ଭୁବନେଶ୍ୱର: ରାଜ୍ୟର ବିଧାୟକଙ୍କ ରୋଜଗାର ଉପରେ ଏକ ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ୍‍ ଫର ଡେମୋକ୍ରାଟିକ୍‍ ରିଫର୍ମ। ଏହି ରିପୋର୍ଟ ଅନୁସାରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ତଥା ବର୍ତ୍ତମାନର ଝାରସୁଗୁଡ଼ା ବିଧାୟକ ଦୀପାଳି ଦାସ ହେଉଛନ୍ତି ସବୁଠାରୁ ଅଧିକ ରୋଜଗାର କରୁଥିବା ବିଧାୟକ। ତାଙ୍କର ବାର୍ଷିକ ଆୟ ହେଉଛି ପାଞ୍ଚ କୋଟି ଟଙ୍କା। ଆୟକର ବିଭାଗର ତଥ୍ୟକୁ ଆଧାର କରି ଏଡିଆର୍‍ ଏହା ପ୍ରକାଶ କରିଛି। ବିଧାୟକ ହେବାର ଅବ୍ୟବହିତ ପୂର୍ବରୁ ତାଙ୍କ ରୋଜଗାରକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଏଥିରେ କୁହାଯାଇଛି ଯେ, ଅବିବାହିତା ଦିପାଳୀଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୪୦ କୋଟି ଟଙ୍କା। ସେ ବ୍ୟବସାୟରୁ ମଧ୍ୟ ରୋଜଗାର ଯଥେଷ୍ଟ କରନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ତାଙ୍କର ନିଜସ୍ୱ ଆୟ ଥିଲା ୭୨ ଲକ୍ଷ ଟଙ୍କା। 


ବିଧାୟକ ହେବାର ଅବ୍ୟବହିତ ପୂର୍ବରୁ କଟକ ବାରବାଟୀ ବିଧାୟକ ଆୟକର ଆୟୋଗଙ୍କ ପାଖରେ ଦାଖଲ କରିଥିବା ରିପୋର୍ଟରେ ନିଜର ସମୁଦାୟ ଆୟ ୪ କୋଟି ଦର୍ଶାଇଥିଲେ। ଏହା ତାଙ୍କା ନିଜସ୍ୱ ରୋଜଗାର ବୋଲି ବି ସେ କହିଥିଲେ। ୨୦୧୭-୧୮ ଆର୍ଥିକ ବର୍ଷ ଆଧାରରେ ଏହା ସ୍ଥିର କରାଯାଇଛି। 


ତୃତୀୟ ରୋଜଗାରିଆ ବିଧାୟକ ହେଉଛନ୍ତି, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ। ସମୁଦାୟ ସମ୍ପତ୍ତି ହେଉଛି ୧୪ କୋଟି। ତାଙ୍କର ବାର୍ଷିକ ଆୟ ସେତେବଳେ ଥିଲା ୧ କୋଟି। ବ୍ୟକ୍ତିଗତ ସ୍ତରରେ ସେ ବର୍ଷକୁ୪୭ ଲକ୍ଷ ଟଙ୍କା ଆୟ କରୁଥିଲେ। 


ବର୍ଷକୁ ଏକ କୋଟି ରୋଜଗାର ତାଲିକାରେ ରହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ। ତାଙ୍କର ଟଅେଡିଂ ବ୍ୟବସାୟ ଏବଂ ଘର ଭଡ଼ାରୁ ସେ ଏହି ଆୟ କରୁଥିଲେ। ସମୁଦାୟ ସମ୍ପତ୍ତି ତାଙ୍କ ପାଖରେ ୧୯ କୋଟି ଟଙ୍କାର ହୋଇଥିବା ସେ ତାଙ୍କ ସତ୍ୟପାଠରେ ଦର୍ଶାଇଥିଲେ। 


ଧର୍ମଶାଳା ବିଧାୟକ ତଥା ପୂର୍ବତନ ବିଜେଡି ଆଗଧାଡ଼ି ନେତା କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତ ରାୟ ବିଧାୟକ ହେବା ବେଳେ ତାଙ୍କ ସମୟର ବିଧାୟକଙ୍କ ଭିତରୁ ୫ମ ସର୍ବାଧିକ ଆୟକାରୀ  ଥିଲେ। ତାଙ୍କର ସମୁଦାୟ ସମ୍ପତ୍ତି ୧୭ କୋଟି ହୋଇଥିବାବେଳେ ବାର୍ଷିକ ଆୟ ୭୦ ଲକ୍ଷ ବୋଲି ସେ ଦର୍ଶାଇଥିଲେ। 


ସେହିପରି  ବିଧାୟକ ହେବା ପୂର୍ବ ବର୍ଷ ଦାଖଲ ଆୟକର ରିଟର୍ଣ୍ଣ ଅନୁସାରେ ଖଣ୍ଡପଡ଼ା  ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବାର୍ଷିକ ଆୟ ୫୬ଲକ୍ଷ ଥିବାବେଳେ, ବିକ୍ରମ କେଶରୀ ଆରୁଖଙ୍କର ୪୩ ଲକ୍ଷ, ନବରଙ୍ଗପୁର ବିଧାୟକ ସଦାଶୀବ ପ୍ରଧାନୀ ଚାଷ ଏବଂ ସାମାଜିକ ସେବାରୁ ୪୧ ଲକ୍ଷ ଟଙ୍କା ଆୟ କରିଥିବା ଦର୍ଶାଇଥିଲେ। 


ଏହି ଆଠଜଣ ବିଜେଡି ବିଧାୟକଙ୍କ ସହ ୨ଜଣ କଂଗ୍ରେସ ବିଧାୟକ ଟପ୍‍ ୧୦ ରୋଜଗାରିଆ ବିଧାୟକ ତାଲିକାରେ ସାମିଲ୍‍ ହୋଇଛନ୍ତି। ସେମାନେ ହେଲେ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏବଂ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ବ୍ୟବସାୟ ଓ ସାମାଜିକ ସେବାରୁ ୨୦୧୭-୧୮ ଆର୍ଥିକ ବର୍ଷରେ ସୁଧାଂଶୁ ୪୦ ଲକ୍ଷ ଆୟ କରିଥିବା ବେଳେ ଆଇନ ବ୍ୟବସାୟ ତଥା ପତ୍ନୀଙ୍କ କୁକୁଡ଼ା ଚାଷରୁ ସେ ୩୮ ଲକ୍ଷ ଟଙ୍କା ସେହି ବର୍ଷ ରୋଜଗାର କରିଥିବା ଦର୍ଶାଇଛନ୍ତି। 



ବାର୍ଷିକ ଏହି ଆୟ ପ୍ରମାଣିତ କରୁଛି ଯେ ସେମାନେ ନିଜ ନିଜର ପୂର୍ବ ପେସାରେ ଯଥେଷ୍ଟ ସଫଳ ଓ ଲାଭବାନ ଥିଲେ। ତଥାପି ରାଜନୀତି ଆଡ଼କୁ ମନ ବଳାଇନିଜର ପୂର୍ବ ବ୍ୟବସାୟକୁ ଗୌଣ କରିଛନ୍ତି। ଅପରପକ୍ଷେ ଝାରସୁଗୁଡ଼ାର ବିଧାୟକ ଦିପାଳୀ ଦାସ ରାଜ୍ୟର ସବୁଠାରୁ ଋଣଗ୍ରସ୍ତ ବିଧାୟକ ତାଲିକାରେ ବି ସାମିଲ ହୋଇଛନ୍ତି। ତାଙ୍କ ନାଁରେ ୧୯ କୋଟି ଟଙ୍କାର ଋଣ ରହିଥିବା ଏଡିଆର୍‍ ତଥ୍ୟରେ ଦର୍ଶାଇଛି। ସେହିପରି ଦ୍ୱିତୀୟ ସର୍ବାଧିକ ଋଣଗ୍ରସ୍ତ ବିଧାୟକ ହେଉଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । ୭ କୋଟି ଟଙ୍କାର ଋଣ ତାଙ୍କ ନାଁରେ ରହିଛି।  ସେହିପରି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ରହିଛି ୪ କୋଟି ଟଙ୍କାର ଋଣ।  ବିଧାୟକ ହେବା ପରେ ତାଙ୍କର ଋଣ କେତେ କମିଛି ବା ବଢ଼ିଛି ତାହା ନିର୍ବାଚନ ସମୟରେ ଦାଖଲ ହେବାକୁ ଥିବା ସତ୍ୟପାଠରୁ ସ୍ପଷ୍ଟ ହେବ।