ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା କହିଛନ୍ତି କି, ସ୍ୱାଧୀନ ଭାରତରେ କାହାରି ନାଗରିକତା ମାଗିବାର କୌଣସି ଅଧିକାର ନାହିଁ। ଏହି ବାହାନାରେ ଦେଶକୁ ସିଏଏର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।  


COMMERCIAL BREAK
SCROLL TO CONTINUE READING

ପ୍ରିୟଙ୍କା କହିଛନ୍ତି କି, ଭାରତ ଗଠନରେ ଆମ ସମସ୍ତଙ୍କର ଅବଦାନ ରହିଛି। ଭାରତ ଗଠନରେ ସବୁ ଜାତି ଧର୍ମର ଲୋକମାନଙ୍କ ଭାଗୀଦାରି ରହିଛି। ଏଥିରେ କେହି କମ କିମ୍ବା ଅଧିକ ନୁହେଁ। ଗରୀବଙ୍କୁ ସିଧାସଳଖ କ୍ଷତି ପହଞ୍ଚାଉଥିବା ଏହି ଆଇନକୁ ଆମେ ସଡ଼କରୁ ସଂସଦ ପର୍ଯ୍ୟନ୍ତ ତୀବ୍ର ବିରୋଧ କରିବୁ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରି କହିଥିଲେ କି, ଅର୍ଥ ବ୍ୟବସ୍ଥା ଧିରେଧିରେ ବୁଡ଼ିବାକୁ ବସିଲାଣି। ଦେଶର ଜିଡ଼ିପି ମଧ୍ୟ ଗୁରୁତର ଭାବେ ହ୍ରାସ ପାଇବାରେ ଲାଗିଛି। ବେରୋଜଗାରୀ ଓ ବେକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଓ ସରକାର ଏହି ସମସ୍ୟା ଉପରୁ ଧ୍ୟାନ ହଟାଇବା ପାଇଁ ଏହି ନିୟମ ଆଣିଛନ୍ତି ବୋଲି ସେ କହିଛନ୍ତି। ଦେଶର ପ୍ରମୁଖ ସମସ୍ୟା ଗୁଡ଼ିକ ଉପରେ ସରକାର ଧ୍ୟାନ ଦିଅନ୍ତୁ। ଦେଶରେ ଛାତ୍ର ଓ ଗରୀବ ଜନତା କଣ କହୁଛନ୍ତି ତାହାକୁ ସେ ଶୁଣନ୍ତୁ ବୋଲି ସେ କହିଛନ୍ତି ।  


ଏହା ସହିତ ବିଜନୌରରେ ହୋଇଥିବା ହିଂସାକାଣ୍ଡରେ ମୃତ୍ୟୁ ମୁଖରେ ପଡ଼ିଥିବା ଲୋକଙ୍କ ଘରକୁ ପ୍ରିୟଙ୍କା ଯାଇଥିଲେ । ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ସାକ୍ଷାତ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ସିଏଏ ହିଂସାରେ ଉତ୍ତରପ୍ରଦେଶରେ ହିଂସାକାଣ୍ଡରେ ସର୍ବାଧିକ କ୍ଷତି ଘଟିଛି। ରାଜ୍ୟର ପ୍ରାୟ 21ଟି ଜିଲ୍ଲାରେ ଏହି ହିଂସା ବ୍ୟାପି ଯାଇଥିଲା। ଫଳରେ ଏହି ସବୁ ଜିଲ୍ଲାରେ ଇଣ୍ଟରନେଟକୁ ବନ୍ଦ କରାଯାଇଥିବା ବେଳେ ପ୍ରାୟ 20 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  


ସେପଟେ ଆସନ୍ତାକାଲି ସିଏଏ ଓ ଏନଆରସିକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ରାଲିର ଆୟୋଜନ କରୁଛି। ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଦଳର ପ୍ରମୁଖ ନେତୃବୃନ୍ଦ ସାମିଲ ହେବେ ବୋଲି ଜଣାପଡ଼ିଛି। ତେବେ ଏହି ରାଲି ଆଜି ଅର୍ଥାତ 22 ଡିସେମ୍ବରରେ ହେବାର ଥିଲା। ମାତ୍ର ଦଳୀୟ ନିଷ୍ପତ୍ତି ପରେ ତାହା ଆସନ୍ତାକାଲିକୁ ଘୁଞ୍ଚାଯାଇଥିବା ଜଣାପଡ଼ିଛି।