ନୂଆଦିଲ୍ଲୀ: ବିଜେପି ଓ ଶିବସେନା ପରେ ସରକାର ଗଠନ ପାଇଁ ଏନସିପିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ ଘଟଣା ମହାରାଷ୍ଟ୍ର ରାଜନୀତିକୁ ଆହୁରି ରୋଚକୀୟ କରିଦେଇଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏନସିପି କିଛି ଗୋଳମାଳ କରିପାରେ । ଯେତେବେଳେ ଏଭଳି କିଛି ଆଶଙ୍କା ପ୍ରକାଶ ପାଉଛି, ସେତେବେଳେ ଜଣେ କଂଗ୍ରେସ ନେତାଙ୍କ ପାଖରୁ ଆସିଛି ବଡ ବୟାନ । ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ହେଲେ ଶିବସେନାକୁ ହିଁ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି କହିଛନ୍ତି ମହାରାଷ୍ଟ୍ର କଂଗ୍ରେସର ଚର୍ଚ୍ଚିତ ଚେହେରା କାଗଡା ଚଂଦ୍ୟା ପଦଭୀ। 


COMMERCIAL BREAK
SCROLL TO CONTINUE READING

ଆଜି ପଦଭୀ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ମେଣ୍ଟ ନେଇ ଚୁଡାନ୍ତ ନିଷ୍ପତ୍ତି ହୋଇନାହିଁ । ଏବେ ଆଲୋଚନା ଜାରି ରହିଛି । ବିକଳ୍ପ ସରକାର ପାଇଁ ଏକ ସକରାତ୍ମକ ଫଳାଫଳ ଆସିବ ବୋଲି ସେ ଆଶା ରଖିଛନ୍ତି । ସେହିପରି ଯଦି ଶିବସେନା-କଂଗ୍ରେସ-ଏନସିପି ସରକାର ଗଢୁଛନ୍ତି, ତେବେ ଶିବସେନାକୁ ହିଁ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି ପଦଭୀ । 



ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ବିରୋଧୀ ଦଳରେ ବସିବା ଅପେକ୍ଷା ଶିବସେନା ସହ ମେଣ୍ଟ କରି ସରକାରରେ ରହିବାକୁ ବହୁ କଂଗ୍ରେସ ନେତା ଚାହୁଁଛନ୍ତି । ଏ କ୍ଷେତ୍ରରେ କଂଗ୍ରେସ କେନ୍ଦ୍ର ନେତୃତ୍ୱଙ୍କ ଯେତେ ଉତ୍ସୁକତା ପ୍ରକାଶ ପାଉନି, ତାଠାରୁ ଅଧିକ ରାଜ୍ୟ ନେତୃତ୍ୱଙ୍କର । ଯାହାକି ଶିବସେନାକୁ ଆଶ୍ୱସ୍ତି ଦେଉଛି । କଂଗ୍ରେସ ହାଇକମାଣ୍ଡ ଏବଂ ଏନସିପି ମୁଖ୍ୟ ମଧ୍ୟ ଶିବସେନା ସହ ମେଣ୍ଟ କରି ସରକାର ଗଢିବାକୁ ଗୋଟିଏ ପ୍ରକାର ନିଷ୍ପତ୍ତି ଚୁଡାନ୍ତ କରିସାରିଛନ୍ତି । ଆଜି ସଂନ୍ଧ୍ୟା ୭.୩୦ ସୁଦ୍ଧା ଏନେଇ ଏନସିପି ରାଜ୍ୟପାଳଙ୍କ ପାଖରେ ଆଭିମୁଖ୍ୟ ସ୍ପଷ୍ଟ କରିବ । 


ବିଶ୍ୱସ୍ତ ସୂତ୍ରରୁ ଯାହା ଖବର ମିଳୁଛି, ସରକାର ଗଠନ ପୂର୍ବରୁ ଶିବସେନା ସହ ମନ୍ତ୍ରିମଣ୍ଡଳ ଭାଗବଣ୍ଟା ନେଇ ମଧ୍ୟ ଆଲୋଚନା କରିବାକୁ ଚାହୁଁଛନ୍ତି ଉଭୟ ଏନସିପି ଓ କଂଗ୍ରେସ । ଏପରିକି କଂଗ୍ରେସ ତରଫରୁ ସରକାର ଗଠନକୁ ନେଇ ଏକ ଫର୍ମୁଲା ସାମ୍ନାକୁ ଆସିଛି । ସୂତ୍ରାନୁସାରେ, ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ କଂଗ୍ରେସ ଯେଉଁ ଫର୍ମୁଲା ଉପରେ ବିଚାର କରୁଛି, ତାହା ଅନ୍ତର୍ଗତ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ । ଅନ୍ୟପକ୍ଷେ ୨ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ । ଏହା ବ୍ୟତୀତ କ୍ୟାବିନେଟରେ ଶିବସେନା-ଏନସିପି-କଂଗ୍ରେସର ୧୪-୧୪ ମନ୍ତ୍ରୀ ରହିବେ ।


ଏପଟେ ଏନସିପି ପ୍ରଥମରୁ ସ୍ପଷ୍ଟ କରିଛି ଯେ ଶିବସେନାକୁ ସମର୍ଥନ ସର୍ତ୍ତ ଆଧାର ମିଳିବ । ତେଣୁ ଶିବସେନା ଓ ଏନସିପି-କଂଗ୍ରେସ ମଧ୍ୟରେ କମନ ମିନିମମ ପ୍ରୋଗ୍ରାମ ଉପରେ ସରକାର ଗଠନ କରିପାରନ୍ତି । କାରଣ ଶିବସେନା ବିଚାରଗତ ଦୃଷ୍ଟିରୁ ଏନସିପି ଓ କଂଗ୍ରେସ ଠାରୁ ସଂପୂର୍ଣ୍ଣ ପୃଥକ ଦଳ ।