Taliban in Pakistan:


COMMERCIAL BREAK
SCROLL TO CONTINUE READING

ପାକିସ୍ତାନର ଉତ୍ତର ୱାଜିରିସ୍ତାନକୁ କୁଖ୍ୟାତ ତେହେରିକ-ଇ-ତାଲିବାନ ପାକିସ୍ତାନ ନିଜ କବଜାକୁ ନେଇଛି । ଏହି ଅଞ୍ଚଳରେ ଟିଟିପି ଆତଙ୍କବାଦୀମାନେ ନିଜ ସରକାର ଗଠନ କରିଛନ୍ତି । ୱାଜିରସ୍ତାନର ସରକାର ସେଠାରେ ଏକ ରକମ ଅଚଳ ହୋଇଯାଇଥିବା ବେଳେ ତାଲିବାନ ଏକରକମ ସମାନ୍ତରାଳ ସରକାର  ଚଳାଉଛି । ତାଲିବାନ ଆତଙ୍କବାଦୀ ସରକାରୀ ଅଧିକାରୀ ଓ କଣ୍ଟ୍ରାକ୍ଟରମାନଙ୍କୁ ସେମାନଙ୍କ ଆଦେଶ ମାନିବାକୁ ଧମକ ଦେଉଛନ୍ତି। ଉତ୍ତର ୱାଜିରିସ୍ତାନ ହେଉଛି ପାକିସ୍ତାନର ଖାଇବର ପାଖ୍ଟନଖୱା ପ୍ରଦେଶର ଏକ ଜିଲ୍ଲା। ଏହାର ସୀମା ଆଫଗାନିସ୍ତାନ ସହିତ ଲାଗିଛି। ଉତ୍ତର ୱାଜିରିସ୍ତାନକୁ ଟିଟିପିର ଗଡ଼ ବୋଲି ମଧ୍ୟ କୁହାଯାଏ । ଉତ୍ତର ୱାଜିରସ୍ତାନରେ ପାକ୍ ସେନାର ଉପସ୍ଥିତି ମଧ୍ୟ ନାହିଁ । ପାକିସ୍ତାନୀ ସେନା ଭୟରେ ସେଠାକୁ ଯାଉନାହିଁ ବୋଲି କୁହାଯାଉଛି ।


ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତେହେରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ଉତ୍ତର-ପଶ୍ଚିମ ଖାଇବର ପାଖତୁନଖୱା (କେପି) ପ୍ରଦେଶର ବିଭିନ୍ନ ଅଂଶ ଦଖଲ କରିଛି ଏବଂ ଏହି ଅଞ୍ଚଳରେ ଛାୟା ସରକାର ମଧ୍ୟ ପ୍ରତିଷ୍ଠା କରିଛି। ଏହି ସରକାର ଇସଲାମବାଦ ବଦଳରେ କାବୁଲ ପ୍ରତି ଅନୁରକ୍ତି  ପ୍ରଦର୍ଶନ କରୁଛି। ଟିଟିପି ବର୍ତ୍ତମାନ ସ୍ଥାନୀୟ ଅଧିକାରୀ ଏବଂ କଣ୍ଟ୍ରାକ୍ଟରମାନଙ୍କୁ ତାକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛି।


ଖାଇବର ପାଖତୁନଖୱା ରାଜ୍ୟପାଳଙ୍କ ସ୍ୱିକାରୋକ୍ତି


ଖାଇବର ପାଖତୁନଖୱା ରାଜ୍ୟପାଳ ଗୁଲାମ ଅଲି ଶନିବାର ଏକ ଟେଲିଭିଜନ ସାକ୍ଷାତକାରରେ ଏହି ଅଞ୍ଚଳର ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ବର୍ତ୍ତମାନର ପରିସ୍ଥିତି  ରାଜନୈତିକ ଦଳଗୁଡ଼ିକ ପାଇଁ ପ୍ରଦେଶରେ ରାଲି ଆୟୋଜନ କରିବା ପାଇଁ  ଅନୁକୂଳ ନୁହେଁ ବୋଲି ସେ କହିଛନ୍ତି।ଫେବୃଆରୀ 8 ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଦୃଷ୍ଟିରୁ ତାଙ୍କର ଏଭଳି ମନ୍ତବ୍ୟ ଗୁରୁତ୍ୱ ରଖେ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ନଥିବା ତାଙ୍କ ବକ୍ତବ୍ୟରୁ ଜଣା ପଡୁଛି । ଦକ୍ଷିଣ-ପଶ୍ଚିମରେ ଥିବା ବାଲୁଚିସ୍ତାନ ପ୍ରଦେଶ ସହିତ ଖାଇବର ପାଖତୁନଖୱାକୁ ରାଜ୍ୟପାଳ ତୁଳନା କରିଥିବା ରିପୋର୍ଟରେ ଦାବି କରାଯାଇଛି ।


ସରକାରୀ ଅଧିକାରୀଙ୍କୁ ଧମକ


ଟିଟିପି ନିକଟରେ ଉତ୍ତର ୱାଜିରିସ୍ତାନରେ ପାକିସ୍ତାନ ସରକାରଙ୍କ ଜଳ, ଶକ୍ତି ଏବଂ ତୈଳ ବିଭାଗ ସହିତ ସଂଯୁକ୍ତ କଣ୍ଟ୍ରାକ୍ଟରମାନଙ୍କୁ ଟିଟିପି ନିର୍ଦ୍ଦେଶ ଜାରି କରି ସେମାନଙ୍କ ଦ୍ୱାରା ନୂତନ ଭାବରେ ଗଠିତ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ସହିତ ଜଡିତ ହେବାକୁ କୁହାଯାଇଥିଲା ।  ପାଞ୍ଚ ଦିନର ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକ ଉପରେ ତାଲିବାନ ସହିତ ଚୁକ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଦେଶ ପାଳନ ନକଲେ  ସଶସ୍ତ୍ର କାର୍ଯ୍ୟାନୁଷ୍ଠାନର ଧମକ  ଦେଇଥିଲା ତାଲିବାନ।"ଜିହାଦ" ପାଇଁ ପାଣ୍ଠି ସଂଗ୍ରହ କରିବା ଏବଂ ଏହାର ପ୍ରଭାବ କ୍ଷେତ୍ରରେ ପ୍ରଶାସନିକ ବ୍ୟବସ୍ଥା ବୃଦ୍ଧି କରିବା ହେଉଛି ନୂତନ ମନ୍ତ୍ରଣାଳୟର ଉଦ୍ଦେଶ୍ୟ।


ଆଦିବାସୀ ଅଞ୍ଚଳରେ ତାଲିବାନର ଗୁପ୍ତ


ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନ ସୀମାରେ ଥିବା ଡେରା ଇସମାଇଲ ଖାନ, ଲକ୍କି ମାରୱାଟ ଏବଂ ବାନୁରେ ଟିଟିପି ଗୁପ୍ତ ସଂଗଠନ ସ୍ଥାପନ କରିଛି। ଏହି ଗୁପ୍ତ ୟୁନିଟ୍ ଗୁଡିକ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦର ସମାଧାନ କରିବା ବ୍ୟତୀତ ବ୍ୟବସାୟୀ ଏବଂ ଧନୀ ବ୍ୟକ୍ତିବିଶେଷଙ୍କୁ ବ୍ଲାକମେଲିଂ କରିବାରେ ନିୟୋଜିତ ଥିବା ଜଣାଯାଇଛି । ସୀମାନ୍ତାରେ ସରକାରୀ କଳର ଅନୁପସ୍ଥିତିର ଫାଇଦା ଉଠାଉଛି ତାଲିବାନ ।  ଆଇନ ବ୍ୟବସ୍ଥାର ଖରାପ ଅବସ୍ଥା ଏବଂ ପାକିସ୍ତାନରେ ସ୍ଥାନୀୟ ପ୍ରଶାସନର ବିଫଳତାକୁ  ସାମ୍ନା କରୁଥିବା ଲୋକେ ନିଜ ଅଭିଯୋଗର ସମାଧାନ ପାଇଁ ଟିଟିପିର ଶରଣ ନେଉଛନ୍ତି।