ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ତେବେ ମହାରାଷ୍ଟ୍ରରେ ଜନାଦେଶ ବିଜେପି-ଶିବସେନା ମେଣ୍ଟକୁ ଯିବା ଏକପ୍ରକାର ସ୍ପଷ୍ଟ ହେବାକୁ ବସିଲାଣି । ଆଉ ଏହାରି ଭିତରେ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି । ୱର୍ଲି ଆସନରୁ ବିଜୟୀ ହୋଇଛନ୍ତି ଶିବସେନା ପ୍ରାର୍ଥୀ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଆଉ ଏହା ପରେ ହିଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିଛି ଶିବସେନା । 


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମେଣ୍ଟକରି ମଇଦାନକୁ ଓହ୍ଲାଇଥିବା ବିଜେପି-ଶିବସେନାକୁ ଯଦିଓ ବହୁମତ ମିଳିବା ଏକପ୍ରକାର ସ୍ପଷ୍ଟ ହେଉଛି, ତେବେ ଏହାରି ଭିତରେ ଅନ୍ୟ ଏକ ବିବାଦ ମୁଣ୍ଡ ଟେକିଲାଣି । କାହିଁକିନା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ୱର୍ଲି ଆସନରୁ ବିଜୟୀ ହେବା ପରେ ହିଁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର କହିଲାଣି । 


ଶିବସେନାର ବରିଷ୍ଠ ନେତା ସୁଶୀଲ ସିନ୍ଧେ କହିଛନ୍ତି , ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳୁ । ଆଦିତ୍ୟ ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବରେ ନିର୍ବାଚନ ଲଢି ୬୭ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ର ଶିବସେନାରୁ ମୁଖ୍ୟମନ୍ତ୍ରୀ ଦେଖିବାକୁ ଚାହୁଁଛି । ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳୁ ବୋଲି ଦାବି କରିଛନ୍ତି ସିନ୍ଧେ । 


ବିଜେପି ଓ ଶିବସେନା ମେଣ୍ଟ କରିବା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ରହିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଆଦିତ୍ୟ ଠାକରେ ଜିତିବା କ୍ଷଣି ହିଁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ଆରମ୍ଭ କରିଦେଇଛି । ଯାହା ସମସ୍ତଙ୍କୁ ଚକିତ କରୁଛି । 


ତେବେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଆଦିତ୍ୟ । ୬୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି । ଆଦିତ୍ୟ ନିଜ ପରିବାରର ପ୍ରଥମ ସଦସ୍ୟ, ଯିଏ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇଛନ୍ତି । ଯଦିଓ ଦୀର୍ଘ ବର୍ଷ ଧରି ଠାକରେ ପରିବାର ମହାରାଷ୍ଟ୍ର ରାଜନୀତିରେ ନିଜ ପତିଆରା ଜାହିର କରିଆସିଛନ୍ତି, ତେବେ ପୂର୍ବରୁ କେହି ପ୍ରତ୍ୟକ୍ଷ ନିର୍ବାଚନକୁ ଆସୁନଥିଲେ । କାହିଁକିନା ଏହା ହିଁ ଥିଲା ଦିବଙ୍ଗତ ନେତା ବାଲ ଠାକରେଙ୍କ ଆଭିମୁଖ୍ୟ । 


ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଚାଲୁଥିଲେ ଆଦିତ୍ୟ । ଏହି ଆସନରୁ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ଲଢୁଥିଲେ ଏନସିପି ନେତା ସୁରେଶ ମାନେ । ସେ ଶିବସେନାଠାରୁ ୬୭ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଛନ୍ତି । ଶିବସେନା ଗଡ ଭାବରେ ପରିଚିତ ୱର୍ଲି ଆସନରେ ଗତ ୨୦୧୪ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ୬୦ ହଜାର ଭୋଟରେ ବିଜୟୀ ହୋଇଥିଲା । ଏପଟେ ଏହି ବିଜୟ ସହ ଆଦିତ୍ୟ ଆରମ୍ଭ କରିଛନ୍ତି ନିଜର ପ୍ରତ୍ୟକ୍ଷ ରାଜନୀତି କ୍ୟାରିୟର ।