ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ପହିଲାରେ ଉପସ୍ଥାପନ କରାଯିବ କେନ୍ଦ୍ର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ ବଜେଟ୍ । ଦେଶ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଏହି ବଜେଟ୍ କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ଭାରତର ଆର୍ଥିକ ପରିସ୍ଥିତିକୁ ସୁଧାରିବାକୁ ସରକାର ପ୍ରାଣପଣେ ଚେଷ୍ଟା କରିବେ । ସେଥିପାଇଁ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ନିର୍ମଳା ସୀତାରମଣ ନିଶ୍ଚିତ ଭାବେ ପ୍ରୟାସ କରିବେ । ତେବେ ଆର୍ଥିକ ମାନ୍ଦାବସ୍ଥାକୁ ସୁଧାରିବାକୁ ସରକାର ଯେଉଁ ସବୁ ବିଭାଗ ଉପରେ ଧ୍ୟାନ ଦେବେ ତନ୍ମଧ୍ୟରୁ...


COMMERCIAL BREAK
SCROLL TO CONTINUE READING

୧) ଓଏନଜିସି, କୋଲ୍ ଇଣ୍ଡିଆ ଭଳି କମ୍ପାନିର ଅଂଶଧନ ୫୧ ପ୍ରତିଶତକୁ ହ୍ରାସ ହୋଇଗଲେ ସରକାର ଏହାର ଫାଇଦା ଉଠାଇ ପାରିବେ ।


୨) ଏୟାର ଇଣ୍ଡିଆ, ବିପିସିଏଲ୍ ଭଳି ବଡ଼ ବଡ଼ କମ୍ପାନିର ଘରୋଇକରଣ ଯୋଗୁ ସରକାର ଲାଭରେ ରହିପାରନ୍ତି । 


୩) ଶକ୍ତି, ଗ୍ୟାସ୍ ଓ ହାଇୱେ ଆଦି କ୍ଷେତ୍ରରେ ଯଦି ସରକାର ନିବେଶ କରନ୍ତି, ତେବେ ଏହା ଦ୍ୱାରା ଲାଭବାନ ହେବାର ସମ୍ଭାବନା ରହିଛି । 


୪) ଶତ୍ରୁ ସମ୍ପତ୍ତି ବିକ୍ରି କରିବା ଦ୍ୱାରା ସରକାର ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ଲାଭ ପାଇବେ । ୯ ହଜାର ୪୦୬ଟି ଶତ୍ରୁ ସମ୍ପତ୍ତି ବିକ୍ରି କରିବାର ପ୍ରକ୍ରିୟା ପାଇଁ ମନ୍ତ୍ରୀସ୍ତରୀୟ ଏକ କମିଟି ଗଠନ କରିଛନ୍ତି । ଏହି ସମ୍ପତ୍ତି ବିକ୍ରି ହୋଇଗଲେ ସରକାରଙ୍କୁ ଲକ୍ଷାଧିକ ଟଙ୍କା ମିଳିବ ।


୫) କ୍ଷତିରେ ଚାଲୁଥିବା କମ୍ପାନି ଗୁଡ଼ିକର ଏକ ତାଲିକା ନୀତି ଆୟୋଗ ପ୍ରସ୍ତୁତ କରିଛି । ଏହାକୁ ସରକାର ବିକ୍ରି କରିବାର ଯୋଜନା କରୁଛନ୍ତି ।



ସେହିପରି ଯେଉଁ ସବୁ ଅନ୍ୟ ଦିଗ ଉପରେ ସରକାର ଧ୍ୟାନ ଦେଇପାରନ୍ତି, ସେଗୁଡ଼ିକ ହେଲା-


୧) କୃଷି- ଏଥର ସରକାର କୃଷି ଉପରେ ଅଧିକ ଫୋକସ୍ ଦେବେ । କାରଣ ଏହାଦ୍ୱାରା ସରକାର ସବୁଠୁ ଅଧିକ ଲାଭ ପାଇଥାନ୍ତି । ସେଥିପାଇଁ କୃଷକମାନଙ୍କ ପାଇଁ ସରକାର ନୂଆ ଯୋଜନା ଆଣିପାରନ୍ତି । ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଭଳି ଅନେକ ଗୁଡ଼ିଏ ସବସିଡି ଯୋଜନାକୁ ମିଶାଇ 'ପ୍ରଧାନମନ୍ତ୍ରୀ ସାର୍ବଭୌମ' ଯୋଜନା ନାଁରେ ଏକ ନୂଆ ଯୋଜନା ଆଣିପାରନ୍ତି । ଏହାଦ୍ୱାରା ଚାଷୀମାନେ ଅଧିକ ଲାଭବାନ ହେବେ । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା ହେବା ନେଇ ସରକାର ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ପୂରଣ ହେବ ।


୨) ମନରେଗା- ଗ୍ରାମୀଣ ବିକାଶ ପାଇଁ କେବଳ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ମନେରଗା ହିଁ ଏକ ମାତ୍ର ଯୋଜନା । ତେଣୁ, ଗ୍ରାମୀଣ ବିକାଶ ପାଇଁ ଥିବା ଅନେକ ଛୋଟ ଛୋଟ ଯୋଜନାକୁ ସରକାର ବନ୍ଦ କରିଦେଇ ମନେରଗାକୁ ଉପରେ ହିଁ କେବଳ ଫୋକସ୍ ଦେବେ । ନଚେତ୍ ମନେରଗାରେ ହିଁ ସେସବୁ ଯୋଜନାକୁ ସାମିଲ କରିଦେବାର ସମ୍ଭାବନା ରହିଛି । ପ୍ରାୟ ୭୫ ହଜାର କୋଟି ଟଙ୍କା କେବଳ ମନେରଗାକୁ ଏଥର ମିଳିବାର ସମ୍ଭାବନା ରହିଛି ।


୩) ଗ୍ରାମୀଣ ବିକାଶ- ଗ୍ରାମୀଣ ବିକାଶ ପାଇଁ ଏଥର ବଜେଟରେ ସରକାର ଗ୍ରାମାଞ୍ଚଳର ମୁଣ୍ଡପିଛା ଆୟକୁ ବୃଦ୍ଧି କରିବା ସହ ଆହୁରି ଅନେକ ବ୍ୟବସ୍ଥା କରିପାରନ୍ତି ।


୪) ବିଜୁଳି- ପୂର୍ବ ବଜେଟ୍ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ପର୍ଯ୍ୟନ୍ତ ଭାରତର ପ୍ରତିଟି ଘରକୁ ନଳ ଜଳ ଏବଂ ୨୦୨୨ ପର୍ଯ୍ୟନ୍ତ ପ୍ରତି ଘରକୁ ବିଜୁଳି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ, ଏହି ଟାର୍ଗେଟ୍ ପୂରା କରିବାକୁ ହେଲେ ଏଥର ବଜେଟରେ ଏ ବିଷୟରେ ସରକାର ନିହାତି ଭାବେ ଚିନ୍ତା କରୁଥିବେ । ସେଥିପାଇଁ ୨୪ ଘଣ୍ଟା ବିଜୁଳି ସେବା ଯୋଗାଇ ଦେବାକୁ ସରକାର ଯୋଜନା କରିଛନ୍ତି ।  'Atal Distribution System Improvement Yojana’ ବା ଆଦିତ୍ୟ ଭଳି ନୂଆ ଯୋଜନା ମାଧ୍ୟମରେ ପ୍ରାୟ ୧ ଦଶମିକ୧୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିବାର ସମ୍ଭାବନା ରହିଛି । ସେହିପରି କେତେକ ସରକାରୀ ସଂସ୍ଥା ବ୍ୟତୀତ ବେସରକାରୀ ସଂସ୍ଥା ଗୁଡ଼ିକୁ ମଧ୍ୟ ବିଜୁଳି ଶକ୍ତି ଯୋଗାଇବା ପାଇଁ ସରକାର ଦାୟିତ୍ୱ ଦେଇପାରନ୍ତି । ତେବେ ବିଦ୍ୟୁତ୍ ସଂଯୋଗ କରିବା, ସ୍ମାର୍ଟ ମିଟର ବସାଇବା ଆଦି ଏହି ଯୋଜନାର ଅନ୍ତର୍ଭୁକ୍ତ । ତେବେ ସରକାର ଭାରତର ପ୍ରାୟ ୨୫ କୋଟି ପରିବାରରେ ସ୍ମାର୍ଟ ମିଟର ଲଗାଇବା ପାଇଁ  ଲକ୍ଷ୍ୟ ରଖିଛନ୍ତି ।


୫) ସେହିପରି ମାନ୍ଦାବସ୍ଥା କାରଣରୁ ଲୋକଙ୍କ ବ୍ୟୟ ହ୍ରାସ ପାଇଛି । ଲୋକମାନେ ଘର ଓ କାର୍ ଭଳି ସାମଗ୍ରୀ କ୍ରୟ କରିବାକୁ ଡରୁଛନ୍ତି । ତେଣୁ, ଏଦିଗରେ ନିର୍ମଳାଙ୍କ ବଜେଟରେ ବ୍ୟକ୍ତିଗତ କରରେ କିଛି ମାତ୍ରା ହ୍ରାସ ପାଇପାରେ । ଦୀର୍ଘମିଆଦି ପୁଞ୍ଜିଲାଭ ଟିକସ ପ୍ରତ୍ୟାହାର କରିବା ସହ ଗୃହ କ୍ରେତାଙ୍କୁ ଅଧିକ ପ୍ରୋତ୍ସାହନ ଦେଇପାରେ କେନ୍ଦ୍ର ବଜେଟ୍ । କୃଷି ବୀମା, ସ୍ୱାସ୍ଥ୍ୟ ବୀମା ଓ ପେନସନ ଯୋଜନା ଆଦିକୁ ମଧ୍ୟ ଏଥର ବଜେଟରେ ବିଶେଷ ଗୁରୁତ୍ୱ ଦିଆଯିବ ।



ଇଂଲଣ୍ଡରେ ୧୯୭୯ ମସିହାରେ ଜେମ୍ସ କଲାଘାନ ଅବିଶ୍ୱାସ ପ୍ରସ୍ତାବରେ ହାରିବା ପରେ ମାର୍ଗାରେଟ୍ ଥାଚର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେତେବେଳେ ଇଂଲଣ୍ଡର ଆର୍ଥିକ ଅବସ୍ଥା ସାଙ୍ଘାତିକ ଥିଲା । ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଇଂଲଣ୍ଡର ମଙ୍ଗ ସମ୍ଭାଳିଥିଲେ ସେଠାକାର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥାଚର । ସେତେବେଳେ ସେ ଇଂଲଣ୍ଡର ପ୍ରତ୍ୟକ୍ଷ କରକୁ ହ୍ରାସ କରି ପରୋକ୍ଷ କର ବୃଦ୍ଧି କରିଥିଲେ, ଯାହାକୁ ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞମାନେ ପ୍ରଶଂସା କରିଥିଲେ । ସେହିପରି ଗୃହ, ଶିକ୍ଷା ଆଦି କ୍ଷେତ୍ରରେ ଖର୍ଚ୍ଚ କରିବା କମ୍ କରି ଦେଇଥିଲେ । ଏହାସହ ମନି ସପ୍ଲାଏ ହ୍ରାସ କରିବା ପାଇଁ ସେ ସୁଧ ହାର ବୃଦ୍ଧି ଭଳି କଠୋର ନିଷ୍ପତ୍ତି ନେଇଥିଲେ । ସେହିପରି ଇଂଲଣ୍ଡର ମୁଦ୍ରାସ୍ଫୀତି ସର୍ବାଧିକ ଥିବାବେଳେ ଦେଶକୁ ବଞ୍ଚାଇଥିଲେ ମାର୍ଗାରେଟ୍ ଥାଚର । ସେଥିପାଇଁ ତାଙ୍କୁ ଆଇରନ ଲେଡି ବୋଲି କୁହାଯାଏ । ଏବେ ଭାରତ ମଧ୍ୟ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ।  ତେଣୁ, ଏବେ ସମସ୍ତଙ୍କ ନଜର ଚଳିତ ଆର୍ଥିକ ବଜେଟ  ସମେତ ସୀତାରମଣଙ୍କ ଉପରେ ରହିଛି । ଏହି ପରିପ୍ରେକ୍ଷୀରେ ଯଦି ନିର୍ମଳା ସୀତାରମଣ ବଜେଟ ମାଧ୍ୟମରେ ଦେଶବାସୀଙ୍କୁ ସନ୍ତୁଷ୍ଟ କରିପାରନ୍ତି ଏବଂ ଦେଶର ଅର୍ଥନୀତିକୁ ସୁଧାରିପାରନ୍ତି, ତେବେ ମାର୍ଗାରେଟ ଥାଚରଙ୍କ ପରି ସିଏ ମଧ୍ୟ ଇତିହାସରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବେ । 


ଆହୁରି ପଢ଼ନ୍ତୁ; ବଜେଟ ୨୦୨୦: ଇପିଏଫ ସ୍ଲାବରେ ହୋଇପାରେ ଏହି ବଡ଼ ପରିବର୍ତ୍ତନ