ବିଜେପି ସହ ମେଣ୍ଟ ଭାଙ୍ଗିବ ଶିବସେନା!
ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶିବସେନା ଉପରେ ବର୍ଷିଛନ୍ତି ଫଡନାବିସ । ରାଜ୍ୟରେ ସରକାର ଗଠନ ନ ହେବାରୁ ଶିବସେନାକୁ ଦାୟୀ କରିଛନ୍ତି ସେ ।
ତମାଲ ବାକଚି, ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସଂଶୟର ସ୍ଥିତି ଜାରି ରହିଛି । ଏପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାବିସ । ନଭେମ୍ୱର ୯ରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ଯଦି ସରକାର ଗଠନ ନ ହେବ, ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିଶ କରି ପାରନ୍ତି । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶିବସେନା ଉପରେ ବର୍ଷିଛନ୍ତି ଫଡନାବିସ । ରାଜ୍ୟରେ ସରକାର ଗଠନ ନ ହେବାରୁ ଶିବସେନାକୁ ଦାୟୀ କରିଛନ୍ତି ସେ ।
ସେ କହିଛନ୍ତି ଯେ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି କିନ୍ତୁ ଦୁର୍ଭାଗ୍ୟବଶତଃ ସରକାର ଗଠନ ହୋଇ ପାରି ନାହିଁ । ୨.୫ ବର୍ଷ ସିଏମ ପଦକୁ ନେଇ ଉଦ୍ଧବ ଠାକରେଙ୍କ ଆଗରେ କୌଣସି ପ୍ରସ୍ତାବ ରଖାଯାଇ ନଥିଲା । ରାଜ୍ୟରେ ସରକାର ଗଠନ ନ ହୋଇ ପାରିବାରୁ ଶିବସେନା ହିଁ ଦାୟୀ । ହିନ୍ଦୁତ୍ୱକୁ ନେଇ ଶିବସେନା ସହ ମେଣ୍ଟ କରାଯାଇଥିଲା । ଶିବସେନା ପିଏମ ମୋଦି ଓ ଅମିତ ଶାହଙ୍କ ଉପରେ ଅଭିଯୋଗ ଆଣିଛି । ଅନ୍ୟପକ୍ଷେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ଯେ ୨.୫ ବର୍ଷର ସିଏମ ପଦ ପାଇଁ ବିଜେପି ସହ ଆଲୋଚନା କରାଯାଇଥିଲା । ଆମେ କାହା ଉପରେ ବ୍ୟକ୍ତିଗତ ଟିପ୍ପଣୀ କରି ନାହୁ । ଶିବସେନା ଚାହିଁଲେ ମୁଖ୍ୟମନ୍ତ୍ରୀ ପଦ ସହ ସରକାର ଗଢି ପାରିବ ।
ଏହି ସମସ୍ତ ଘଟଣା ଚକ୍ରକୁ ଦେଖିଲେ, ବର୍ତ୍ତମାନ ଗୋଟିଏ ପ୍ରଶ୍ନ ଉଠୁଛି । ମହାରାଷ୍ଟ୍ରରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ମେଣ୍ଟ ଭାଙ୍ଗିବ କି ? ଖବର ମିଳୁଛି ଶିବସେନା ମହାୟୁତିରୁ ଅଲଗା ହୋଇ ପାରନ୍ତି । ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ଶିବସେନାର ଏହା ବଡ଼ ପଦକ୍ଷେପ ହୋଇପାରେ । ଉଦ୍ଧବ ଠାକରେଙ୍କ ସହ ଦଳର ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି । ଏହି ବୈଠକ ପୂର୍ବରୁ ଶିବସେନା ନେତା ଗୁଲାବରାବ ପାଟିଲ କହିଛନ୍ତି ଯେ ସିଏମ ଶିବସେନାରୁ ହିଁ ହେବା ଆବଶ୍ୟକ । ଆମେ ଉଦ୍ଧବ ଠାକରେଙ୍କ ଆଦେଶର ପ୍ରତୀକ୍ଷା କରୁଛି । ଯେତେ ଯାଏ ଆମକୁ ହୋଟେଲରେ ରହିବାକୁ କୁହାଯିବ, ସେତେଯାଏ ଆମେ ହୋଟେଲରେ ରହିବୁ ।
ଅନ୍ୟପକ୍ଷେ ଶିବସେନା ସ୍ପଷ୍ଟ କରିଛି ଯେ ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାହୁଛି । ଗୁରୁବାର ମଧ୍ୟ ରାତ୍ରିରେ ଆଦିତ୍ୟ ଠାକରେ ମୁମ୍ୱାଇର ରଙ୍ଗଶାରଦା ହୋଟେଲରେ ଯାଇ ଶିବସେନା ବିଧାୟକଙ୍କ ସହ ସାକ୍ଷାତ କରିଛନ୍ତି । ସେହିପରି ସରକାର ଗଢିବା ପାଇଁ ସଞ୍ଜୟ ରାଉତ ଶୁକ୍ରବାର ଏନସିପି ପ୍ରମୁଖ ଶରଦ ପାୱାରଙ୍କ ସହ ସାକ୍ଷାତ ମଧ୍ୟ କରିଛନ୍ତି ।