୍ୟନ୍ତ କାହାକୁ ଫାଶୀ ଦିଆଯାଉନାହିଁ ।
ଆଉ ଏବେ ଯଦିଓ ମୁକେଶର ରାଜକ୍ଷମା ଖାରଜ ହୋଇଛି, ଅନ୍ୟଦୋଷୀଙ୍କ ରାଜକ୍ଷମା ବିଚାରଧୀନ ଥିବା ପର୍ଯ୍ୟନ୍ତ ମୁକେଶକୁ ମଧ୍ୟ ଫାଶୀ ଦିଆଯିବନାହିଁ ।
ଆହୁରି ପଢ଼ନ୍ତୁ; 'ଫାଶୀକୁ ନେଇ ରାଜନୀତି ବନ୍ଦ ହେଉ'