Happy Birthday Genelia d`souza: ଜାତୀୟ ସ୍ତର ଫୁଟବଲ ଖେଳାଳିରୁ ଅଭିନେତ୍ରୀ..
Genelia d`souza Birthday : ଯେତେବେଳେ ବି ବଲିଉଡ଼ରେ ଚୁଲବୁଲି ଅଭିନେତ୍ରୀଙ୍କ କଥା ଆସେ ସେତେବେଳେ ଜେନେଲିଆ ଡି’ସୁଜାଙ୍କ ନାମ ଏହି ତାଲିକାରେ ସାମିଲ ରହିଥାଏ । ସୁନ୍ଦର ହେବା ସହ ସ୍ବଭାବରେ ବେଶ ନଟଖନ ଏହି ଅଭିନେତ୍ରୀ । ଆଜି ଜେନେଲିଆ ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କୁ ନେଇ କିଛି ଜଣା ଓ ଅଜଣା କଥା ।
ଜେନେଲିଆ ସ୍କୁଲ ପଢିବା ସମୟରେ କ୍ରୀଡା଼ ବା ସ୍ପୋର୍ଟ୍ସରେ ବେଶ ଆକ୍ଚିଭ ଥିଲେ । ତେବେ ଖୁବ କମ୍ ଲୋକେ ଜାଣିଥିବେ କି, ସେ ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ତରର ଫୁଟବଲ ଖେଳାଳି ମଧ୍ୟ ରହିଛନ୍ତି। କିନ୍ତୁ ଏହା ପରେ ସେ କେତେବେଳେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ତାହା କେହି ଜାଣି ନଥିଲେ।
ଅଭିନେତ୍ରୀ ସ୍କୁଲରେ ପଢିବା ସମୟରେ ତାଙ୍କୁ ଅମିତାଭ ବଚ୍ଚନଙ୍କ ସହ ଏକ ବିଜ୍ଞାପନରେ କାମ କରିବାର ସୁଯୋଗ ମିଳିଥିଲା । ଏହି ବିଜ୍ଞାପନଟି ଏକ ପାର୍କର ପେନର ଥିଲା । ମାତ୍ର ୧୫ ବର୍ଷ ବୟସରେ ସେ ଏହି ବିଜ୍ଞାପନରେ କାମ କରିଥିଲେ । ସେତେବେଳେ ଲୋକେ ତାଙ୍କୁ ବେଶ ପସନ୍ଦ କରିଥିଲେ ।
ଜେନେଲିଆ ୨୦୦୩ ମସିହାରେ 'ତୁଝେ ମୈରୀ କସମ୍' ଫିଲ୍ମ ଜରିଆରେ ବଲିଉଡ଼ରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ରିତେଶ ଦେଶମୁଖଙ୍କ ସହ ନଜର ଆସିଥିଲେ। ଏହି ଯୋଡିକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହି ସେଟରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଏହାପରେ ଅଭିନେତ୍ରୀଙ୍କୁ ଅନେକ ଚଳଚ୍ଚିତ୍ରରେ କାମ କରିବାକୁ ଅଫର ମିଳିଥିଲା । ଜେନେଲିଆ ହିନ୍ଦୀ ସମେତ ତେଲୁଗୁ, ତାମିଲ, କନ୍ନଡ, ମରାଠୀ ଭାଷାରେ ମଧ୍ୟ କାମ କରିଛନ୍ତି।
ଜେନେଲିଆ ଓ ରିତେଶ ପରସ୍ପରକୁ ଦୀର୍ଘ ୧୦ ବର୍ଷ ଧରି ଡ଼େଟ କରିବା ପରେ ୨୦୧୨ ମସିହା ଫେବୃଆରୀ ୩ ତାରିଖରେ ବିବାହ କରିଥିଲେ । ବର୍ତ୍ତମାନ ଉଭୟଙ୍କର ଦୁଇଟି ପୁଅ ରହିଛନ୍ତି । ବିବାହ ପରେ ଜେନେଲିଆ ପରିବାର ପ୍ରତି ଧ୍ୟାନ ଦେବା ଆରମ୍ଭ କରିଥିବା ବେଳେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ ।
କିଛି ଦିନ ପୂର୍ବରୁ ଅଭିନେତ୍ରୀଙ୍କ ୱେବ ସିଟିଜ 'ଟ୍ରାଏଲ୍ ପିରିୟଡ୍' OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା । ଏଥିରେ ତାଙ୍କ ସହ ଅଭିନେତା ମନଭ କୌଲ ନଜର ଆସିଥିଲେ । ଏଥିରେ ଜେନେଲିଆ ସିଙ୍ଗଲ ମଦର ଭୂମିକାରେ ନଜର ଆସିଥିଲେ। ଏହାର କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।