ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ସମଗ୍ର ଭାରତ ଏକ ହୋଇଛି । ନିକଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ସରକାରଙ୍କୁ ସମର୍ଥନ କରୁଥିବା ଜଣାଇଥିଲେ । ଆଉ ଆଜି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ସମାନ କଥା କହିଛନ୍ତି । 


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ନିଜ ଚିଠିରେ ଲେଖିଛନ୍ତି, କୋରୋନା ମୁକାବିଲା କ୍ଷେତ୍ରରେ କଂଗ୍ରେସର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଉତ୍ତର ପ୍ରଦେଶ ସରକାରଙ୍କ ସହ ଅଛନ୍ତି । ସେହିପରି ସମଗ୍ର ଦେଶରେ ଲକ୍ ଡାଉନ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ୟୁପିର ନାଗରିକଙ୍କ ସୁବିଧା କରିବାକୁ ସେ ଅନୁରୋଧ କରିଛନ୍ତି । ବର୍ତ୍ତମାନ ସ୍ଥିତିର ସରକାରଙ୍କ ସମସ୍ତ ଯୋଜନା ଯେପରି ଗରିବ ଲୋକଙ୍କ ପାଖରେ ପହଞ୍ଚିବ, ସେନେଇ ମୁଖ୍ୟମନ୍ତ୍ରୀ ସୁନିଶ୍ଚିତ କରନ୍ତୁ ବୋଲି କହିଛନ୍ତି ପ୍ରିୟଙ୍କା । 


ନିଜ ଚିଠିରେ କଂଗ୍ରେସ ମହାସଚିବ ଉଲ୍ଲେଖ କରିଛନ୍ତି, ବର୍ତ୍ତମାନ ଦେଶର କୋରୋନା ମହାମାରୀ ବ୍ୟାପୁଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହେଲାଣି । ଅନ୍ୟପଟେ ଲକ୍ ଡାଉନ ଯୋଗୁଁ ଦେଶର ଗରିବ ଲୋକଙ୍କ ରୋଜି ରୋଟି ଉପରେ ମଧ୍ୟ ପ୍ରଭାବ ପଡ଼ୁଛି । ତେଣୁ ଏଭଳି ପରିସ୍ଥିତିରେ ସରକାରଙ୍କୁ ସହଯୋଗ କରିବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଛି । ରାଜ୍ୟର କଂଗ୍ରେସ ପ୍ରଭାରୀ ହୋଇଥିବା କାରଣରୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମୁଁ ପୂର୍ବରୁ ହିଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କହିଥିବା ସେ ଚିଠିଲେ ଉଲ୍ଲେଖ କରିଛନ୍ତି । ଏପରିକି ଏଭଳି ପରିସ୍ଥିତିରେ ଆମ ପରସ୍ପର ଭିତରେ ଥିବା ମତଭେଦରୁ ଉର୍ଦ୍ଧ୍ୱରେ ରହି ଦେଶ ପାଇଁ ଏକଜୁଟ ହେବାକୁ ହେବ ବୋଲି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ।